ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାରିତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ! ସାମାଜିକ ନ୍ୟାୟର ବିଜୟ ହୋଇଛି

114

କନକ ବ୍ୟୁରୋ : ରାଜ୍ୟସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍ । ବିଲ୍ ସପକ୍ଷରେ ୧୭୨ ଜଣ ସାଂସଦଙ୍କ ମଧ୍ୟରୁ ୧୬୫ ଜଣ ସାଂସଦ ଭୋଟ ଦେଇଥିବା ବେଳେ ମାତ୍ର ୭ ଜଣ ଏହାକୁ ବିରୋଧ କରିଥିଲେ । ଫଳରେ ସମ୍ବିଧାନ ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ ହୋଇଛି ।

ବିଲ୍ ପାସ୍ ହେବା ପରେ ଏହା ସାମାଜିକ ନ୍ୟାୟର ବିଜୟ ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ବର୍ଷରେ ମୋଦୀଙ୍କର ଏହା ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ଏହା ସାମାଜିକ ସମାନତା ପ୍ରଦାନ କରିବ ବୋଲି ଯୁକ୍ତି ବାଢିଛନ୍ତି ଶାସକ ଦଳ । ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୧୯ କୋଟି ଲୋକ ଉପକୃତ ହେବେ ବୋଲି ସରକାର କହିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ଲାଗୁ ହେବ ।

ସାଧାରଣ ବର୍ଗର ଗରିବଙ୍କ ଲାଗି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲକୁ ବିଜେଡି ରାଜ୍ୟସଭାରେ ସମର୍ଥନ କରିଛି । ରାଜ୍ୟସଭାରେ ଆଲୋଚନାରେ ଭାଗ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏହି ବିଲକୁ ବିରୋଧ କରିବାର ପ୍ରଶ୍ନ ଉଠୁନି । ତେବେ ଶୀତ ଅଧିବେଶନର ଶେଷ ଦିନରେ ତଥା ଗୋଟିଏ ଦିନ ବୃଦ୍ଧି କରାଯାଇ ବିଲ୍ ଉପସ୍ଥାପନ କରାଯାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।