ହାତ ଧରିଲେ ହାର୍ଦ୍ଦିକ ପଟେଲ୍ ! କଂଗ୍ରେସ ଅଧ୍ୟକ୍ଷଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଲେ ପଟିଦାର ନେତା

164

କନକ ବ୍ୟୁରୋ : ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ମଙ୍ଗଳବାର କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାର୍ଦ୍ଦିକଙ୍କୁ ସ୍ୱାଗତ କରିଛନ୍ତି । ଗୁଜୁରାଟର ରାଜଧାନୀ ଗାନ୍ଧୀନଗର ଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକରେ ହାର୍ଦ୍ଦିକ କଂଗ୍ରେସରେ ଯୋଗଦେଇଛନ୍ତି । ବୈଠକରେ କଂଗ୍ରେସର ଉତ୍ତରପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।

କଂଗ୍ରେସର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି, ହାର୍ଦ୍ଦିକ ପଟେଲ ପଶ୍ଚିମ ଗୁଜୁରାଟର ଜାମନଗର ଲୋକସଭା ଆସନରୁ ଆଗାମୀ ନିର୍ବାଚନରେ ଲଢ଼ିବେ । ଏହି ଅଂଚଳରେ ୨୦୧୫-୧୬ରେ ପାଟିଦାର ଆନ୍ଦୋଳନ ଅଧିକ ସକ୍ରିୟ ହୋଇଥିଲା । କଂଗ୍ରେସରେ ଯୋଗଦେବା ପରେ ହାର୍ଦ୍ଦିକ କହିଛନ୍ତି, ଆମେ ଚୋରଙ୍କ ବିରୋଧରେ ନିର୍ବାଚନ ଲଢ଼ିବୁ ।

ପଟେଲ ନିଜେ ଘୋଷଣା କରିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ସେ ଜାମନଗର ଆସନରୁ ଲଢ଼ିବେ । ଦଳର ନିର୍ଦ୍ଦେଶ ଅନୁଯାୟୀ କାମ କରିବି । ଦେଶର ୧୨୫ କୋଟି ଜନତାଙ୍କ ସେବା କରିବା ଉଦ୍ଦେଶ୍ୟରେ ମୁଁ ଏଭଳି ପଦକ୍ଷେପ ନେଇଛି ବୋଲି ପଟେଲ କହିଛନ୍ତି। ସୂଚନାଯୋଗ୍ୟ ବର୍ତ୍ତମାନ ଜାମନଗର ଲୋକସଭା ଆସନରୁ ବିଜେପି ନେତ୍ରୀ ପୁନମବେନ ମାଦାମ ସାଂସଦ ଅଛନ୍ତି ।