ପାଟକୁରା ବିଧାନସଭା ପାଇଁ ଚାଲିଛି ମତଦାନ : ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ

87

କନକ ବ୍ୟୁରୋ : ପାଟକୁରାରେ ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ଏହି ସୂଚନା ଦିଆଯାଇଛି । ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବର୍ଷା ସତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ବର୍ଷାରେ ଭିଜି ଭୋଟର ଭୋଟ୍ ଦେବାକୁ ପୁଲିଂ ବୁଥକୁ ଆସୁଥିବା ଦେଖିବାକୁ ମିଳିଛି । କାଁ ଭାଁ କେତେକ ସ୍ଥାନରେ ଯାନ୍ତ୍ରିକ ତ୍ରୁଟିରୁ ଇଭିଏମ୍ ଅଚଳ ଥିବା ଜଣାପଡିଥିଲା । ଏହାକୁ ସୁଧାରିବା ପରେ ବିଳମ୍ୱରେ କେତେକ ବୁଥରେ ମତଦାନ ଆରମ୍ଭ ହୋଇଛି ।

ତେବେ ବୁଥ ଗୁଡିକରେ ଭୋଟରଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଖାସ୍ କରି ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ୱ ହୋଇଥିଲା । ପାଟକୁରାର ୨୮୬ ଓ ୨୯୭ ନଂବର ବୁଥରେ ଇଭିଏମ୍ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ମତଦାନ ପାଇଁ ଭୋଟରଙ୍କ ଲଂବା ଲାଇନ୍ ଦେଖିବାକୁ ମିଳିଛି ବୁଥ୍ ଗୁଡିକରେ ।

ପାଟକୁରା ନିର୍ବାଚନମଣ୍ଡଳିର ଭୋଟର ୩୦୯ ଟି ବୁଥରେ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ ଲକ୍ଷ ୪୪ହଜାର ୭୪୭ ଭୋଟରା । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ ହୋଇଛନ୍ତିି । ଏଥର ପାଟକୁରା ମୈଦାନରେ ଅଛନ୍ତି ୧୦ଜଣ ପ୍ରାର୍ଥୀ । ହେଲେ କଡା ଟକ୍କର ଦେଖିବାକୁ ମିଳିବ ବିଜେଡିର ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ । କଂଗ୍ରେସର ଜୟନ୍ତ ମହାନ୍ତି ମଧ୍ୟ ଏଥର ଭାଗ୍ୟ ପରୀକ୍ଷା କରୁଛନ୍ତି ।