ପିଆଜ ପରେ ଆଳୁ ପାଳି ! ୪୦ ଟଙ୍କା ଡେଇଁବ ଆଳୁ

47

କନକ ବ୍ୟୁରୋ : ଓଡ଼ିଶାରେ ଆଳୁ ସଂକଟ । ପ୍ରଥମେ ପିଆଜ କନ୍ଦାଉଥିଲା ଏବେ ଆଳୁ ପାଳି । ପଶ୍ଚିମବଙ୍ଗରେ ଏବର୍ଷ ଆଳୁ ଉତ୍ପାଦନ କମି ଯାଇଥିବାରୁ ଓଡ଼ିଶାରେ ଏବେଠାରୁ ଆଳୁ ସଂକଟ ଦେଖାଦେଲାଣି । ବର୍ତମାନ ଆଳୁ ଅମଳର ରୁତୁ ହୋଇଥିଲେ ମଧ୍ୟ ବଜାରରେ କିଲୋ ପ୍ରତି ୧୫ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହରେ ବଜାରରେ ଆଳୁ କିଲୋ ୮ଟଙ୍କା ଥିଲା କିନ୍ତୁ ଏହା ପାଖାପାଖି ୨ଗୁଣ ବଢ଼ି ଯାଇଛି।
ବିଜେଡିର ବରିଷ୍ଠ ନେତା ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି, ଆଗାମୀ ୩ରୁ ୪ମାସ ମଧ୍ୟରେ ଆଳୁ ଦର ୩୦ରୁ ୪୦ଟଙ୍କା ହେବ। ଦେଶରେ ଆଳୁ ଫସଲ ଖରାପ ହୋଇଥିବାରୁ ଦର ବୃଦ୍ଧି ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଫେଡ ଜରିଆରେ ୫୦ କୋଟି ଟଙ୍କାର ଆଳୁ କିଣିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ମାସକ ପୂର୍ବେ ପିଆଜ କନ୍ଦାଉଥିଲା। କିଲୋ ୪୦ ଟପି ୫୦ ଟଙ୍କାକୁ ଛୁଇଁ ଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ପିଆଜ ଦର ଖସି ଖସି ଯାଉଥିବାବେଳେ ତାକୁ ଟପିବାକୁ ବସିଲାଣି ଆଳୁ ଦର। ମାତ୍ର ଗୋଟିଏ ସପ୍ତାହ ଭିତରେ ଆଳୁ ଦର କିଲୋ ପିଛା ୭ ଟଙ୍କା ବଢ଼ିଯାଇଥିବାବେଳେ ପିଆଜ ଦର ମାସକ ଭିତରେ ୨୫ ଟଙ୍କା ଖସି ଯାଇଛି। ବର୍ତ୍ତମାନ ଖୁଚୁରା ବଜାରରେ ଉଭୟ ଆଳୁ ପିଆଜ ସମାନ ୧୫ ଟଙ୍କା ଦରରେ ରହିଛନ୍ତି।

ଆଳୁ ଦର ଯେମିତି ଅହେତୁକ ଭାବେ ବୃଦ୍ଧି ପାଉଛି, ଖୁବ୍ ଶୀଘ୍ର ପିଆଜ ଦରକୁ ଟପିଯିବ ବୋଲି ବ୍ୟବସାୟୀ ମହଲ ଆଶଙ୍କା କରୁଛନ୍ତି। ଅମଳ ସମୟରେ ଆଳୁ ଦର ଏଭଳି ଉଚ୍ଚା ରହିଥିବାରୁ ଆଗାମୀ ଦିନରେ ଆକାଶଛୁଆଁ ହେବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳୁଛି। ଯଦି ଏବେଠାରୁ ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ଅଗଷ୍ଟ ମାସ ବେଳକୁ ଆଳୁ ଦର ୨୫ ଟଙ୍କା ପର୍ୟ୍ୟନ୍ତ ଯିବା କିଛି ଅସମ୍ଭବ ନୁହେଁ। ତେଣୁ ଆଗକୁ ଆଳୁ କନ୍ଦେଇବ ବୋଲି ଚର୍ଚ୍ଚା ହେଲାଣି।