ପବନ ବିନା ନୀଳଚକ୍ରରୁ ଉଡିଗଲା ପତିତପାବନ ବାନା ! ନୀତିକାନ୍ତିରେ ହେଲା ବିଳମ୍ବ

149

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଥିବା ୧୪ ହାତିଆ ପତିତପାବନ ବାନା ଉଡିଯାଇଛି । ବାନା ଉଡିଯିବା ପରେ ଖାଲି ଦେଖା ଯାଉଛି ନୀଳଚକ୍ର । ତେବେ ପତିତପାବନ ବାନ ଉଡିଯିବା ଏକ ଅଶୁଭ ସଙ୍କେତ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
କଥାରେ ଅଛି ନୀଳ ଚକ୍ରେ ବାନା ନାଲିଆ ବନ୍ଧୂ ଦେଖ ତାକୁ । ଅର୍ଥାତ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଦେଖିଥାନ୍ତି । ଏହି ପତିତପାବନ ବାନା ହିଁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କୁ ବାଟ ଦେଖାଇଥାଏ । ତେବେ ନୀଳଚକ୍ରରୁ ଆଜି ବାନା ଉଡି ଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ସବୁଠୁ ବଡ କଥା ହେଲା, ନୀଳଚକ୍ରରୁ ପତିିତପାବନ ବାନା ଉଡିଯିବା ଏକ ଅଶୁଭ ସୂଚନା ବୋଲି ବରିଷ୍ଠ ଲୋକ କହିଛନ୍ତି । ନୀଳଚକ୍ରରୁ ପତିତପାବନ ବାନା ଉଡିଯିବା ପରେ ତିନି ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ଦେଖାଦେଇଛି । କାରଣ ମନ୍ଦିର ଉପରୁ ବାନା ଉଡିଗଲେ ଶ୍ରୀଜିଉ ପାଖରେ କୌଣସି ଭୋଗ ଲାଗି ହୋଇନଥାଏ । ତେବେ ପବନ କିମ୍ବା ବର୍ଷା ବିନା ନୀଳଚକ୍ରରୁ ପତିତପାବନ ବାନା ଉଡିଯିବାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏହା କୌଣସି ଏକ ବଡ ଅଘଟଣର ସୂଚନା ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ପତିତପାବନ ବାନ ଉଡିଯିବା ପରେ ନୂଆ ବାନା ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

କିଛିଦିନ ପୂର୍ବେ ଶ୍ରୀମନ୍ଦିରକୁ ନେଇ ଚର୍ଚ୍ଚା ହୋଇଥିଲା, ତିନି ଠାକୁରଙ୍କ ପାଖରେ ଲାଗି ହେଉଥିବା ଅବଢ଼ା ଓ ଦୀପରେ ବ୍ୟବହାର ହେଉଥିବା ଅଶୁଦ୍ଧ ଘିଅକୁ ନେଇ ବିବାଦ ଉଠିଥିଲା । ଏପରିକି ଜଗା ପୋକରା ଚାଉଳରେ ତିଆରି ହେଉଥିବା ଅବଢ଼ା ଖାଇବାକୁ ଦିଆ ଯାଉଥିଲା ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ଶ୍ରୀମନ୍ଦିରରେ ଅଶୁଦ୍ଧ ଘିଅର ବ୍ୟବହାର ଉପରେ ମନ୍ଦିର ପ୍ରଶାସନ କଟକଣା ଲଗାଇଥିଲା । କିନ୍ତୁ କିଛି ତା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ କିଛି ସ୍ୱାର୍ଥନ୍ୟସ୍ତ ବ୍ୟକ୍ତି ।

ପୂର୍ବରୁ ଅପମିଶ୍ରଣ ସମସ୍ୟାକୁ ଦୂରେଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରିକରିଥିଲା, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ୍ ଷ୍ଟଲ ବି ଖୋଲିଥିଲା । ନିର୍ଦ୍ଦେଶ ଥିଲା ଚଳିତମାସ ଆରମ୍ଭରୁ ଦୀପଠୁ ଆରମ୍ଭ କରି ମହାପ୍ରସାଦ ଯାଏଁ ସବୁଠି ବ୍ୟବହାର ହେବ ଶୁଦ୍ଧ ଘିଅ । ହେଲେ ମନ୍ଦିର ପ୍ରଶାସନର କଥାକୁ ଏ କାନରେ ପୂରାଇ ସେ କାନରେ ବାହାର କରିଦେଲେ । ପ୍ରଶାସନର କଟକଣା ପରେ ମଧ୍ୟ ନିମ୍ନ ମାନର ଘିଅ ବ୍ୟବହାର ହେଉଛି ଓଡ଼ିଆଙ୍କ ଆଦ୍ୟଠାକୁରଙ୍କ ନିକଟରେ । ଗୋଲ୍ଡ ପ୍ଲସ, ଗୋକୁଳ, ଆଦ୍ୟା ଭଳି ବ୍ରାଣ୍ଡର ଘିଅ ଯାଉଛି ଶ୍ରୀମନ୍ଦିରକୁ । ଏମିତିକି କିଛି ଘିଅ ଟିଣରେ ନାଁ ବି ନାହିଁ । ଆଉ ଟିଣ ଖୋଲି ଦେଲା ବେଳକୁ ଅପମିଶ୍ରିତ ଘିଅ । ଯାହା ହାତରେ ଧରିଲେ ପୁରା ଚିକିଟା ।

ଆଉ ଏଭଳି ଅପମିଶ୍ରିତ ଘିଅ, ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଉଛି । ପୁରୀ ସହରର ବିଭିନ୍ନ ଗୋଦାମରୁ ଯାଉଥିବା ଏହି ଘିଅ, ନିମ୍ନମାନର ହୋଇଥିବା ଖୋଦ୍ ଗୋଦାମର ମାଲିକ ସ୍ୱୀକାର କରୁଛନ୍ତି । ଆଉ ଓମଫେଡ ଘିଅ ଆସିନଥିବାରୁ ଏଭଳି ରଥ, ଆଦ୍ୟା ଓ ଗୋକୁଳ ବ୍ରାଣ୍ଡର ଘିଅ ମନ୍ଦିରରେ ଲାଗୁଥିବା କହିଛନ୍ତି । ଶ୍ରୀମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ଉପରେ ହୋଇଥିବା ଘଟକଣାକୁ ଦୀପ ଦୋକାନୀମାନେ ଗ୍ରହଣ କରିଥିବା ବେଳେ ମହାପ୍ରସାଦରେ ବ୍ୟବହାର ହେଉଥିବା ଘିଅ ଉପରେ କୌଣସି କଟକଣା ଏଯାଏଁ ପ୍ରଭାବ ପକାଇ ପାରିନି ।

କେବଳ ଏତିକିରେ କଥା ସରିନି ଅଶୁଦ୍ଧ ଘିଅ ଘଟଣା ସାମ୍ନାକୁ ଆସିବା ପରେ ଆଉ ଏକ ଆଶ୍ଚଯ୍ୟ କଲାଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏବେ ତିନି ଠାକୁରଙ୍କ ପାଖରେ ପୋକରା ଚାଉଳରେ ତିଆରି ହୋଇଥିବା ଅବଢ଼ା ଲାଗି ହେଉଛି । ଏହି ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ।