ଆଜି ପାଟଣା ଗାନ୍ଧି ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ ଲାଲୁ ! ‘ବିଜେପି ଭଗାଓ ଦେଶ ବଚାଓ’ ଅଭିଯାନର ନେତୃତ୍ୱ ନେଉଛନ୍ତି ଆରଜେଡ଼ି ମୁଖ୍ୟ

128

କନକ ବ୍ୟୁରୋ : ଆଜି ବିହାର ପାଟଣାର ଗାନ୍ଧି ମୈଦାନରେ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ କରିବେ ଶକ୍ତି ପ୍ରଦର୍ଶନ । ଆୟୋଜିତ ହେବ ଲାଲୁଙ୍କ ମହାରାଲି ବିଜେପି ଭଗାଓ ଦେଶ ବଚାଓ ଅଭିଯାନ । ବିଜେପିକୁ ବିରୋଧ କରି ଏହି ରାଲିର ଡାକରା ଦେଇଛନ୍ତି ଲାଲୁ । ଏହି ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ଶରଦ ଯାଦବ , କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ରାଲିକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆରଜେଡି କର୍ମୀଙ୍କୁ ଆଣିବାରେ ଲାଗି ପଡିଛନ୍ତି ନିଜେ ତେଜସ୍ୱୀ ଯାଦବ । ଏଥିପାଇଁ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ ତେଜସ୍ୱୀ ନିଜେ କରୁଛନ୍ତି । ରାଲି ପୂର୍ବରୁ ପାଟଣା ସହର ସମ୍ପୂର୍ଣ୍ଣ ଭାବେ ସୁବଜ ରଙ୍ଗର ପୋଷ୍ଟରରେ ଛାଇ ଯାଇଛି । ଏହା ସହିତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଦ୍ୱାର’ ନାଁରେ ଏକ ଗେଟ୍ ନିର୍ମାଣ କରାଯାଇଛି । ଅନ୍ୟପଟେ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବଙ୍କ ଅଡୁଆ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପରୋକ୍ଷଭାବେ ଦଳ ଛାଡିବା ପାଇଁ ଶରଦଙ୍କୁ ଇଙ୍ଗିତ କରିଛି ଜେଡିୟୁ ।

ଆଜି ଆୟୋଜିତ ହେବାକୁ ଥିବା ଆରଜେଡି ବିଶାଳ ରାଲିରେ ଶରଦ ଯୋଗ ଦେବା ପାଇଁ ସମର୍ଥନ ଜଣାଇବା ପରେ ତାଙ୍କୁ ଏବେ ମିଳିଛି ଦଳ ପକ୍ଷରୁ ଚିଠି । ଚିଠିରେ ଉଲ୍ଲେ୍ଖ ରହିଛି କି, ଲାଲୁଙ୍କ ରାଲିରେ ସାମିଲ ହେବା ଶରଦଙ୍କ ନିଜସ୍ୱ ଇଚ୍ଛା । ତେଣୁ ଦଳ ମନେକରୁଛି କି ଶରଦ ସ୍ୱଇଚ୍ଛାରେ ଦଳ ଛାଡି ସାରିଛନ୍ତି । ମେଂଟ ଭାଙ୍ଗିବା ପରେ ଶରଦ ଦଳର ମାପଦଣ୍ଡର ଉଲଂଘନ କରିଥିବା ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।

ପ୍ରକୃତରେ କହିବାକୁ ଗଲେ ବିଜେପି ଓ ମୋଦିଙ୍କୁ ଏକାଠି କରିବାକୁ ଏ ଯାଏଁ ବିରୋଧୀ ଏକାଠି ହୋଇପାରିନାହାନ୍ତି । ଆଜି ପାଟନାରେ ଲାଲୁଙ୍କ ଶକ୍ତି ପ୍ରଦର୍ଶନରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ବିଏସପି ସୁପ୍ରିମୋ ମାୟାବତୀ ସାମିଲ ହେବେ ନାହିଁ । ୨୦୧୯ରେ ମୋଦିଙ୍କ ବିରୋଧରେ କାହାକୁ ବିରୋଧୀ ମୁହଁ ଭାବେ ଉପସ୍ଥାପିତ କରାଯିବ ସେ ନେଇ ବିରୋଧୀ ନିଷ୍ପତ୍ତି ନେଇପାରୁନାହାନ୍ତି ।

କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଉପସ୍ଥାପିତ କରିବାକୁ ଚାହିୁଁଛି । କିନ୍ତୁ ଅନ୍ୟ ଦଳ ଏଥିରେ ପ୍ରାୟତଃ ଏକମତ ହୋଇପାରୁନାହାନ୍ତି । ଏହାଛଡା ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ କେରଳ ଭଳି ରାଜ୍ୟରେ ବିଭିନ୍ନ ଦଳ ପରସ୍ପର ବିରୋଧରେ ଲଢୁଛନ୍ତି । ପଶ୍ଚିମବଙ୍ଗରେ ମମତାଙ୍କ ବିରୋଧ ସିପିଏମ ହୋଇଥିବାବେଳେ କେରଳରେ ସିପିଏମ ବିରୋଧରେ ଲଢୁଛି କଂଗ୍ରେସ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଅଲଗା ଅଲଗା ଲଢୁଛନ୍ତି । ଏଭଳି କ୍ଷେତ୍ରରେ ବିରୋଧୀ କେମିତି ଏକାଠି ହେବେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।