କୋଡି଼ଏ ପୂର୍ବରୁ କାୟା ମେଲାଉଛି ‘ପ୍ରଚାର ପବନ’ ! ହାତରୁ ଭୋଟର ଖସିଯିବା ଭୟରେ ଛକ ଛକରେ କ୍ୟାମ୍ପ ପକାଇଛନ୍ତି ପଣପଣ ନେତା ?

219

କନକ ବ୍ୟୁରୋ: ପାଞ୍ଚ ଦିନ ପରେ ‘ପାଟକୁରା’ ପେପର । ୧୯ ପାହିଲେ ୨୦ରେ ପଡିବ ପାଟକୁରା ପାଇଁ ଭୋଟ । ୨୦ ତାରିଖରେ ‘ପାଟକୁରା ପରୀକ୍ଷା’ ଥିବାରୁ ପ୍ରାର୍ଥୀଙ୍କ ସହ ନେତାଙ୍କୁ ଆସୁନି ନିଦ । ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ପଞ୍ଚାୟତ ଦାୟିତ୍ୱରେ ଥିବା ନେତାଙ୍କ ଆଖିକୁ ନିଦ ଆସୁନି । କେମିତି ହେବ ପରୀକ୍ଷା, କେମିତି କରାଯିବ ପ୍ରସ୍ତୁତି ଆଉ ପରୀକ୍ଷାରେ ପାସ୍ କରିବାକୁ କଣ କଣ ଉପାୟ ଅବଲମ୍ବନ କରାଯିବ । ଏ ସମସ୍ତ କଥାକୁ ନେଇ ପ୍ରାର୍ଥୀ ଓ ନେତାଙ୍କ ଛାତିରେ ଛନକା ପଶିଛି ।


୨୦ ପୂର୍ବରୁ ସରଗରମ ହୋଇଛି ପାଟକୁରା ପ୍ରଚାର ମଇଦାନ । ଭୋଟ ପୂର୍ବରୁ ପାଟକୁରାରେ ସବୁ ଦଳର ହେଭିୱେଟମାନେ ଡେରା ପକାଇଥିବା ବେଳେ ଏବେ ପ୍ରତିଦିନ ବଡ ବଡ ନେତାଙ୍କ ଭିଡ ଜମୁଛି । ନିଜ ନିଜ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁ ନେତା ମାରାଥନ ପ୍ରଚାର କରୁଛନ୍ତି ଆଉ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି ।
ତେବେ ପାଟକୁରାରେ ପ୍ରଚାର ପ୍ରଖର ହୋଇଥିବା ବେଳେ ଆଜି ଘମାଘୋଟ ପ୍ରଚାର କରିଛି ବିଜେପି । ବିଜୟ ମହାପାତ୍ରଙ୍କ ପାଇଁ ଖୋଦ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ପ୍ରାୟ ୨୦ଟି ସ୍ଥାନରେ ତାଙ୍କର ପ୍ରଚାର ସଭା ଓ ରାଲି ଚଳାଇଛନ୍ତି । ତେବେ ସ୍ୱାଭିମାନ ଓ ବିକାଶର ଏହି ଲଢେଇରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜୟୀ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗୋଟିଏ ଅନ୍ତସ୍ରୋତ ଆମ ଦଳ ସପକ୍ଷରେ ରହିଛି । ୨୦ ବର୍ଷ ହେବ ବିଜୟ ବାବୁଙ୍କୁ ବିଧାନସଭାକୁ ଯିବାକୁ ବାଧା ଦିଆଯାଇଛି । ହେଲେ ଏଥର ଆମର ପୂରା ବିଶ୍ୱାସ କି ପାଟକୁରାବାସୀ ଆମକୁ ସମର୍ଥନ କରିବେ ।


ଅନ୍ୟପଟେ ବିଜେଡି ମଧ୍ୟ ଗତ କିଛି ଦିନ ହେବ ପାଟକୁରାରେ କ୍ୟାମ୍ପ ପକାଇ ରହିଛି । ଆଉ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାରକୁ ଜୋରଦାର ବି କରିଛି । ପ୍ରତାପ ଦେବ, ଦେବୀ ମିଶ୍ରଙ୍କ ଭଳି ବଡ ବଡ ନେତା ବିଜେଡି ପ୍ରଚାରକୁ ଖୀପ୍ର କରିଛନ୍ତି । ପୂରା ବିଜେଡି ପାଟକୁରାରେ ପ୍ରଚାର କରୁଥିବା ବେଳେ ଆସନ୍ତା ୧୭ ତାରିଖରେ ଦଳର ସୁପ୍ରିମୋ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ । ତେବେ ବିଜେପି ଠାରୁ ଆମେ ବଡ ବ୍ୟବଧାନରେ ଜିତିବୁ ବୋଲି ବିଜେଡି କହିଥିବା ବେଳେ ବିଜେପିର କଥା ବେଶି, କାମ କମ୍ କହି କଟାକ୍ଷ କରିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ।
ସେପଟେ ବାହୁଡା ପର ଠାରୁ ପ୍ରଚାରକୁ ଓହ୍ଲାଇଥିବା କଂଗ୍ରେସ ବିଜେଡି-ବିଜେପିର ପ୍ରଚାର ଦେଖି କଟାକ୍ଷ କରିଛି । ବିଜେଡି-ବିଜେପିର ବଡ ବଡ ପ୍ରଚାର ଓ ନେତାଙ୍କ ଡେରାପକାକୁ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ପ୍ରତି ପଞ୍ଚାୟତରେ ଉଭୟ ଦଳର ହାଉଜାଉ ନେତାଙ୍କୁ ଦେଖି ଲୋକେ ସନ୍ଦେହରେ ପଡିଲେଣି । ବାହୁବଳ, ଅର୍ଥ ବଳର ପ୍ରୟୋଗ ଚାଲିଛି । ତେଣୁ ୨ ଦଳକୁ ନେଇ ଦ୍ୱନ୍ଦ୍ୱରେ ଥିବା ଲୋକେ ଆମକୁ ହିଁ ସମର୍ଥନ କରିବେ ବୋଲି ନିରଞ୍ଜନ କହଛନ୍ତି । ତେବେ ପାଟକୁରାକୁ ଅଧିକ ଫୋକସ କରୁଥିବା ୩ ଦଳ ମଧ୍ୟରୁ ଜନତା କାହାକୁ ଜିତାଇବେ ତାହା ରେଜଲ୍ଟରେ ପ୍ରତିଫଳିତ ହେବ ।