ଗୁଜରାଟରେ ବିଜେପିକୁ ଝଟକା ! ୧୫ ଦିନ ତଳେ ଦଳରେ ସାମିଲ ପଟିଦାର ନେତାଙ୍କ ଇସ୍ତଫା

35

କନକ ବ୍ୟୁରୋ : ଗୁଜରାଟରେ ନରେନ୍ଦ୍ର ପଟେଲଙ୍କ ୧ କୋଟି ଲାଂଚ ଅଭିଯୋଗ ପରେ ଆଜି ଗୁଜରାଟରେ ବିଜେପିକୁ ଆଉ ଏକ ଝଟକା ଲାଗିଛି । ସାମିଲ ହେବାର ଠିକ ୧୫ ଦିନ ପରେ ବିଜେପିରୁ ଇସ୍ତଫା ଦେଇଛନ୍ତି ପଟିଦାର ନେତା ନିଖିଲ ସବାନୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି—ହାର୍ଦିକ ପଟେଲଙ୍କ ସହ ତାଙ୍କ ମତଭେଦ ଥାଇପାରେ କିନ୍ତୁ ମନଭେଦ ନାହିଁ । ସେ ସବୁବେଳେ ପଟିଦାରଙ୍କ ପାଇଁ କାମ କରିଆସିଛନ୍ତି । ପଟିଦାରଙ୍କ ପାଇଁ ସେ ବିଜେପିରେ ସାମିଲ ହୋଇଥିଲେ ।

କିନ୍ତୁ ଏବେ ପଟିଦାରଙ୍କ ପାଇଁ ବିଜେପି ଭୋଟବ୍ୟାଙ୍କ ରାଜନୀତି କରୁଛି । ତେଣୁ ମୁଁ ବିଜେପିରୁ ଇସ୍ତଫା ଦେଉଛି । ନିଖିଲ କହିଛନ୍ତି-ପଟିଦାରଙ୍କୁ କିଣିବା ପାଇଁ ଉଦ୍ୟମ କରୁଛି ବିଜେପି । ମୁଁ ଯେଉଁ ପ୍ରସଙ୍ଗରେ ବିଜେପିରେ ସାମିଲ ହୋଇଥିଲି ତାକୁ ଗୁରୁତ୍ୱ ଦିଆଯାଉନାହିଁ । ପଟିଦାରଙ୍କ ସମସ୍ୟା ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଯିବ । ଏଥିପାଇଁ କଂଗ୍ରେସ ଉପସଭାପତିଙ୍କୁ ସମୟ ମଗାଯାଇଛି ବୋଲି କହିଛନ୍ତି ନିଖିଲ ।