ଲଢେଇ ଆଗରୁ ଚାଲିଛି ଶକ୍ତି ସଂଗ୍ରହ । ଦଳବଦଳରେ ନେତା ଡେଉଁଛନ୍ତି କ୍ୟାମ୍ପରୁ କ୍ୟାମ୍ପ । ଆଜିର ଶତ୍ରୁ, କାଲିର ମିତ୍ର । ଦଳବଦଳର ଫର୍ମୁଲା, କାହାକୁ ଦେବ ଫାଇଦା?

36

କନକ ବ୍ୟୁରୋ :ବିଜେପୁର ଉପନିର୍ବାଚନ ଆଗରୁ ଦଳବଦଳ ରାଜନୀତି କିନ୍ତୁ ରାଜ୍ୟ ରାଜନୀତିକୁ ସରଗରମ କରିଛି । କେଉଁ ଦଳରୁ କେତେବେଳେ କିଏ କାହା ପଟଳୁ ଡେଉଁଛି ତାହା ଆକଳନର ବାହାରେ । କାରଣ ସମସ୍ତଙ୍କ ଉଦ୍ୟମ ବିଜେପୁର ଦଖଲ କରିବା । ଦଳବଦଳରେ ପ୍ରଥମ ଚେହେରା ଭାବେ ସାମ୍ନାକୁ ଆସିଥିଲେ ରୀତା ସାହୁ । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କର ପତ୍ନୀ ହେଉଛନ୍ତି ରୀତା ସାହୁ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ରୀତା ସାହୁଙ୍କୁ ନିଜ ସପକ୍ଷକୁ ନେବାକୁ ଉଭୟ ବିଜେଡି ଓ ବିଜେପି ଉଦ୍ୟମ କରୁଥିଲେ । ଆଉ ଶେଷରେ ବିଜେଡି ବାଜି ନେଇଥିଲା । ରୀତାଙ୍କୁ ବିଜେଡିକୁ ଆଣିବାକୁ ଏକ ବଡ ଭୁମିକା ଗ୍ରହଣ କରିଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ତେବେ ରୀତା ସାହୁ ଦଳକୁ ଆସିବା, ଅନେକ ନେତାଙ୍କୁ ଅସନ୍ତୁଷ୍ଟ କରିଥିଲା । ଯେଉଁଥିରେ ଆଗରେ ଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଏପରିକି ମୁଳ ବିଜେଡିର କିଛି କର୍ମୀ ମଧ୍ୟ ନିଜ ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କୁ ଦଳର ବିଜେପୁର ପ୍ରାର୍ଥୀ ଭାବେ ଘୋଷଣା କରିଦେଇ ତମାମ ବିବାଦକୁ ଚାପିଦେବାକୁ ଉଦ୍ୟମ କରିଥିଲେ । ଯାହା କେତେକାଂଶରେ ସଫଳ ମଧ୍ୟ ହୋଇଥିଲା । ରୀତା ସାହୁଙ୍କର ଯଦିଓ କୈାଣସି ରାଜନୈତିକ ଅଭିଜ୍ଞତା ନାହିଁ, ତଥାପି ବିଜେଡି ତାଙ୍କୁ ନିଜ ଦଳକୁ ନେଇ ଅନୁକମ୍ପାର ଭୋଟ ସହ ବିଜେପୁରରେ ବାଜିମାତ କରିବାକୁ ଉଦ୍ୟମ କରିଥିଲା ।


ସେହିଭଳି ଭାରତୀୟ ଜନତା ପାର୍ଟି, ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ନିଜ ପଟକୁ ନେଇ ଲଢେଇ ବାରବର କରିଥିଲା । ୨୦୦୦ ମସିହାରେ ଯେତେବେଳେ ରାଜ୍ୟରେ ବିଜେଡି-ବିଜେପି ମେଂଟ ନିର୍ବାଚନ ଲଢିଥିଲେ, ସେତେବେଳେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଶୋକ ପାଣିଗ୍ରାହୀ । ତେବେ ୨୦୦୪ ମସିହାରେ କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ । ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୧୮ ହଜାର ଭୋଟ ପାଇଥିଲେ । ବିଜେପିରେ ମିଶବା ଆଗରୁ, ଅଶୋକ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଏକ ଲମ୍ବା ଚଉଡା ଚିଠି । ଯେଉଁଥିରେ ବିଜେଡି ଠିକ ଭାବେ ଚାଲିନଥିବାର ଅଭିଯୋଗ ଆଣିଥିଲେ । ଏପରିକି ବିଜୁ ବାବୁଙ୍କ ସ୍ୱପ୍ନ କଥା କହି, ୨୦୧୪ର ଏକ ଗୁମର ବାହାରକୁ ଆଣିଥିଲେ । ଗଣମାଧ୍ୟମରେ ଅଭିଯୋଗ କରିଥିଲେ, ନବୀନଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗତ କଳ୍ପତରୁ ଦାସ ତାଙ୍କୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ଲଢାଇଥିଲେ । ଆଉ ଏଭଳି କିଛି ଅଭିଯୋଗ ଭିତରେ ପଦ୍ମ ପୋଖରୀକୁ ଡେଇଁଥିଲେ ଅଶୋକ ପାଣିଗ୍ରାହୀ । ବିଜେପୁର ନିର୍ବାଚନ ମଣ୍ଡଳୀରେ ନିଜର ଏକ ପ୍ରଭାବ ଛାଡିଥିବା ଅଶୋକଙ୍କୁ ଦଳକୁ ନେଇ ବିଜେପି, ବିଜେପୁର ଦଖଲର ଲକ୍ଷ ରଖିଛି । ତେବେ ବଡ କଥା ହେଉଛି, ଅଶୋକଙ୍କୁ ନେଇ ବିଜେପି ଭିତରେ ମଧ୍ୟ ଏକ ବଡ ଧରଣର ଅସନ୍ତୋଷ ଦାନା ବାନ୍ଧିଥିଲା । ତେବେ ଗୋଟିଏ କଥା ସ୍ପଷ୍ଟ, ବିଜେପି ଅଶୋକଙ୍କ ଲୋକପ୍ରିୟତା ଆଉ ଗ୍ରହଣୀୟତାକୁ ପାଥେୟ କରି ଆଗକୁ ବଢିବାକୁ ଟାର୍ଗେଟ କରିଛି । ଅଶୋକ ହିଁ ବିଜେପୁରରେ ବିଜେପିକୁ ବିଜୟୀ ଟୀକା ପିନ୍ଧାଇବେ ଏହି ଆଶା ନେଇ ତାଙ୍କୁ ଦଳ ଟିକେଟ ଦେଇଛି ।


ଅଶୋକ ପାଣିଗ୍ରାହୀ ଦଳକୁ ଆସିବା ଦିନଠାରୁ ଅସନ୍ତୁଷ୍ଟ ଥିବା ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ସେ ଖୋଲାଖୋଲି ମନ୍ତବ୍ୟ ରଖି କହିଥିଲେ, ଦଳ ଭିତରେ ଅନେକ ଯୋଗ୍ୟ ବ୍ୟକ୍ତି ଥିବା ସତ୍ତେ୍ୱ ବାହାରୁ ନେତାଙ୍କୁ ଆଣି ଦଳରେ ମିଶାଇବା ଠିକ ନୁହେଁ । ହେଲେ ଏହି ପ୍ରସଙ୍ଗରେ ମୁଣ୍ଡ ଖେଳାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଡାକି, ନାରାୟଣ ସାହୁଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଇଥିଲା । ଫଳରେ ନାରାୟଣ ନିଜ ପରିବର୍ତ୍ତନ କରିଥିଲେ । ତେବେ ଏହାର କିଛି ଦିନ ପରେ ଏକ ସାଂଘାତିକ ଅଭିଯୋଗ ସହ ବିଜେପି ଛାଡି, ବିଜେଡି କ୍ୟାମ୍ପକୁ ଡେଇଁଥିଲେ ନାରାୟଣ ସାହୁ । ଖୋଲାଖୋଲି ଗଣମାଧ୍ୟମରେ ନିଜ ଅସନ୍ତୋଷ ଜାହିର କରି କହିଥିଲେ, ଦୀର୍ଘ ବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଥିଲେ ବି ଦଳ ତାଙ୍କୁ ଠିକ ଭାବେ ଚିହ୍ନି ପାରିଲାନାହିଁ । ବିଜେପିରେ ଅହଂକାର ବଢିଛି, ଦଳରେ ନୈତିକତା ନାହି, ବିଜେପିରେ ଅଣନିଃଶ୍ୱାସୀ ହୋଇପଡିଥିଲି । ତେବେ ଏହା ବୁଝିବାରେ କିଛି ଅସୁବିଧା ନାହିଁ ଯେ, ରାଜନୀତିରେ ଏଭଳି ଆରୋପ ପ୍ରତ୍ୟାରୋପ ଚାଲେ ଆଉ ଦଳବଦଳ ବେଳେ ଏଭଳି ମନ୍ତବ୍ୟ ଶୁଣିବାକୁ ମିଳେ । ସମାନ ଧାରାରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ଦଳବଦଳ ରାଜନୀତିକୁ ସରଗରମ କରିଛି ବିଜେପୁରରେ । ଆଗକୁ ଏଭଳି ଧାରା ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

ତେବେ ଦଳବଦଳକୁ ବିଜେପୁର ବାସୀ ଦେଖିଥିଲେ ସୁବିଧାବାଦୀ ଦୃଷ୍ଟିକୋଣରେ । ଅର୍ଥାତ୍ ନିଜ ଫାଇଦା ପାଇଁ ନେତା ମାନେ ଦଳ ବଦଳ କରିଥାନ୍ତି । ସମ୍ବାଦ-କନକ ନ୍ୟୁଜ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ବିଜେପୁରବାସୀ ଏଭଲି ମତ ସାମ୍ନାକୁ ଆଣିଥିଲେ । ତେବେ ନିର୍ବାଚନ ଆଗରୁ ଦଳବଦଳ ଏକ ସାଧାରଣ କଥାରେ ପରିଣତ ହୋଇଥିବା ବେଳେ ନୈତିକତା ରାଜନୀତିରୁ ଦୁରେଇ ଯାଉଥିବା, ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।