ପାସପୋର୍ଟ ତଥ୍ୟ ଦିଅ, ଋଣ ନିଅ । ଆର୍ଥିକ ଠକେଇକୁ ରୋକିବାକୁ କେନ୍ଦ୍ରର ନୂଆ ଫର୍ମୁଲା ।

41

ଏଣିକି ଋଣ ନେବାକୁ ହେଲେ ଦେବାକୁ ପଡିବ ପାସପୋର୍ଟ ତଥ୍ୟ । ଦେଶରେ ଗୋଟିଏ ପରେ ଗୋଟିଏ ଘୋଟାଲା ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି କଡା ନିଷ୍ପତ୍ତି ନେଇଛନ୍ତି । ୫୦ କୋଟିରୁ ଉଦ୍ଧ୍ୱର୍ ଋଣ ନେଉଥିବା ବ୍ୟକ୍ତିଙ୍କୁ ଏଣିକି ନିଜ ପାସପୋର୍ଟର ବିଶଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ଜମା କରିବାକୁ ପଡିବ । ଏହାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ବହୁତ ବଡ ପରିମାଣର ଅର୍ଥ ନେଇ ଠକିବା ସହ ଦେଶ ଛାଡିକରି ଚାଲିଯାଉଛନ୍ତି ସେମାନଙ୍କୁ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି ।

ପାସପୋର୍ଟ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ରହିବା ଫଳରେ, ଯେଉଁମାନେ ଠକିବାର ମନୋବୃତ୍ତି ରଖୁଛନ୍ତି ସେମାନଙ୍କ ବାବଦରେ ବିଭିନ୍ନ ସଂସ୍ଥା ଅବଗତ ରହିପାରିବେ । ଏପରିକି ଦେଶ ଛାଡି ଯିବା ଆଗରୁ ସେମାନଙ୍କୁ ରୋକାଯାଇ ପାରିବ ବୋଲି ଅନୁମାନ କରାଯାଉଛି । ଆର୍ଥିକ ସେବା ସଚିବ ରାଜୀବ କୁମାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଋଣ ଆବେଦନ କରିବାର ୪୫ ଦିନ ଭିତରେ ପାସପୋର୍ଟ ବାବଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ହାସଲ କରିବାକୁ ପଡିବ ।

ନୀରବ ମୋଦି, ମେହୁଲ ଚୋକସି, ବିଜଲ୍ୟ ମାଲ୍ୟାଙ୍କ ଭଳି ବ୍ୟକ୍ତି ଋଣ ନେଇ ପରିଶୋଧ କରିବା ବଦଳରେ ଦେଶ ଛାଡି ଚାଲିଯିବାରେ ସମର୍ଥ ହୋଇଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ବଦନାମୀର ଶିକାର ହୋଇଥିଲେ । ନୀରବ ମୋଦି ଓ ମେହୁଲ ଚୋକସୀ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଠକେଇ କରି ୧୨ ହଜାର ୭୦୦ କୋଟିର ଋଣ ନେଇ ଦେଶ ଛାଡି ଚାଲି ଯାଇଥିଲେ । ଏହାପରେ କେନ୍ଦ୍ର ସରକାର ଏକ ବିଲ୍ ପାରିତ କରିଥିଲେ, ଯେଉଁଥିରେ ଠକେଇ ପରିମାଣକୁ ଅସୁଲ କରାଯିବାର ବ୍ୟବସ୍ଥା ମଧ୍ୟ ରହିଥିଲା ।

ସେହିଭଳି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆଉ ଏକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଥିଲା, ୫୦ କୋଟିରୁ ଅଧିକ ଟଙ୍କାର ଥିବା ଏନପିଏ ଆକାଉଂଟ ବାବଦରେ ଯାଂଚ କରି ଠକିଥିବା ବ୍ୟକ୍ତିମାନଙ୍କ ବାବଦରେ ସିବିଆକୁ ଅବଗତ କରାଯାଉ । ସେହିଭଳି ୨୫୦ କୋଟିରୁ ଅଧିକ ଟଙ୍କ ଋଣ ନେଇଥିବା ସଂସ୍ଥା ଗୁଡିକର କାର୍ଯ୍ୟକଳାପ ଉପରେ ନଜର ରଖାଯାଉ ।