ଚିକିତ୍ସା ବିଜ୍ଞାନର ଚମତ୍କାର ଚିତ୍ର ! ବ୍ରେନ ସର୍ଜରୀ ଚାଲିଥିବାବେଳେ ରୋଗୀ ପଢ଼ିଲେ ହନୁମାନ ଚାଳିଶା, ଭାଇରାଲ ହେଲା ଭିଡିଓ ।

335

କନକ ବ୍ୟୁରୋ : ବ୍ରେନ୍ ସର୍ଜରି ଚାଲିଥିବା ବେଳେ ରୋଗୀଙ୍କ ହନୁମାନ ଚାଳିଶା ପାଠ  । ଚକିତ କଲାଭଳି ଏଭଳି ଘଟଣା ଘଟିଛି ରାଜସ୍ଥାନ ଜୟପୁରର ନାରାୟଣ ହସ୍ପିଟାଲରେ  । ଏହି ଅପରେସନ୍ ନଭେମ୍ବର ୧୪ ତାରିଖରେ ହୋଇଥିଲା, ତେବେ ନିକଟରେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି  ।

ଚିକିତ୍ସା ବିଜ୍ଞାନର ଚମତ୍କାର ଚିତ୍ର । ଅପରେସନ୍ ଟେବୁଲରେ ହନୁମାନ ଚାଳିଶା । ବେଡ୍ ଉପରେ ଚାଲିଥିଲା ରୋଗୀଙ୍କ ବ୍ରେନ୍ ସର୍ଜରୀ  । ଏପଟେ ହନୁମାନ ଚାଳିଶା ପାଠ କରୁଥିଲେ ପେସେଂଟ୍ । ୩ ଘଂଟା ଧରି ଅସ୍ତ୍ରୋପଚାର ଚାଲିଲା । ଆଉ ୩ ଘଂଟା ଧରି ଏଭଳି ଭାବେ ହନୁମାନ ଚାଳିଶା ଗାଉଥିଲେ ରୋଗୀ ଜଣକ । କାହିଁକି ନା ଡାକ୍ତର କହିଥିଲେ, ଅପରେସନ୍ ସମୟରେ ପେସେଂଟକୁ କଥାବାର୍ତା ଜାରି ରଖିବାକୁ ହେବ । ଚିକିତ୍ସା ବିଜ୍ଞାନରେ ଆଶ୍ଚର୍ଯ୍ୟ କଲା ଭଳି ଏଭଳି ଅପରେସନ ସମ୍ଭବ ହୋଇଛି ।

ସଫଳ ହେଲା ଅପରେସନ୍ । ଦେଢ ମାସ ପରେ ଆସିଲା ଭିଡିଓ । ପ୍ରାୟ ଦେଢ ମାସ ତଳେ ଏହି ଅପରେସନ୍ ହୋଇଛି, ଜୟପୁରର ନାରାୟଣ ହସ୍ପିଟାଲରେ । ବିକାନେରର ୩୦ ବର୍ଷିୟ ଆକାଉଂଟାଂଟ୍ ବ୍ରେନ୍ ଟ୍ୟୁମରର ଶିକାର ହୋଇଥିଲେ । ଡାକ୍ତର ତାଙ୍କ ବ୍ରେନ୍ ସର୍ଜରୀ କରିବାକୁ କହିଥିଲେ । ତେବେ ପେସେଂଟକୁ କହିଥିଲେ, ପୁରା ୩ ଘଂଟାର ଅପରେସନ୍ ବେଳେ ରୋଗୀ ଜଣକ କଥାବାର୍ତା କରିବାକୁ ପଡିବ । ତେବେ ରୋଗୀ ଜଣକ କହିଥିଲେ, ସେ କଥାବାର୍ତା କରିପାରିବେନି ବରଂ ହନୁମାନ ଚାଳିଶା ଗାଇବେ ।

ଚିକିତ୍ସା ବିଜ୍ଞାନରେ ଏହାକୁ ଅୱେକ୍ କ୍ରେନୋଟମି କୁହାଯାଏ । ଯେଉଁଥିରେ, ରୋଗୀଙ୍କୁ ପୁରା ଅଚେତ କରାନଯାଇ କେବଳ ଅପରେସନ୍ ସ୍ଥାନରେ ନିଶ୍ଚେତକ ଦିଆଯାଇଥାଏ । ତେବେ ଏଭଳି ଚିକିତ୍ସା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଆନନ୍ଦ ବି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।