ପାଟଣାଗଡ଼କୁ ନେଇ ଫିଲ୍ମ ! ପାର୍ସଲ ବୋମା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ଷଡଯନ୍ତ୍ରର ପର୍ଦ୍ଦାଫାଶ ଓ ଥ୍ରୀଲର ଆସିବ ବଡ ପରଦାକୁ ।

23

ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଓଡିଶାର ପାଟଣାଗଡ଼ ପାର୍ସଲ ବୋମାକୁ ନେଇ ଖୁବ ଶୀଘ୍ର ନିର୍ମାଣ ହେବ ଓଡିଆ ଫିଲ୍ମ “ପାଟଣାଗଡ଼” । ତେବେ ଏହାର ପ୍ରଥମ ଫିଲ୍ମ ପୋଷ୍ଟର ଭୁବନେଶ୍ୱରର ଏକ ପଞ୍ଚତାରକା ହେଟେଲରେ ଉନ୍ମୋଚନ ହୋଇଛି । ରାଜ୍ୟ ଓ ଦେଶରେ ଏହି ପାର୍ସଲ ବୋମା ଘଟଣା ଏକ ଫିଲ୍ମର କାହାଣୀ ପରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଫିଲ୍ମର ପୁର୍ବ ନାଁ “ବୁଲେଟ ରାଜା ରଖାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ‘ପାଟଣାଗଡ଼’ ରଖାଯାଇଛି । ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ କହିବା ମୁତାବକ ଓଡିଶାରେ ଘଟିଥିବା ଏହି ଘଟଣାକୁ ଦେଶବାସୀ ସହଜରେ ଭୁଲି ପାରିବେ ନାହିଁ । ତେଣୁ ଫିଲ୍ମର ପୋଷ୍ଟର ଉନ୍ମୋଚନ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମଟିକୁ ଦେଖିବା ପାଇଁ ଏତେ କ୍ରେଜ ରହିଛି ଯାହାଫଳରେ ଏହାକୁ ତେଲୁଗୁ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ପ୍ରଯୋଜକ କହିଛନ୍ତି ।

ଫିଲ୍ମର ପୋଷ୍ଟରରେ ବଲିଉଡ ଷ୍ଟାର ଅତୁଲ କୁଲକର୍ଣ୍ଣୀଙ୍କୁ ଦେଖି ଦର୍ଶକମାନଙ୍କ ମଧ୍ୟରେ ରୋମାଞ୍ଚ ଭରି ରହିଥିବା ଦେଖିବାକୁ ମିଳିଛି । କାରଣ ଅତୁଲ କୁଲକର୍ଣ୍ଣୀ ପୂର୍ବରୁ ବଲିଉଡ ଫିଲ୍ମ ରଙ୍ଗ ଦେ ବସନ୍ତୀ, ଚାନ୍ଦିନୀ ବାର, ଦମ୍ ଭଳି ଅନେକ ଫିଲ୍ମରେ ନିଜର ଅଭିନୟରେ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି । ତେବେ ଅତୁଲ ଏହି ଚଳଚିତ୍ରରେ ପାର୍ସଲ ବୋମାର ପର୍ଦ୍ଦାଫାଶ କରିଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ନଜର ଆସିବେ । ଏବଂ ପାର୍ସଲ ବୋମା ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ କିଭଳି ଏହି ଜଘନ୍ୟ କାଣ୍ଡ ଘଟାଇବା ପାଇଁ ରଚିଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିବେ ଅତୁଲ । ଘଟଣାକୁ ରଚନାତ୍ମକଭାବେ ବର୍ଣ୍ଣନା କରି ଏକ ଭଲ ଏବଂ ରୋମାଞ୍ଚ ଫିଲ୍ମ ଭାବେ ପ୍ରଦର୍ଶିତ କରିବାକୁ ଟିମ ଉଦ୍ୟମ କରୁଛି ବୋଲି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି । ତେବେ ଫିଲ୍ମଟର ନାଁ ବଦଳାଇବାକୁ ନେଇ ପ୍ରଯୋଜକ କହିଛନ୍ତି ଯେ, ଦୁଇଟି କାରଣ ଯୋଗୁଁ ଫିଲ୍ମଟିର ନାଁ ପରିବର୍ତ୍ତନ କରାଯାଇଛି । ପ୍ରଥମ କାରଣ ହେଉଛି, ବୁଲେଟ ରାଜା ପୂର୍ବରୁ ସୈଫ ଅଲ୍ଲୀ ଖାନଙ୍କ ଅଭିନିତ ଫିଲ୍ମ ରହି ଆସିଛି । ଏବଂ ଦ୍ୱିତୀୟରେ ଘଟଣାଟି ଯେହେତୁ ପାଟଣାଗଡ଼ରେ ହୋଇଛି ଏହା ଅଧିକ ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି ।

ଅନ୍ୟପଟେ ଏହି ଫିଲ୍ମରେ ପାଟଣାଗଡ଼ ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କ ଭୁମିକାରେ ନଜର ଆସିବେ ଓଡିଆ ଅଭିନେତା ମନୋଜ ମିଶ୍ର । ଏବଂ ଏହି ଫିଲ୍ମରେ ଦର୍ଶକମାନେ ଅପରାଧ ଓ ଥ୍ରୀଲର କମ୍ବିନେସନର ଭରପୁର ମଜା ଉଠାଇ ପାରିବେ ବୋଲି ଫିଲ୍ମର ଟିମ ଆଶା ରଖିଛନ୍ତି । ତେବେ ପାଟଣାଗଡ଼ ଫିଲ୍ମର ସୁଟିଂ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ଦଶହରା ମାହୋଲରେ ଚଳଚିତ୍ରଟି ପରଦାକୁ ଆସିବ ବୋଲି ଆଶା କରାଯାଉଛି ।