ଖାରଜ ହେଲା ବେଲ୍, ବିଧାୟକ ଗଲେ ଜେଲ୍ । ଜେଇଙ୍କୁ ଉଠବସ୍ କରାଇ ଫସିଗଲେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର ।

ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଏଡିଜେ ଖାରଜ କରିଛନ୍ତି ।

1,445

କନକ ବ୍ୟୁରୋ : ଗିରଫ ପରେ ଜେଲ୍ ଗଲେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର । ଜେଇଙ୍କୁ ସର୍ବସମ୍ମୁଖରେ ଉଠବସ ଘଟଣାକୁ ନେଇ ବିଧାୟକଙ୍କୁ ଆଜି ଗିରଫ କରିଥିଲା ପାଟଣାଗଡ଼ ପୋଲିସ୍ । ଗିରଫ ପରେ ବିଧାୟକ ସରୋଜ ମେହରେଙ୍କୁ ଏଡିଜେ କୋର୍ଟକୁ ନିଆଯାଇଥିଲା । ସେଠାରେ ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଏଡିଜେ ଖାରଜ କରିଛନ୍ତି । ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି ।

ଜେଇଙ୍କୁ ଉଠବସ ଘଟଣାରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ସକାଳୁ ଅଟକ ରଖାଯାଇଥିଲା । ଗତକାଲି ରାତିରେ ସରୋଜଙ୍କୁ ନୂଆପଡାରୁ ବଲାଙ୍ଗୀର ଆଣିଥିଲା ପୋଲିସ । ପଚରାଉଚରା ପରେ ବିଧାୟକଙ୍କୁ ପାଟଣାଗଡ ଥାନା ଅଣାଯାଇଥିଲା । ପାଟଣାଗଡ ଥାନାରେ ବଲାଙ୍ଗୀର ଏସପିଙ୍କ ସହ ପହଞ୍ଚିଥିଲେି ବିଧାୟକ । ଥାନାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ସୂଚନାଯୋଗ୍ୟ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ । ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବିବାଦ ବଢ଼ିବା ପରେ କ୍ଷମା ମାଗିଥିଲେ ସରୋଜ, ହେଲେ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ । ସେପଟେ କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ । ଏବଂ ସରୋଜଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଏପରିକି ଗିରଫ ନକଲେ ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଥିଲେ ଆଦିବାସୀ ମହାସଂଘ ।