ମୋଦି ଡାକୁଛନ୍ତି ରାମଦେବ ଘଉଡାଉଛନ୍ତି ! ବିବାଦରେ ପତଞ୍ଜଳୀ

94

baba-ramdevଯୋଗ ଗୁରୁ ବାବା ରାମଦେବ ସବୁବେଳେ କୌଣସି ନା କୌଣସି କାରଣରୁ ମିଡିଆର ହେଡଲାଇନ୍ସରେ ରହି ଆସିଛନ୍ତି । ବର୍ତ୍ତମାନ ମଧ୍ୟ ଏକ ନିର୍ଦ୍ଧିଷ୍ଟ ବିଜ୍ଞାପନକୁ ନେଇ ବାବା ଏବେ ଚର୍ଚ୍ଚାରେ । ଏକ ଘରୋଇ ଏଫଏମ୍ ଚ୍ୟାନେଲରେ ପ୍ରସାରିତ ବାବାଙ୍କ ବିଜ୍ଞାପନକୁ ନେଇ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆଙ୍ଗୁଠି ଉଠାଇଛନ୍ତି । ବାବାଙ୍କ ଏକ ଏକଚାଟିଆ ଆଭିମୁଖ୍ୟକୁ ସେମାନେ ସମାଲୋଚନା କରିବା ସହ ଏହି କ୍ୟାମ୍ପେନକୁ ‘ନୌଟଙ୍କୀ’ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି । ତେବେ ବାବା ରାମଦେବଙ୍କ ଏହି ବିଜ୍ଞାପନ ଏତେ ସାଣିତ ଯେ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଉପରେ ଏହା ଜବରଦସ୍ତ ପ୍ରଭାବ ସୃଷ୍ଟି କରିଛି। ଆଉ ଭାରତ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବାବା ରାମଦେବ ବହୁରାଷ୍ଟ୍ରୀୟ କଂପାନୀକୁ ଚ୍ୟାଲେଂଜ ଦେବାରେ ସକ୍ଷମ ହୋଇଛନ୍ତି।

ramdevକିନ୍ତୁ ପ୍ରଶ୍ନ ଉଠୁଛି ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେକ୍ ଇନ୍ ଇଣ୍ଡିଆ’ ର ପ୍ରଚାର ଓ ପ୍ରସାର କରିବା ସହ ବୈଦେଶିକ କମ୍ପାନୀ ଗୁଡିକୁ ଭାରତରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ସେଠାରେ ରାମଦେବଙ୍କ ବୈଦେଶିକ କମ୍ପାନୀର ସାମଗ୍ରୀକୁ ଖୋଲାଖୋଲି ଭାବେ ‘ବିପଦପୂର୍ଣ୍ଣ’ ବୋଲି କହିଛନ୍ତି । ଫଳରେ ସାରା ଦେଶରେ ଏହି ଦୁଇ ପ୍ରକାରର କଥାକୁ ନେଇ ଏବେ ଦ୍ୱନ୍ଦ ତିଆରି ହୋଇଛି। ଆଉ ଏକଥା ମଧ୍ୟ ସମସ୍ତେ ଭଲ ଭାବରେ ଜାଣନ୍ତି ବାବା ରାମଦେବ, ମୋଦି ବିଜେପି ଓ ସ୍ୱଦେଶୀ ଆନ୍ଦୋଳନ ଭିତରେ ଏକ ଭାବଗତ ସଂପର୍କ ରହିଛି।

patanjaliବହୁରାଷ୍ଟ୍ରୀୟ କଂପାନୀମାନେ ମୁଣ୍ଡରେ ଲଗାଇବା ପାଇଁ ଯେଉଁ ତେଲ ବଜାରକୁ ଛାଡୁଛନ୍ତି ତାହାଦ୍ୱାରା କ୍ୟାନସର ହେବାର ଆଶଙ୍କା ଅଛି। ଯେଉଁ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି ତାହା ଅପମିଶ୍ରିତ। ଯେଉଁ ପ୍ରସାଧନ ସାମଗ୍ରୀ ବିଦେଶୀ କଂପାନୀଙ୍କ ଦ୍ୱାରା ବଜାରକୁ ଆସୁଛି, ସେଥିରେ ଭୟଙ୍କର ରାସାୟନିକ ଦ୍ରବ୍ୟ ରହିଛି। ଏହି କଂପାନୀ ଗୁଡ଼ିକ ଆମ ଦେଶର ଶତ୍ରୁ । ଏହି ସବୁ କଂପାନୀମାନେ ଆମ ଦେଶର ସଂପତିକୁ ବିଦେଶକୁ ନେଇ ଯାଉଛନ୍ତି। ଆଉ ପ୍ରତିବଦଳରେ ଆମଦେଶରେ କୌଣସି ଲୋକସେବା କରନ୍ତି ନାହିଁ । ଏହାର ବିକଳ୍ପ ହେଉଛି- ପତଞ୍ଜଳି ଦ୍ୱାରା ବିଶୁଦ୍ଧ ଏବଂ ଘରୋଇ ଉପାୟରେ ନିର୍ମିତ ଦ୍ରବ୍ୟ । ଯାହାର ମୁଖ୍ୟ ଉଦେଶ୍ୟ ହେଉଛି ଲୋକସେବା ଓ ଦେଶଭକ୍ତି । ଏପରି କହି ଉକ୍ତ ବିଜ୍ଞାପନରେ ବାବା ରାମଦେବ ନିଜେ ପତଞ୍ଜଳୀ ସାମଗ୍ରୀର ପସାର କରିବା ସହ ବୈଦେଶିକ କମ୍ପାନୀର ସାମଗ୍ରୀ ଗୁଡିକୁ ‘ବିପଦପୁର୍ଣ୍ଣ’ ବୋଲି କହିଛନ୍ତି ।

ଇତି ମଧ୍ୟରେ ବାବାଙ୍କ ପତଞ୍ଜଳି କାରବାର ୫ ହଜାର କୋଟି ଟଙ୍କାରେ ପହଂଚିଛି। ଆଉ ଏହି ବ୍ୟବସାୟ ଏତେ ବଢୁଛି ଯେ, ଗୋଟିଏ ବର୍ଷରେ ୧୦ ହଜାର କୋଟିର ଟାର୍ଗେଟ୍ କରାଯାଇଛି । ବିଦେଶୀ କଂପାନୀଙ୍କ ବିରୁଦ୍ଧରେ ଏହି ସ୍ଲୋଗାନ ବିଦେଶ ବହୁରାଷ୍ଟ୍ରୀୟ କଂପାନୀକୁ ଅସୁବିଧାରେ ପକାଇଛି । ବାବା ରାମଦେବଙ୍କ ବିରୁଦ୍ଧରେ ଅଭିଯୋଗ ସବୁ ଆଗତ ହେବାରେ ଲାଗିଛି। ଯେଉଁ ଭଳି ଭାବରେ ବାବା ବିଜ୍ଞାପନ ଦେଉଛନ୍ତି, ବିଦେଶୀ କଂପାନୀକୁ ଗାଳି ଦେଇ ପତଞ୍ଜଳିର ସାମ୍ରଗୀକୁ ବିକ୍ରି କରୁଛନ୍ତି, ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । କଂପାନୀମାନେ ଆଶା କରୁଛନ୍ତି ଏହି ଭଳି ମିଛ ବିଜ୍ଞାପନ ଉପରେ ସରକାର ଅଂକୁଶ ଲଗାଇବେ।

ramdevବାବା ରାମଦେବଙ୍କ ସାମଗ୍ରୀ କେତେ ବିଶୁଦ୍ଧ, ଏବଂ ଏହାର ଶରୀର ଉପରେ କଣ ପ୍ରଭାବ ରହିଛି ତାକୁ ନେଇ ବିବାଦ ଜାରି ରହିଛି। ଆଗାମୀ ଦିନରେ ପତଞ୍ଜଳି ପ୍ରସ୍ତୁତ ସାମଗ୍ରୀ, ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାର ସମ୍ମୁଖୀନ ହୋଇପାରେ । କିନ୍ତୁ ଗୋଟିଏ ଦେଶୀ ସଂସ୍ଥା ବିଦେଶୀ କଂପାନୀଙ୍କ ସହ ତାଳ ଦେଇପାରେ । ଏବଂ ଦେଶର ବ୍ୟବସାୟରେ ଏକ ନୂଆ ଦିଗ ସୃଷ୍ଟି କରିପାରେ । ତାହା ନିଶ୍ଚିତ ଭାବରେ ଏକ ଦେଶ ପାଇଁ ଏକ ଉଦାହରଣ ।