ପୁଣି ଫେରିଲା ପତଞ୍ଜଳିର ଚାଟିଂ ଆପ ‘କିମ୍ଭୋ’! ହ୍ୱାଟସଆପକୁ ଦେବ କଡା ଟକ୍କର

34

ପୂରା ଦେଶ ପାଳନ କରିଛି ୭୨ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ଭାରତବାସୀଙ୍କୁ ଏକ ନୂଆ ଉପହାର ଦେବାକୁ ଘୋଷଣା କରିଛି ପତଞ୍ଜଳି । ପୁଣିଥରେ ପତଞ୍ଜଳି କିମ୍ଭୋ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି । ପତଞ୍ଜଳି ଦ୍ୱାରା ଲଞ୍ଚ ହେବାକୁ ଥିବା ଏହି ମେସେଜିଂ ଆପ୍ କିମ୍ଭୋ ସିଧାସଳଖ ହ୍ୱାଟସଆପକୁ ଟକ୍କର ଦେବ । ଉନ୍ନତମାନର ଫିଚର୍ସ ସହ ଅଗଷ୍ଟ ୨୭ରେ ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆଇଓଏସ ଆପ୍ ଷ୍ଟୋରରେ ଉପଲବ୍ଧ କରାଯିବ । ଏନେଇ ପତଞ୍ଚଳି ଆୟୁର୍ବେଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଆଚାର୍ଯ୍ୟ ବାଳକୃଷ୍ଣ ଟ୍ୱିଟ୍ କରି କିମ୍ଭୋ ଆପ ବାବଦରେ ଲୋକଙ୍କ ଠାରୁ ମତାମତ ମାଗିବା ସହ ଏହି ଆପକୁ ଡାଉନଲୋଡ କରିବାକୁ ଲିଙ୍କ ମଧ୍ୟ ସେୟାର କରିଛି । ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେବା ସହ ପତଞ୍ଜଳି ପ୍ରତି ବିଶ୍ୱାସ ରହିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ଆଚାର୍ଯ୍ୟ ବାଳକୃଷ୍ଣ । ସ୍ୱାଧୀନତା ଦିବସରେ କିମ୍ଭୋ ଆପ୍ ସହ ଡିଜିଟାଲ କ୍ଷେତ୍ରରେ ସ୍ୱାଧୀନ ହେବାର ଉତ୍ସବ ମନାଇବାକୁ ଲୋକମାନଙ୍କୁ କହିଥିଲେ ଆଚାର୍ଯ୍ୟ ବାଳକୃଷ୍ଣ । ତେବେ ଆପରେ ଆଉ କିଛି ଫିଚର୍ସ ପରିବର୍ତ୍ତନ ସହ ଏହାକୁ ଅଗଷ୍ଟ ୨୮ରେ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି ବାଳକୃଷ୍ଣ । ଲଞ୍ଚ ହେବା ପୂର୍ବରୁ ଏହି ସ୍ୱଦେଶୀ ଭାରତୀୟ ଆପ କିମ୍ଭୋକୁ ପୂରା ବିଶ୍ୱରେ ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଥିଲେ ବାଳକୃଷ୍ଣ ।

ପୂର୍ବରୁ ଏହି କିମ୍ଭୋ ଆପକୁ ମେ ମାସରେ ଲଞ୍ଚ କରାଯାଇଥିଲା । ତେବେ ଏହି ଆପରେ କିଛି ପରିବର୍ତ୍ତନ କରିବା ପାଇଁ କିଛି ଦିନ ପରେ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ସେତେବେଳେ ଯୋଗଗୁରୁ ବାବା ରାମଦେବ କହିଥିଲେ, ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଚାଟିଂ ଆପ କିମ୍ଭୋ ହ୍ୱାଟସଆପ କିମ୍ବା ଅନ୍ୟ କୌଣସି ଆପ ଠାରୁ ମଧ୍ୟ କୌଣସି ଗୁଣରେ କମ ନୁହେଁ । ଏପରିକି ଅନ୍ୟ ଆପ୍ ଅପେକ୍ଷା ଏଥିରେ ଫିଚର୍ସ ରହିଛି । ଏହା ହ୍ୱାଟସଆପ ଠାରୁ ମଧ୍ୟ ବଡ ଆପ୍ ଭାବେ ଉଭା ହେବ ।