ପାଟକୁରା ରାଜନୀତି : ବିଜୟଙ୍କ ରୋଡ଼ ସୋ’ ବନାମ ସାବିତ୍ରୀଙ୍କ ଦୋଳିଖେଳ, ବାଜି ମାରିବ କିଏ ?

466

କନକ ବ୍ୟୁରୋ : ପାଟକୁରା ବିଜୟ ପାଇଁ ପ୍ରାର୍ଥୀ ପ୍ରସ୍ତୁତ । କେନ୍ଦ୍ରପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ହେବ ହେଭିୱେଟ ଲଢେଇ । ଏବେସୁଦ୍ଧା ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳ ଗୁଡ଼ିକ ପାଟକୁରା ବିଜୟ ପାଇଁ ମିଶନ୍ ଆରମ୍ଭ କରିସାରିଛନ୍ତି । ବିଜେଡି ବେଦ ପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ଉପରେ ଭରସା କରିଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିର ମଙ୍ଗ ଧରିଛନ୍ତି । ପାଟକୁରା ଅକ୍ତିଆର କିରବା ପାଇଁ ଉଭୟ ବିଜେପି ଓ ବିଜେଡ଼ି ପ୍ରଚାର ଆରମ୍ଭ କରିଦେଲେଣି । ଲୋକଙ୍କ ମନ ଜିଣିବା ପାଇଁ ଚାଲିଛି ଜୋରଦାର କସରତ୍ । ସବୁଦଳ ନିଜ ନିଜ ରଣକୌଶଳ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପାଟକୁରା ହାସଲ କରିବା ପାଇଁ ଗତକାଲି ଏକ ରୋଡ଼ସୋ’ କରିଥିଲେ । ଗତକାଲି ରଜ ଅବସରରେ ଡେରାବିଶ ବ୍ଲକ ଅନ୍ତର୍ଗତ ୧୪ ନଂ ଜୋନ ଚାନ୍ଦୋଳ ବଜାର ଠାରୁ ବିଜେପି ପକ୍ଷରୁ ଏକ ବିଶାଳ ରୋଡ ସୋ’ ଅନୁଷ୍ଠିତ ହୋଇଥିଲା । ରୋଡ ସୋ’ରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ପଂଚାୟତ ପରିକ୍ରମା କରିବା ପରେ ସନ୍ଧ୍ୟାରେ ଗରଦପୁର ବ୍ଲକ ଅଂଚଳକୁ ଗସ୍ତ କରିଥିଲେ । ଏହି ଅବସରରେ ଜୋନ୍ ଅନ୍ତର୍ଗତ ଦାନପୁର ପଂଚାୟତ ଖରିଦାସାହି, ଦୋହଳି, ଦାନପୁର, ପାଣିଓଳା ବଜାର, ଯଅଁରାବାରିମୂଳ, ଅର୍ତାମୂଳ, ଭୋଳହାଟ, ଇନ୍ଦାଳୋ ଆଦି ସ୍ଥାନରେ ଅନୁଷ୍ଠିତ ପ୍ରଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ । ଏହି ପଥପ୍ରାନ୍ତ ସଭାରେ ବିଜେପି ପ୍ରାର୍ଥୀ ବିଜୟ ପାଟକୁରାର ସ୍ବାଭିମାନ ପାଇଁ ତାଙ୍କ ସଂଗ୍ରାମ ଅବ୍ୟାହତ ରଖିବାପାଇଁ ସେ ସଂକଳ୍ପବଦ୍ଧ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ତେବେ ବିଜୟ ମହାପାତ୍ରଙ୍କୁ କଡ଼ା ଟକ୍କର ଦେଇ ମୈଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡ଼ି ମଙ୍ଗ ଧରାଇଥିଲେ ବିଜେଡ଼ି ସୁପ୍ରିମୋ । ସାବିତ୍ରୀଙ୍କ ଉପରେ ଭରସା କରି ଗଡ଼ ରକ୍ଷା କରିବା ପାଇଁ ବିଜେଡ଼ି । ରଜରେ ଲୋକଙ୍କ ନିକଟତର ହେବପାଇଁ ଚେଷ୍ଟାକରିଛନ୍ତି ସାବିତ୍ରୀ । ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରବା ପାଇଁ ଓଡ଼ିଶାର ଗଣପର୍ବ ରଜ ଏକ ଉତ୍ତମ ଅବସର । ରଜରେ ପିଲାଠାରୁ ବୁଢ଼ାଯାଏ ସମସ୍ତେ ଉପସ୍ଥିତ ରହିବା ସହ ଏକତ୍ରିତ ହୋଇଥାଆନ୍ତି । ଆଉ ଏହାର ସୁଯୋଗ ନେଇ ଲୋକଙ୍କ ଗହଣରେ ଦୋଳି ଖେଳିଛନ୍ତି ସାବିତ୍ରୀ ଅଗ୍ରୱାଲ । ଲୋକଙ୍କ ସହ ମିଶିବା ସହ ବେଶ ଧୁମଧାମରେ ରଜପର୍ବ ପାଳନ କରିଛନ୍ତି ।

ସୂଚନାଯୋଗ୍ୟ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ’ ୨୯ ତାରିଖରେ ପାଟକୁରାର ନିର୍ବାଚନ ହେବାର ଥିଲା । ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ମେ’ ୧୯ ତାରିଖ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିଲା । ପରେ ପୁଣି ଫନି ଯୋଗୁ ନିର୍ବାଚନ କମିସନ୍ ଦୁଇ ମାସ ପର‌୍ୟ୍ୟନ୍ତ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ ।