ଉପାନ୍ତ ଅଞ୍ଚଳରେ ୫-ଟିର ପ୍ରଭାବ । ପାଥୋ ଲାବ୍ ମାଲିକଙ୍କ ଘାରିଛି ଚଢାଉ ଭୟ, ମେଡିକାଲ ପରିସର ଔଷଧ ଦୋକାନ ସିଲ୍ ପରେ ପାଥୋ ଲାବକୁ ବନ୍ଦ କରିଛନ୍ତି ଦୋକାନୀ ।

336

କନକ ବ୍ୟୁରୋ : ପାଥୋ ଲାବକୁ ଫାଇଭ-ଟି ଭୟ । ଚଢାଉ ଭୟରେ ପାଥୋଲୋଜିରେ ପଡିଲା ତାଲା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ଫାଇଭ୍-ଟି କାର୍ଯ୍ୟକ୍ରମ । ଆଉ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାଉଭ-ଟି ସଚିବଙ୍କ ଘନଘନ ଗସ୍ତ ପରେ କାର୍ଯ୍ୟାନୁଷ୍ଠାନ ପରେ ଛାନିଆ ନବରଙ୍ଗପୁର ଉମରକୋଟର ପାଥୋ ଲ୍ୟାବ୍ ମାଲିକ ।

ଉପାନ୍ତରେ ଫାଇଭ-ଟି ପ୍ରଭାବ । ପାଥୋ ଲାବକୁ ଫାଇଭ-ଟି ଭୟ । ପାଥୋ ଲାବର ସଟର ପଡିଛି । ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ସବୁ ବେଳେ ରୋଗୀଙ୍କ ଭିଡ ଲାଗୁଥିବା ସ୍ଥାନ ଏବେ ଖାଁ ଖାଁ । ଏମିତି କି କେତେକ ସ୍ଥାନରେ ଲାବର ନାଁ ଉପରେ ଧଳାରଙ୍ଗ ଲଗାଇ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଲାବ ଗୁଡିକରେ ତାଲା ପଡିଥିବାରୁ ନିରାଶ ହୋଇ ଫେରୁଛନ୍ତି ରୋଗୀ । ବିଗତ ଦିନରେ ଉମରକୋଟ ମେଡିକାଲ ଭିତରେ ଥିବା ଔଷଧ ଦୋକାନକୁ ପ୍ରଶାସନ ସିଲ୍ କରିବା ପରେ ଫାଇଭ-ଟି ଭୟ ଏବେ ଅନ୍ୟ ଦୋକାନୀଙ୍କୁ ଘାରିଛି । ନିଜ ଉପରୁ ବିପଦ ଆସିବା ଆଗରୁ ଲାବ ଗୁଡିକ ବନ୍ଦ କରିଦେଇଛନ୍ତି ଲାବ ମାଲିକ ।

ଉମରକୋଟର ସରକାରୀ ଡାକ୍ତରଖାନା ଉପରେ ଉମରକୋଟ ବ୍ୟତୀତ ରାଇଘର, ଝରିଗାଁ, ଚନ୍ଦାହାଣ୍ଡି. ଡାବୁଗାଁ ଓ ପଡୋଶୀ ରାଜ୍ୟ ଛତିଶଗଡର ରୋଗୀ ଆସିଥାନ୍ତି । ଏବେ ସହରରେ ଥିବା ସବୁ ପାଥୋ ଲାବ୍ ବନ୍ଦ ଥିବା ବେଳେ ଡାକ୍ତରଖାନାର ପାଥୋ ଲାବରେ ପରୀକ୍ଷା ନୀରିକ୍ଷା ପାଇଁ ରୋଗୀଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଅସନ୍ତୋଷ ବଢୁଛି । ସରକାର ଗୋଟିଏ ପଟେ ଫାଇଭ-ଟି କାର୍ଯ୍ୟକ୍ରମ କରି ତନାଘନା କରୁଛନ୍ତି କିନ୍ତୁ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀଙ୍କୁ ଆବଶ୍ୟକ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ସରକାର ଆବଶ୍ୟକ ଡାକ୍ତର ଯୋଗାଇ ନଦେଲେ ଉମରକୋଟ ସହରକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଉମରକୋଟ୍ ନାଗରିକ ମଂଚ ।