ଅଡୁଆରେ ବିଧାୟକ ! ଜେଇଙ୍କୁ ଉଠବସ୍ କରାଇବା ଘଟଣାରେ ରୁଜୁ ହେଲା ମାମଲା । ଘେରିଲେ ବିରୋଧୀ, ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତମନ୍ତ୍ରୀ ।

324

କନକ ବ୍ୟୁରୋ: ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ଉଠବସ କରାଇବା ମହଙ୍ଗା ପଡିଛି ବିଧାୟକଙ୍କୁ । କଙ୍ଗାରୁ କୋର୍ଟ ପାଇଁ ନୂଆ ବିଧାୟକ ଯେତିକି ଚର୍ଚିତ ହୋଇଛନ୍ତି ତାଠୁ ଅଧିକ ଛନ୍ଦି ହୋଇପଡିଛନ୍ତି ବିବାଦରେ । ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଗୁରୁବାର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ, ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ସକାଳୁ ସକାଳୁ ବିଧାୟକଙ୍କ ବିରୋଧରେ ରୁଜୁ ହୋଇଯାଇଛି ମାମଲା ।

ନିମ୍ନମାନର ରାସ୍ତା କାମ ପାଇଁ ଜେଇଙ୍କୁ ସମସ୍ତଙ୍କ ସାମନାରେ ଉଠବସ କରାଇବା ଭିଡିଓ ସାମନାକୁ ଆସିବା ପରେ କେହି କେହି ଏହାକୁ ଦୁର୍ନୀତି ବିରୋଧରେ ବିଧାୟକଙ୍କ ସଠିକ ପଦକ୍ଷେପ ବୋଲି କହୁଛନ୍ତି । ହେଲେ ଅଧିକାଂଶ ଲୋକ, ବିଧାୟକଙ୍କ ଏଭଳି ଶାସ୍ତି ଦେବାକୁ ନିନ୍ଦା କରୁଛନ୍ତି ।

ଭାଇରାଲ୍ ଭିଡିଓ ଏବଂ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ମଧ୍ୟରେ ଶୁକ୍ରବାର ସାମ୍ନାକୁ ଆସିଛନ୍ତି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର । କହିଛନ୍ତି, ତାଙ୍କୁ ଅପହରଣ କରାଯାଇନଥିଲା । ହେଲେ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଉଠବସ୍ କରାଯାଇଛି ଏବଂ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡା ମାରିଛନ୍ତି ।

ପାଟଣାଗଡର ଏହି ଭିଡିଓ ଏବେ ସାରା ରାଜ୍ୟରେ ଘୁରି ବୁଲୁଛି । ବିଧାୟକଙ୍କ ବିରୋଧରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ ମନ୍ତ୍ରୀ । ଏପଟେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିରୋଧୀ । ସେପଟେ ଭିଡିଓ ଭାଇରାଲ୍ ହେବା ପରେ ବିଧାୟକ ବିରୋଧୀ ସ୍ୱର ତେଜିଲାଣି । ଏହାରି ଭିତରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସେବାସଂଘ ।