ବଢୁଛି ପାଟକୁରା ପାରଦ ! ଭୋଟ୍ ପୂର୍ବରୁ ଗ୍ରାଉଣ୍ଡରେ ଚାଲିଛି ଘମାଘୋଟ୍ ପ୍ରଚାର, ଗାଁ ଡେରା ପକାଇଛନ୍ତି ନେତା ।

ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଏହି ଆସନରୁ ବିଜେଡି ଟିକେଟରେ ମୈଦାନରେ ଅଛନ୍ତି ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ।

440

କନକ ବ୍ୟୁରୋ: ୧୯ ଯୁଦ୍ଧ ପରେ ଫୋକସରେ ରହିଥିବା ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖଉଛି, ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । ବିଶେଷକରି ବିଜେଡି ଓ ବିଜେପି ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଏହି ଆସନରୁ ବିଜେଡି ଟିକେଟରେ ମୈଦାନରେ ଅଛନ୍ତି ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ଆଉ ସାବିତ୍ରୀଙ୍କ ଟକ୍କର ହେଉଛନ୍ତି ହେଭିୱେଟ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହିତ । ଏହି ଆସନରେ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଳ, ବଳ କୌଶଳ ସବୁ ଲଗାଇଦେଇଛି ବିଜେଡି । ଡେରା ପକାଇଛନ୍ତି ମନ୍ତ୍ରୀ, ବିଧାୟକ । ସେପଟେ ବିଜେପି ମଧ୍ୟ ହେଭିୱେଟଙ୍କୁ ନେଇ ଜୋରଦାର କରିଛି ପ୍ରଚାର ।

୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ ସରକାର କରିଛି ବିଜେଡି । ଆଉ କ୍ଷମତା ଅକ୍ତିଆର କରିବା ପରେ ଏବେ ପାଟକୁରା ନିର୍ବାଚନ ଜିତିବା ବିଜେଡି ପାଇଁ ହୋଇଛି ସମ୍ମାନର ପ୍ରଶ୍ନ । ଯେକୌଣସି ପରିସ୍ଥିତିରେ ବି ଏହି ଆସନକୁ କବଜା କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ ।

ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ବିଜେଡି ଖେଳିଛି ସିମ୍ପାଥି କାର୍ଡ । ସଭାସମିତିରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ମାଗୁଛନ୍ତି ମନ୍ତ୍ରୀ ଓ ବିଧାୟକ । ବିଜେଡିର ତୁଙ୍ଗ ମନ୍ତ୍ରୀ ଓ ବିଧାୟକମାନେ ଡେରା ପକାଇଛନ୍ତି ପାଟକୁରାରେ । ବିଜେଡିର ଗଡ ତଥା ବେଦପ୍ରକାଶଙ୍କ ଗଡ କୁହାଯାଉଥିବା ପାଟକୁରାରେ ବିଜେଡି ପୁଣିଥରେ ବାଜିମାତ କରିବ ବୋଲି ଆଶା ବାନ୍ଧିଛନ୍ତି ତାଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ବିଜୁ ବାବୁ ତଥା ବିଜେଡିର ଏହି ଆସନରେ ପୁଣି ଥରେ ବିଜେଡି ଜିତିବ ବୋଲି କହିଛନ୍ତି ମନ୍ତ୍ରୀ ବିଧାୟକ ।

ଷ୍ଟଲୱାର୍ଟ ନେତା ବିଜୟ ମହାପାତ୍ରଙ୍କ ସହିତ ବିଜେଡି ପ୍ରାର୍ଥୀଙ୍କ ଲଢେଇ ହେଉଥିବାରୁ ବେଶ ଗୁରୁତ୍ୱ ବଢିଯାଇଛି ପାଟକୁରା ନିର୍ବାଚନର । କେନ୍ଦ୍ରରେ ବିପୁଳ ସଂଖ୍ୟାରେ ଆସନ ଅକ୍ତିଆର କରି ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାକୁ ମାଧ୍ୟମ କରି ବିଜୟ ମଧ୍ୟ ଟକ୍କର ଦେବାକୁ ପୁରା ଦମରେ ଲାଗି ପଡିଛନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିଜୟଙ୍କ ପାଇଁ ପ୍ରଚାର କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାକୁ ହାଲକା ଭାବେ ନେଇଛି ବିଜେଡି । ବିଜୁ ବାବୁଙ୍କ ଠାରୁ ଯିଏ ଦୁରେଇଛି ପାଟକୁରାବାସୀ ତାକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ବିଜୟଙ୍କ ଆଡକୁ ଇଙ୍ଗିତ କରି କହିଛି ବିଜେଡି । ଏବେ ଆରମ୍ଭ ହୋଇଯାଇଛି କାଉଁଟଡାଉନ । ଅପେକ୍ଷା କେବେ ଘୋଷଣା ହେଉଛି ପାଟକୁରା ନିର୍ବାଚନ ତାରିଖ । ଆଉ ଭୋଟରଙ୍କୁ ମନେଇବା ପାଇଁ ଆଉ କି ରଣନୀତି ପ୍ରସ୍ତୁତ କରୁଛନ୍ତି ନେତା ।