ରେଲୱେରେ ନିମ୍ନ ମାନର ଖାଦ୍ୟ ମିଳୁଛି ବୋଲି ଅନେକ ସମୟରେ ଅଭିଯୋଗ ହୋଇଛି । ଆଉ ଗୋଟିଏ ପରେ ଗୋଟିଏ ଏହାର ଉଦାହରଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ ବିହାର ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ପକୋଡ଼ା ପ୍ୟାକେଟରେ ପୋକ ମିଳିଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ବିହାରର ଛାପ୍ରା ଷ୍ଟେସନ୍‌ରୁ ନିଜ ପରିବାର ସହିତ ଯାତ୍ରା କରୁଥିବା ମହମ୍ମଦ ଆଜାଦ୍‌ ଅଲ୍ଲି ପାନଟ୍ରି ଷ୍ଟାଫଙ୍କୁ ପକୋଡ଼ା ପାଇଁ ସେ ଅର୍ଡ଼ର ଦେଇଥିଲେ । ପକୋଡ଼ା ଦିଆଯିବା ପରେ ସେ ତା’କୁ ଖୋଲି ନିଜର ୪ବର୍ଷର ପୁଅକୁ ଖୁଆଇଥିଲେ । ତେବେ ପୁଅକୁ କେତୋଟି ପକୋଡ଼ା ପିସ୍‌ ଖୁଆଇଲା ପରେ ତାଙ୍କ ନଜରକୁ ଆସିଥିଲା ସେହି ଭୟଙ୍କର ପୋକ । ଏହାପରେ ମହମ୍ମଦ ଆଜାଦ୍‌ ପାନ୍‌ଟ୍ରି ପରିଚାଳକଙ୍କୁ ଅଭିଯୋଗ କରିଥିଲେ ।

ତେବେ ଏ ସଂପର୍କରେ ଅନ୍ୟଜଣେ ସହଯାତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସୁରେଶ ପ୍ରଭୁଙ୍କୁ ଟ୍ଵିଟ୍‌ କରି ଜଣାଇଥିଲେ । ଅଭିଯୋଗ ପାଇବା ପରେ ରେଳମନ୍ତ୍ରୀ ମଧ୍ୟ ମାଇକ୍ରୋବ୍ଲଙ୍ଗି ସାଇଟ୍‌ ଜରିଆରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରେଳବାଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେହି ପକୋଡ଼ା ଖାଇଥିବା କେତେକ ଯାତ୍ରୀ ବାନ୍ତି ମଧ୍ୟ କରିଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ଟ୍ରେନରେ ମିଳୁଥିବା ଖାଦ୍ୟ ମଣିଷ ଖାଇବା ପାଇଁ ଉପଯୁକ୍ତ ମାନର ନୁହେଁ ବୋଲି ସିଏଜି ରିପୋର୍ଟରେ ଖୁଲାସା ହୋଇଥିଲା । ରିପୋର୍ଟରେ କୁହାଯାଇଥିଲା ରେଳ ଷ୍ଟେସନରେ ଯେଉଁ ଖାଦ୍ୟ ପରସା ଯାଉଛି , ଏହା ମଣିଷ ଖାଇବାକୁ ସଂପୂର୍ଣ୍ଣ ଅନୁପଯୁକ୍ତ ଅଟେ । ରିପୋର୍ଟ ଅନୁସାରେ ଟ୍ରେନ୍ ଓ ଷ୍ଟେସନରେ ଦିଆଯାଉଥିବା ଜିନିଷ ପ୍ରଦୂଷିତ ଅଟେ । ଡବା ବନ୍ଦ ଓ ବୋତଲ ବନ୍ଦ ଜିନିଷର ଏକ୍ସପାୟରୀ ଡେଟ୍ ସରିବା ପରେ ବି ବିକ୍ରି କରାଯାଉଛି ।

ଯାଂଚ ଦ୍ୱାରା ଏହା ବି ଜାଣିବାକୁ ମିଳିଛି ଯେ , ରେଳ ଷ୍ଟେସନ ପରିସର ଓ ଟ୍ରେନରେ ପରିଷ୍କାର ପରିଚ୍ଛନତା ପ୍ରତି ଆଦୈା ଦୃଷ୍ଟି ଦିଆଯାଉନାହିଁ । ଏହା ଛଡା ଟ୍ରେନରେ ବିକ୍ରି ହେଉଥିବା ଜିନିଷର ବିଲ୍ ବି ଦିଆଯାଉନାହିଁ ଏବଂ ଫୁଟ୍ କ୍ୱାଲିଟ ମଧ୍ୟ ଜମା ଭଲ ରହୁନାହିଁ । ସିଏଜି ଓ ରେଳର ଯାଂଚ ଟିମ୍ ୭୪ଟି ଷ୍ଟେସନ ଓ ୮୦ଟି ଟ୍ରେନର ଅନୁଧ୍ୟାନ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ସମସ୍ୟା ପ୍ରତି ରେଳ ପ୍ରଶାସନର ପଦକ୍ଷେପ ମଧ୍ୟ ପ୍ରଭାବହୀନ । ଏହା ଯୋଗୁଁ ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ପଦାର୍ଥର ଅଧିକ ଦେବାକୁ ପଡୁଛି । ଠିକାଦାରମାନେ ଟ୍ରେନ ଓ ଷ୍ଟେସନରେ ଅସ୍ୱଚ୍ଛ ଓ ନିମ୍ନ ଗୁଣବତାର ଖାଦ୍ୟ ପଦାର୍ଥ ବିକ୍ରି ଜାରି ରଖୁଛନ୍ତି ।

ଆଉ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି , ବ୍ରାଣ୍ଡର ଚୟନ କ୍ଷେତ୍ରୀୟ ରେଲୱେ ଦ୍ୱାରା କରାଯାଉଛି । କିନ୍ତୁ ଏଥିରେ ମୂଲ୍ୟର ଉଲ୍ଲେଖ କରାଯାଉନାହିଁ । ବ୍ରାଣ୍ଡ ଅଧିକୃତ ବିକ୍ରେତା ଙ୍କୁ ଏହି ସର୍ତ୍ତ ସହ ଏମଆରପି ଉପରେ ବିକ୍ରୟ ଅନୁମତି ଦିଆଯାଇଛି । ଖୋଲା ବଜାରରେ ବିକ୍ରି କରାଯାଉଥିବା ସମାନ ଉତ୍ପାଦର ଏମଆରପି ଠାରୁ ଯେମିତି ଅଧିକ ହେବ ନାହିଁ । ରିପୋର୍ଟରେ କୁହାଯାଇଛି ୨୦୦୫ମସିହାରେ ଖାଦ୍ୟ-ପାନୀୟ ନୀତି ଅନୁସାରେ ଭାରତୀୟ ରେଳରେ ଖାଦ୍ୟ ପାନୀୟ ବ୍ୟବସାୟକୁ ଭାରତୀୟ ରେଲୱେ ଖାଦ୍ୟ-ପାନୀୟ ଏବଂ ପର୍ଯ୍ୟଟନ ନିଗମ (ଆଇଆରସିଟିସି ) କୁ ଦାୟିତ୍ୱ ଦିଆଯାଇଛି । ଖାଦ୍ୟ-ପାନୀୟର ଗୁଣବତାର ସୁଧାରତାକୁ ନେଇ ରେଲୱେ ବୋର୍ଡ ଖାଦ୍ୟ-ପାନୀୟ ନୀତି ୨୦୧୭ରେ ପ୍ରତିପାଦିତ କରିଛି । ଏହାକୁ ୨୭ ଫେବୃୟାରୀରେ ଜାରି କରାଯାଇଛି । ଏହା ସତ୍ୱେ ବି ସ୍ଥିତିରେ ସୁଧାର ଆସିନାହିଁ ।