ପାସପୋର୍ଟ ପାଇବା ହେଲା ଆହୁରି ସହଜ : ପୁଲିସ ଯାଞ୍ଚ ପାଇଁ ଆବଦେନକାରୀଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ

517

କନକ ବ୍ୟୁରୋ : ଏଣିକି ପାସ୍‌ପୋର୍ଟ ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବନି କି ଥାନାରେ କୌଣସି ଡକୁମେଣ୍ଟ ଦେଖାଇବାକୁ ପଡ଼ିବନି । ଏପରିକି ଏବେ ଆବେଦନକାରୀଙ୍କୁ ‌ଥାନାକୁ ଯାଇ ଯେଉଁ ଦସ୍ତଖତ ଦେବାକୁ ପଡ଼ୁଛି ତାହା ବି କରିବାକୁ ପଡ଼ିବନି । ପୁଲିସ ବି ଆବଦେନକାରୀଙ୍କୁ ଥାନାକୁ ଡାକିପାରିବନି । ଆବେଦନକାରୀ ପାସପୋର୍ଟ ଅଫିସରେ ଯେତିକି ଡକୁମେଣ୍ଟ ଦେଇ ଆବେଦନ କରିଥିବେ ସେତିକି ହିଁ ପାସ୍‌ପୋର୍ଟ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ ।

ପୁଲିସ ଥାନାରେ ନିଜ ରେକର୍ଡରୁ ଆବେଦନକାରୀଙ୍କ ଅପରାଧିକ ରେକର୍ଡ ଏବଂ ସ୍ଥାନୀୟ ନାଗରିକ କି ନୁହେଁ ଯାଞ୍ଚ କରିକି ଦେବ । ଏହାପରେ ଆବଦେନକାରୀଙ୍କୁ ପାସ୍‌ପୋର୍ଟ ମିଳିଯିବ । ଏହିଭଳି ବ୍ୟବସ୍ଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଫିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି । ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଓଡ଼ିଶା ପୁଲିସକୁ ଜଣାଇ ଦିଆଯିବ ବୋଲି ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ଏବେ ଦେଶରେ ପାସ୍‌ପୋର୍ଟ ପାଇବାକୁ ହାରାହାରି ୨୯ଦିନ ଲାଗୁଥିବାବେଳେ ଆମେ ଆବେଦନକାରୀଙ୍କୁ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ପାସ୍‌ପୋର୍ଟ ଦେଉଛୁ। ସପ୍ତାହକ ମଧ୍ୟରେ ସମସ୍ତ ଆବେଦନକାରୀ ଯେପରି ପାସ୍‌ପୋର୍ଟ ପାଇଯିବେ ସେଥିପାଇଁ ପୁଲିସ ଯାଞ୍ଚ ବ୍ୟବସ୍ଥାକୁ କୋହଳ କରାଯାଉଛି। ଯାହାର କିଛି ସମସ୍ୟା ଥିବ ତାଙ୍କୁ ପାସ୍‌ପୋର୍ଟ ପାଇବାରେ ବିଳମ୍ବ ହେବ ।

ସେ କହିଛନ୍ତି ଯେ, ଏବେ ରାଜ୍ୟରେ ପାସ୍‌ପୋର୍ଟ କେନ୍ଦ୍ର ବାଦ୍‌ ୨୦ଟି ଡାକଘର ସେବା କେନ୍ଦ୍ର ମାଧ୍ୟମରେ ପାସ୍‌ପୋର୍ଟ ଯୋଗାଇ ଦିଆଯାଇଛି। ୨୦୧୩ରେ ଭୁବନେଶ୍ବର‌ କେନ୍ଦ୍ରରୁ ୮୧ହଜାର ପାସ୍‌ପୋର୍ଟ ଇସ୍ୟୁ ହୋଇଥିବାବେଳେ ୨୦୧୮ରେ ୧,୨୪,୦୦୦ ପାସ୍‌ପୋର୍ଟ ଇସ୍ୟୁ ହୋଇଛି। ୨୦୧୯ରେ ୧,୪୦,୦୦୦ ପାସ୍‌ପୋର୍ଟ ଇସ୍ୟୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦୧୭ରେ ଡାକଘର ସେବା କେନ୍ଦ୍ର ଦ୍ବାରା ୧୩ହଜାର ପାସ୍‌ପୋର୍ଟ ଇସ୍ୟୁ ହୋଇଥିବାବେଳେ ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୭ହଜାର ପାସ୍‌ପୋର୍ଟ ଇସ୍ୟୁ ହୋଇସାରିଲାଣି।