ପାଟକୁରାରେ କାହାର ପତିଆରା କେତେ? ଦେଢ ଦଶନ୍ଧି ଧରି ବିଜୟ ବାନା ଉଡାଇ ଆସୁଛି ବିଜେଡି, ଖାତା ଖୋଲିବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ? ୫୮ ବର୍ଷ ପରେ କମବ୍ୟାକ କରିବାକୁ କଂଗ୍ରେସ ପ୍ରସ୍ତୁତ

404

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି, ଏବେ କେବଳ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏସବୁ ଭିତରେ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ ଭାବେ ପରିଚିତ ପାଟକୁରାର ପଲିଟିକ୍ସକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୪ରୁ ବିଜେଡି ଏଠାରେ ଲଗାତାର ଜିତିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଆଉ ଏହାସହ ପାଟକୁରାକୁ ସବୁଜ ଗଡରେ ପରିଣତ କରିଛି ବିଜେଡି । ଡେରାବିଶ, ଗରଦପୁର ଓ ମାର୍ଶାଘାଇ ୭ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ଭୌଗଳିକ ଦୃଷ୍ଟି କୋଣରୁ ବହୁତ ବଡ ଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ବେଶ ଗୁରୁତ୍ୱ ବହନ କରି ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ମଧ୍ୟ ରାଜନୈତିକ ଜୀବନ୍ୟାସ ଦେଇଥିଲା ଏହି ପାଟକୁରା ନିର୍ବାଚନମଣ୍ଡଳୀ । ରାଜ୍ୟ ରାଜନୀତିର ଅନେକ ହେଭିୱେଟ ନେତାଙ୍କ ରାଜନୈତିକ କ୍ୟାରିୟରକୁ ସଜାଡିବା ଓ ବିଗାଡିବାର ସାକ୍ଷୀ ରହିଛି ଏହି ପାଟକୁରା ନିର୍ବାଚନମଣ୍ଡଳୀ ।

ଅଣକଂଗ୍ରେସ ଓ ଅଣବିଜେପି ଗଡର ଟ୍ୟାଗ ହାସଲ କରିଥିବା ପାଟକୁରାରେ ଦୀର୍ଘ ୫୮ ବର୍ଷ ହେବ ନା କଂଗ୍ରେସର ହାତ ଉଠିବାକୁ ସକ୍ଷମ ହୋଇଛି ନା କେବେ ପଦ୍ମ ଫୁଟିଛି । ସ୍ୱାଧୀନତା ପରେ ମାତ୍ର ୨ଟି ନିର୍ବାଚନରେ କଂଗ୍ରେସ ଏଠାରେ ବିଜୟୀ ହୋଇଥିବା ବେଳେ ବିଜେପି ଏଠାରେ ଆଦୌ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ । ପୂର୍ବରୁ ୧୯୮୦ ମସିହାରେ ବିଜୁ ବାବୁଙ୍କ ଠାରୁ ଯେତେବେଳେ ପୂରା ଓଡିଶା ମୁହଁ ଫେରାଇ ନେଇଥିଲା ସେତେବେଳେ ବିଜୁ ବାବୁଙ୍କ ସାଥୀରେ ଛିଡା ହୋଇଥିଲେ ପାଟକୁରାବାସୀ । ବିଜୁ ବାବୁଙ୍କ ପରେ ଏହି ଗଡ ସମ୍ଭାଳିଥିଲେ ତାଙ୍କର ପଟ୍ଟଶିଷ୍ୟ ତଥା ରାଜ୍ୟ ରାଜନୀତିର ଆଉ ଏକ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ର । ଲଗାତାର ୪ଥର ବିଜୟ ମୁକୁଟ ପିନ୍ଧିବା ପରେ ୨୦୦୦ ମସିହାରେ ତାଙ୍କ ରାଜନୈତିକ କ୍ୟାରିୟରେ କଳାବାଦଲ ଘୋଟି ଯାଇଥିଲା । ଟିକେଟ ନ ପାଇ ନିର୍ବାଚନ ଲଢିବାରୁ ବଞ୍ଚି ତ ହୋଇଥିଲେ ବିଜୟ । କିନ୍ତୁ ବିଜେଡିକୁ ବାଟ ଛାଡିନଥିଲେ । ବିଜୟଙ୍କ ସମର୍ଥନରେ ତ୍ରିଲୋଚନ ବେହେରା ଧରିଥିଲେ ପାଟକୁରା ନିର୍ବାଚନମଣ୍ଡଳୀର ମଙ୍ଗ । ତେବେ ୨୦୦୪ରେ ଅତନୁ ସବ୍ୟସାଚୀ ନାୟକ ବିଜେଡି ବିଜୟର ପୁନାଦି ଖୋଳିବା ପରେ ୨୦୦୯ ଓ ୨୦୧୪ରେ ଏଠାରେ ବିଜୟ ବାନା ଉଡାଇ ଆସୁଛନ୍ତି ବେଦପ୍ରକାଶ ଅଗ୍ରୱାଲ । କିନ୍ତୁ ୨୦୧୯ ନିର୍ବାଚନ ଜିତି ହ୍ୟାଟ୍ରିକ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ବେଦପ୍ରକାଶଙ୍କ ପାଇଁ ଚଳିତନିର୍ବାଚନ ଏତେ ସହଜ ହେବ ନାହିଁ । ବିଜେଡିରେ ଆଶାୟୀ ମାଳମାଳ ଥିବା ବେଳେ ବିରୋଧୀ ମଧ୍ୟ ଏଠାରେ ବିଜୟ ଧ୍ୱଜା ଉଡାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ରୋଚକ ସ୍ଥିତିରେ ପହଞ୍ଚିଛି ପାଟକୁରା ପଲିଟିକ୍ସ । ଖାସକରି ୨୦୧୯ ନିର୍ବାଚନରେ ବିଜେଡି ପାଇଁ ଏହି ଆସନ ଦଖଲ କରି ରଖିବା ଏତେ ସହଜ ହେବ ନାହିଁ । କାରଣ ପୁଣିଥରେ ଟିକେଟ ଆଶାରେ ଥିବା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ବୟସ ତାଙ୍କ ପାଇଁ ଚଳିତ ଥର ବୁମେରାଂ ସାବ୍ୟସ୍ତ ହୋଇପାରେ । ୮୩ ବର୍ଷ ବୟସରେ ପର୍ଦାପଣ କରିଥିବା ବେଦପ୍ରକାଶଙ୍କୁ ଚଳିତ ଥର ଟିକେଟ ମିଳିବ କି ନାହିଁ ତାହା ଏବେ ସସପେନ୍ସରେ ରହିଛି । ବୟସାଧିକ କାରଣରୁ ବେଦୁଙ୍କ ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରନ୍ତି ବିଜେଡି ସୁପ୍ରିମୋ । ଆଉ ଏହି ରେସରେ ସବୁଠୁ ଆଗରେ ରହିଛନ୍ତି ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ୱର ପରିଡା । ପ୍ରଥମତଃ ଦଳ ଯୁବ ନେତୃତ୍ୱଙ୍କ ଉପରେ ଦଳ ଗୁରୁତ୍ୱ ଦେଉଥିବାରୁ ତେଜେଶ୍ୱର ପ୍ରମୁଖ ଟିକେଟ ଦାବିଦାର ଭାବେ ଉଭା ହୋଇଛନ୍ତି । ଯୁବ ଚେହେରା ଭାବେ ତେଜେଶ୍ୱର ସ୍ଥାନୀୟ ବିଜେଡି କର୍ମୀଙ୍କର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ସାଙ୍ଗଠନିକ ଦକ୍ଷତା ତାଙ୍କୁ ଟିକେଟ ରେସରେ ଫ୍ରଣ୍ଟଫୁଟରେ ରଖିଛି । ଏହାଛଡା ଗତଥର ଟିକେଟ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ଗତ ୫ ବର୍ଷ ମଧ୍ୟରେ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଦଳୀୟ ସୁପ୍ରିମୋଙ୍କ ଗୁଡବୁକରେ ରହିଛନ୍ତି ତେଜେଶ୍ୱର ।

ଏହାବାଦ୍ ଗତ ୧୦ ତାରିଖରେ କେନ୍ଦ୍ରାପଡାରେ ହୋଇଥିବା ନବୀନଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ତେଜେଶ୍ୱରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ନବୀନଙ୍କ ସଭାରେ ଦେଖିବାକୁ ମିଳିନଥିବା ବେଳେ ତେଜେଶ୍ୱରଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଥିଲା । ମଞ୍ଚ ଉପରେ କୌଣସି ନେତାଙ୍କୁ ବସିବାକୁ ସୁଯୋଗ ମିଳିନଥିଲେ ମଧ୍ୟ ତେଜେଶ୍ୱର ମଞ୍ଚ ତଳେ ବେଶ ସକ୍ରିୟ ଥିଲେ । ଏହାଛଡା ପାଟକୁରାବାସୀ ନିଜ ଅଞ୍ଚଳର କୌଣସି ନେତାଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହୁଁଥିବାରୁ ତେଜେଶ୍ୱରଙ୍କ ଟିକେଟ ପାଇବା ସମ୍ଭାବନା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ତେବେ ତେଜେଶ୍ୱରଙ୍କ ବ୍ୟତୀତ ବିଜେଡି ଟିକେଟ ରେସରେ ରବି ସାମଲ, ଅଜୟ ରାଉତ, ଶାନ୍ତନୁ ନାୟକ ମଧ୍ୟ ରହିଛନ୍ତି । ତେବେ ବିଜେଡି ସୁପ୍ରିମୋ ଗଡ ରକ୍ଷା ପାଇଁ କାହା ଉପରେ ଭରସା କରିବେ ତାହା ସବୁଠୁ ବଡ ପ୍ରଶ୍ନ ।

ବିଜେପି ମଧ୍ୟ ପାଟକୁରାରେ ପ୍ରଥମ ଥର ପଦ୍ମ ଫୁଟାଇବା ପ୍ରୟାସ ଆରମ୍ଭ କରିଛି । ଏହା ମଧ୍ୟରେ ୨୦୦୪ରେ ବେଦୁଙ୍କୁ କେନ୍ଦ୍ରାପଡାରେ ମାତ୍ ଦେଇଥିବା ଉତ୍କଳ କେଶରୀ ପରିଡା ବିଜେପିରେ ଯୋଗ ଦେଇଛନ୍ତି । ଯାହା ଦଳ ପାଇଁ ବଡ ବ୍ରହ୍ମାସ୍ତ୍ର ଭଳି କାମ କରିବ । ଉତ୍କଳ ପାଟକୁରାରୁ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଥିବା ବେଳେ ବିଜେଡିକୁ କଡା ଚ୍ୟାଲେଞ୍ଜ ଦେବେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ଉମାକାନ୍ତ ପଟ୍ଟନାୟକ ମଧ୍ୟ ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି । ଯେହେତୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ବିଜେଡିକୁ କଡା ଟକ୍କର ଦେବା ସହ ୭ଟି ଜିଲ୍ଲା ପରିଷଦ ଆସନରୁ ୩ଟି ଆସନ ହାତେଇ ନେଇଥିଲା ତେଣୁ ୨୦୧୯ ନିର୍ବାଚନରେ କଡା ମୁକାବିଲା କରିବାକୁ ଗେରୁଆ କ୍ୟାମ୍ପ ପ୍ରସ୍ତୁତ ହେଉଛି ।

ଅନ୍ୟପଟେ କଂଗ୍ରେସ ଏଠାରେ ସାଙ୍ଗଠନିକ ଭାବେ ଦୁର୍ବଳ ହୋଇପଡିଥିଲେ ମଧ୍ୟ ନିର୍ବାଚନ ଫଳାଫଳକୁ ଯେ କୌଣସି ମୁହୂର୍ତ୍ତରେ ଓଲଟପାଲଟ କରି ପାରିବା ଭଳି ଦକ୍ଷତା ରଖିଛି । କଂଗ୍ରେସର ଏଠାରେ ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ଏହାକୁ ଅସ୍ତ୍ର କରି ଦଳ ମୈଦାନକୁ ଓହ୍ଲାଇବ । କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତି ଓ ଚିନ୍ମୟ ବେଉରାଙ୍କ ନାଁ ଦିଲ୍ଲୀ ଦପ୍ତରକୁ ପଠାଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ କାହା ହାତରେ ପାଟକୁରା ଦାୟିତ୍ୱ ଦେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏପ୍ରିଲ ୨୯ ତାରିଖରେ ଏହି ଆସନରେ ଭୋଟିଂ ହେବାକୁ ଥିବା ବେଳେ ଜନତା କାହାକୁ ଭରସା କରି ଭୋଟ ଦେବେ ଓ ମେ’ ୨୩ରେ କାହାର ପାୱାର ସୋ’ ଦେଖିବାକୁ ମିଳିବ ତାହା ଦେଖିବା ବାକି ରହିଲା ।