ପୁଞ୍ଜିଲାଲଙ୍କୁ ନେଇ ଘନେଇଲା ବିବାଦ ! ପାଟଣାଗଡ଼ ଫିଲ୍ମ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଶେଖରଙ୍କ ପରିବାର, ଥାନାରେ ଦେଲେ ଏତଲା ।

61

କନକ ବ୍ୟୁରୋ : ବିବାଦରେ ଫିଲ୍ମ ପାଟଣାଗଡ । ପାଟଣାଗଡର ପାର୍ସଲ ବୋମା ବିସ୍ଫୋରଣକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି ମୃତକଙ୍କ ପରିବାର । ମୃତ ସୌମ୍ୟଶେଖରଙ୍କ ବାପା-ମାଆ କହିଛନ୍ତି, ତାଙ୍କ ପରିବାରର କାହାଣୀକୁ ନେଇ ଫିଲ୍ମ ତିଆରି ହେଉଥିବା ବେଳେ ଏଥିପାଇଁ ତାଙ୍କ ଅନୁମତି ନିଆଯାଇନାହିଁ । ଏନେଇ ସେ, ଫିଲ୍ମର ନିର୍ମାତା, ନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ।

ପାର୍ସଲ ବୋମା ବିସ୍ଫୋରଣର କାହାଣୀ ପାଟଣାଗଡ । ଯେଉଁଥିରେ ରହିଛି ଓଡିଶାର ଏକ ସତ୍ୟ ତଥା ଚର୍ଚ୍ଚିତ ଘଟଣା । ହେଲେ ଆରମ୍ଭରୁ ହିଁ ଫିଲ୍ମକୁ ନେଇ ଉଠିଛି ବିବାଦ । ଫିଲ୍ମ ନିର୍ମାଣ ଉପରେ ପ୍ରଶ୍ନ ଉଠାଇଛନ୍ତି କାହାଣୀର ମୁଖ୍ୟ ପରିବାର । ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ବିନା ଅନୁମତିରେ ଫିଲ୍ମ ତିଆରି ହେଉଛି । ସିନେମାରେ ତାଙ୍କ ପରିବାରର ଚରିତ୍ର କିଭଳି ଦର୍ଶାଯାଇଛି ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ କୌଣସି ସମ୍ପର୍କ କରାଯାଇନି । ଫିଲ୍ମର ନିର୍ମାତା, ନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ପରିବାର ।

ଫେବୃଆରୀ ୨୩, ୨୦୧୮ । ବିସ୍ଫୋରଣରେ ଥରି ଉଠିଲା ଓଡିଶାର ପାଟଣାଗଡରେ ଥିବା ରବିନ୍ଦ୍ର ସାହୁଙ୍କ ଘର । ୫ ଦିନ ତଳେ ସୌମ୍ୟଶେଖର ଓ ରୀମାଙ୍କ ବାହାଘର ହୋଇଥିବା ବେଳେ ନବଦମ୍ପତିଙ୍କ ପାଇଁ ଆସିଥିଲା ମୃତ୍ୟୁର ଉପହାର । ପାର୍ସଲ ଖୋଲୁ ଖୋଲୁ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହେଲା ଆଉ ଆଖି ବୁଜିଲେ ଜେଜେମା ଜେମାମଣି ଓ ନବବିବାହିତ ସୌମ୍ୟଶେଖର । ଗୁରୁତର ଆହତ ହେଲେ ନବବଧୂ । ତେବେ ଘଟଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା କ୍ରାଇମବ୍ରାଂଚର ସ୍ମାର୍ଟ ତଦନ୍ତ ଆଉ ମୁଖ୍ୟ ଖଳନାୟକ ପୁଂଜିଲାଲଙ୍କ ସଇତାନୀ ଚାଲ୍ । ଯାହାକୁ ଫିଲ୍ମରେ ସ୍ଥାନ ଦିଆଯାଇଛି । ହେଲେ ସୌମ୍ୟଶେଖରଙ୍କ ପରିବାରର ଆପତି ଯେ ଠିକ୍ ଭାବେ ପୁଂଜିଲାଲର ଖଳ ଚରିତ୍ରକୁ ପ୍ରଦର୍ଶନ କରାଯାଇନାହିଁ । ପାଟଣାଗଡରେ ଖଳନାୟକ ପୁଂଜିଲାଲ ଭୂମିକାରେ ଅଛନ୍ତି ଓଲିଉଡ୍ ଅଭିନେତା ମନୋଜ ମିଶ୍ର ଏବଂ କ୍ରାଇମବ୍ରାଂଚ ଅଧିକାରୀର ଚରିତ୍ର ତୁଲାଉଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି । ତେବେ ଏହି ବହୁଚର୍ଚ୍ଚିତ ଫିଲ୍ମକୁ ବିରୋଧ କରିଛନ୍ତି ପୀଡିତଙ୍କ ପରିବାର ।