ପ୍ରଚାର ମୈଦାନରେ ପ୍ରାର୍ଥୀ : ଘର ଘର ବୁଲୁଛନ୍ତି ନେତା । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଭାଟ ହାତେଇବାକୁ ଚାଲିଛି କସରତ

86

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଏବେ ଜୋର ଧରିଛି । କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର ଜୋର ଧରିଛି । ପୁରୁଣା ଚେହେରାଙ୍କୁ ଟକ୍କର ଦେଉଛନ୍ତି ଦୁଇ ନୂଆ ମୁହଁ । କଂଗ୍ରେସର ଗଡ କୁହାଯାଉଥିବା ଏଠାରେ ବିଧାୟକ ରହିଛନ୍ତି କୈଳାଶ କୁଲେସିକା । ବର୍ତ୍ତମାନ ସେ କଂଗ୍ରେସରୁ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଯୁବ ଚେହେରା ପ୍ରଭୁ ଜାନୀ ଓ ବିଜେପିର କୁମୁଦ ସାଉଁଦା । ସେପଟେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ପତ୍ନୀ ବିଏସପି ଦେଇଛି ଟିକେଟ ।

କଳାହାଣ୍ଡିର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ପୁଷ୍ପେନ୍ଦ୍ର ସିଂଦେଓ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ବୋଲି କହିଛନ୍ତି ପୁଷ୍ପେନ୍ଦ୍ର । ସେ କହିଛନ୍ତି, “ମାତ୍ର ଜଣେ ବ୍ୟକ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ନିରନ୍ତର ଭାବରେ ଓଡିଶାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ପ୍ରତ୍ୟେକ ବର୍ଗ ଓ ସ୍ତରର ବ୍ୟକ୍ତିଙ୍କୁ, ଗ୍ରାମାଂଚଳକୁ ପ୍ରାଥମିକତା ଦେଇଛନ୍ତି । ତାଙ୍କର ବିକାଶମୂଳକ କାମକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ।”

ଆଜି ବହ୍ମ୍ରପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ଆଜି ବହ୍ମ୍ରପୁର ଗ୍ରସ୍ତରେ ୬୦ କିମି ମାରାଥନ ରୋଡ ସୋ କରିବେ । ଦିନ ୩ଟାରୁ ରାତି ୮ଟା ୪୦ମିନିଟ ଯାଏ ଏହି ପ୍ରଚାର କରିବେ ନବୀନ । ଏହି ୫ଘଂଟା ୪୦ମିନିଟ ମଧ୍ୟରେ ନବୀନ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ଠାରୁ ବହ୍ମ୍ରପୁର ସହର ଦେଇ ରମ୍ଭା ପର୍ଯ୍ୟନ୍ତ ୬୦ କିମି ରୋଡ ସୋ କରିବେ । ଏଥିସହ ବହ୍ମପୁର, ଛତ୍ରପୁର ଓ ଗୋପାଳପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନିଷି ଓ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବେ ।

ନବରଙ୍ଗପୁର ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ନବରଙ୍ଗପୁର ବିଜେଡି ଲୋକସଭା ପ୍ରାର୍ଥୀ ରମେଶ ମାଝୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ସାନ ଭାଇ ପ୍ରକାଶ ମାଝୀ ଝରିଗାଁ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେପଟେ ପ୍ରକାଶ ମାଝୀଙ୍କୁ କଡା ଟକ୍କର ଦେବାକୁ ଓହ୍ଲାଇଛନ୍ତି କଂଗ୍ରେସର ଉଲଧର ମାଝୀ । ସେହିପରି ରମେଶ ମାଝୀଙ୍କୁ କଡା ଟକ୍କର ଦେବେ ପ୍ରଦୀପ ମାଝୀ । ପ୍ରଦୀପ ମାଝୀଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି ।

ଜୁନାଗଡରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଛବି, ସୁଶାସନ ବ୍ୟବସ୍ଥା, ଗରୀବଙ୍କ ପାଇଁ ଯୋଜନା, ବିକାଶର ବାର୍ତ୍ତା, ମହିଳା ସଶକ୍ତିକରଣ କୃଷକଙ୍କ ସଶକ୍ତିକରଣ ଏସବୁ କୁ ନେଇ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇଛନ୍ତି ଦିବ୍ୟଶଙ୍କର ମିଶ୍ର ।