ପାଟକୁରାରେ ହେବ ମହାଲଢେଇ ! ବିଜେଡିର ବେଦପ୍ରକାଶ ଅଗ୍ରୱାଲଙ୍କୁ ଟକ୍କର ଦେବେ ବିଜୟ ମହାପାତ୍ର ଓ ଜୟନ୍ତ ମହାନ୍ତି

161

କନକ ବ୍ୟୁରୋ : କେନ୍ଦ୍ରପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ହେବ ହେଭିୱେଟ ଲଢେଇ । ତିନି ପ୍ରମୁଖ ଦଳର ଟିକେଟ ଘୋଷଣା ପରେ ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ । ବିଜେଡି ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଟିକେଟରେ ଜୟନ୍ତ ମହାନ୍ତି ନିର୍ବାଚନକୁ ଓହ୍ଲାଇଛନ୍ତି । ତେବେ ବିଜେଡି ପ୍ରାର୍ଥୀ ପ୍ରକାଶ ଅଗ୍ରୱାଲ ଅସୁସ୍ଥତା କାରଣରୁ ପ୍ରଚାର କରି ନାହାନ୍ତି । ସବୁଦଳ ନିଜ ନିଜ ରଣକୌଶଳ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ପାଟକୁରାରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବେଦ ପ୍ରକାଶ ଅଗ୍ରୱାଲଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । ୨୦୧୪ ପରେ ପୁଣି ଥରେ ୨୦୧୯ରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପାଟକୁରା ମଙ୍ଗ ଧରାଇଛନ୍ତି ନବୀନ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ପାଟକୁରାରୁ ବିଜେଡ଼ି ବିଜୟ ବାନା ଉଡ଼ାଇ ଆସୁଛି । ଏଥର ପୁଣି ଥରେ ପାଟକୁରା ଅକ୍ତିଆର କରିବା ପାଇଁ ବିଜେଡ଼ି ପକ୍ଷରୁ ଜୋରସୋରେ ଚାଲିଛି ପ୍ରଚାର ।

ତେବେ ବିଜେପିରୁ ବିଜୟଙ୍କ ଘରବାହୁଡ଼ା ପରେ ରୋଚକ ହୋଇଯାଇଛି ପାଟକୁରା ରାଜନୀତି । ପୂର୍ବ ନିର୍ବାଚନୀ ଫଳାଫଳ ଅନୁସାରେ ବିଜେପି ପାଇଁ ସହଜ ନୁହେଁ ପାଟକୁରା ବିଜୟ । ଥରେ ବି ଏଠାରେ ଖାତା ଖୋଲିପାରିନି ବିଜେପି । ତେବେ ବିଜୟ ମହାପାତ୍ରଙ୍କ ଭରସାରେ ପାଟୁକାରରେ ପଦ୍ମ ଫୁଟାଇବା ପାଇଁ ଯୋଜନା କରିଛି ବିଜେପି । ଲଗାତାର ୩ ଥର ଏଠାରୁ ନିର୍ବାଚନ ଜିତିଛନ୍ତି ବିଜୟ । ତେବେ ପୁଣି ଥରେ ପାଟକୁରା ବିଜୟ ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜୟ ।

ଅନ୍ୟପଟେ ପୁଣି ଥରେ ଜୟନ୍ତ ମହାନ୍ତିଙ୍କ ଉପରେ ଭରସା କରିଛି ଦିଳ । ଗତ ନିର୍ବାଚନରେ ବେଦପ୍ରକାଶ ଅଗ୍ରୱାଲଙ୍କ ଠାରୁ ପରାଜୟ ବରଣ କରିଥିଲେ ମଧ୍ୟ ପୁଣି ଥରେ ଜୟନ୍ତଙ୍କୁ ମିଳିଛି କଂଗ୍ରେସ ଟିକେଟ୍ ।