ଯଦି ସରକାରୀ ଅଫିସର ଲାଞ୍ଚ ମାଗନ୍ତି, ସିଧାସଳଖ ମୋତେ ଜଣାଅ । ଜେଲରୁ ଫେରିବା ପରେ ଜନତାଙ୍କୁ ଆହ୍ୱାନ ଦେଲେ ପାଟଣାଗଡ ବିଧାୟକ

4,772

କନକ ବ୍ୟୁରୋ : ଜେଲରେ ଫେରିବା ପରେ ଆକ୍ସନ ମୋଡରେ ପାଟଣାଗଡ ବିଧାୟକ । ସାଧାରଣ ସଭାରେ ଜନତାଙ୍କୁ ଦେଇଛନ୍ତି ଅଭୟ ବାଣୀ । ସରକାରୀ ଅଫିସର କିମ୍ବା ଜନ ପ୍ରତିନିଧି କୌଣସି କାମ ପାଇଁ ଯଦି ହିତାଧିକାରୀଙ୍କୁ ଲାଞ୍ଚ ମାଗୁଥାନ୍ତି ତେବେ ତାଙ୍କୁ ସିଧାସଳଖ ଫୋନ୍ କରି ଜଣାଇବାକୁ ଅନୁରୋଧ କରିଛନ୍ତି ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ଆଉ ଏଭଳି ଅଭୟବାଣୀ ପାଇବା ପରେ ସାଧାରଣ ଲୋକ ମଧ୍ୟ ବେଶ ଖୁସି । ସରୋଜଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।

ଅଧିକାଂଶ ସମୟରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ସରକାରୀ ଅଧିକାରୀ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ମାନେ ଖୁଲମଖୁଲା ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । କିନ୍ତୁ ପାଟଣାଗଡରୁ ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣ ଲୋକଙ୍କୁ ଅଭୟବାଣୀ ଦେଇଛନ୍ତି ସରୋଜ । କୌଣସି କାମ ପାଇଁ ଯଦି ସରକାରୀ ଅଧିକାରୀ, ଦଲାଲ କିମ୍ବା ଜନ ପ୍ରତିନିଧି ପିସି ମାଗୁଥାନ୍ତି ତେବେ ତାଙ୍କୁ ଜଣାଇବାକୁ ଖୋଲା ସଭାରେ ଆହ୍ୱାନ ଦେଇଛନ୍ତି ସରୋଜ ।

ଗୋଟିଏ ପଟେ ସରକାର ପିସି କାରବାର ରୋକିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସରକାରୀ ଅଧିକାରୀଙ୍କୁ ଏଥିରୁ ଦୂରେଇ ରହିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିଭିନ୍ନ ଅଞ୍ଚଳରୁ ପିସି କାରବାର ଅଭିଯୋଗ ସାମ୍ନାକୁ ଆସୁଛି । ଖାସକରି ସରକାରୀ ଯୋଜନାର ସୁଫଳ ପାଇବାକୁ ହେଲେ ହିତାଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡୁଥିଲା । ତେଣୁ ଅଧିକାଂଶ ଲୋକ ଲାଞ୍ଚ ଦେଇ ନପାରିବାରୁ ସରକାରୀ ଯୋଜନାରୁ ବଞ୍ଚିତ ମଧ୍ୟ ହେଉଥିଲେ । ତେଣୁ ସମସ୍ତ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ଏବେ ଖୋଦ୍ ଅଣ୍ଟା ଭିଡିଛନ୍ତି ବିଧାୟକ । ଦୁର୍ନୀତିଖୋର ଅଫିସରଙ୍କୁ ସାବାଡ କରିବାକୁ ସରୋ ଜନତାଙ୍କୁ ଦେଇଛନ୍ତି ବଡ ବ୍ରହ୍ମାସ୍ତ୍ର ।

ପାଟଣାଗଡରେ ଆଗକୁ ଅନେକ ଉନ୍ନୟନମୂଳକ କାମ ହେବ ଓ ଏଥିପାଇଁ ଗୋଟିଏ ଟଙ୍କାର ପିସି କାରବାର କରାଇ ଦେବେ ନାହିଁ ବୋଲି ଦୁର୍ନୀତିଖୋର ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ସରୋଜ । ପିସି କାରବାର ବନ୍ଦ କରିବାକୁ ଆହ୍ୱାନ ଦେଇ ପାଟଣାଗଡବାସୀଙ୍କ ମନ ଜିଣିଛନ୍ତି ବିଧାୟକ ସରୋଜ ମେହେର । ଏହାପୂର୍ବରୁ ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଜେଇଙ୍କୁ ଉଠବସ କରି ଜେଲ ଯାଇଥିଲେ ପାଟଣାଗଡ ବିଧାୟକ । ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟ ପରେ ଦୁର୍ନୀତିଖୋର ସରକାରୀ ଅଫିସରଙ୍କ ମନରେ ଛନକା ପଶିଛି । ପୂର୍ବରୁ ଲୋକଙ୍କର ଯେଉଁ କାମ ବିନା ଲାଞ୍ଚରେ ହେଉନଥିଲା ତାହା ଏବେ କିଛି ସମୟ ମଧ୍ୟରେ ହେଉଥିବା ଲୋକେ କହିଛନ୍ତି ।