ଆଜିଠୁ ବସିବ ସଂସଦର ଶୀତକାଳିନ ଅଧିବେଶନ । ସିବିଆଇ ବିବାଦ, ଆରବିଆଇ ପ୍ରସଙ୍ଗ ନେଇ ଏନିଡିଏ ସରକାରକୁ ଘେରିବାକୁ ମେଳି କଲେ ବିରୋଧୀ

ଉପା ଅମଳର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ପ୍ରସଙ୍ଗକୁ ଢ଼ାଲ କରିବ ବିଜେପି

59

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ଅଧିବେଶନ କାଳରେ ୨୦ ଥର ବୈଠକ ବସିବ । ରାଜ୍ୟସଭାରେ ୮ଟି ଏବଂ ଲୋକସଭାରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେବ ସଂସଦର ଶେଷ ଓ ପୂର୍ଣ୍ଣଙ୍ଗ ଅଧିବେଶନ । ଅଧିବେଶନ ପୂର୍ବରୁ ଉଭୟ ଗୃହ କାର୍ଯ୍ୟ ସୁରଖୁରରେ ଚଳାଇବା ପାଇଁ ସହଯୋଗ କରିବେ ନିମନ୍ତେ ଗତକାଲି ସରକାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉତ୍ଥାପିତ ପ୍ରତ୍ୟେକଟି ପ୍ରସଙ୍ଗ ଉପେରେ ଆମେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ।’ ଏଥିସହ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ଗଠନମୂଳକ ଓ ଫଳପ୍ରଦ ହେବ ବୋଲି ଆଶା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଶୀତକାଳୀନ ଅଧିବେଶନ ପାଇଁ ସବୁ ବିରୋଧୀ ଦଳ ଗୁଡ଼ିକର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଯଦି ଆବଶ୍ୟକ ପଡ଼େ ବିଳମ୍ବିତ ସନ୍ଧ୍ୟା ପର‌୍ୟ୍ୟନ୍ତ ସଂସଦକୁ ଚାଲୁ ରଖିବା ସହ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ଗୃହୀତ କରାଯିବ ବୋଲି ମଧ୍ୟ ସର୍ବଦଳୀୟ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ତେବେ, ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପ୍ରକାର ବକ୍ତବ୍ୟରେ ସନ୍ତୁଷ୍ଟ ନାହାନ୍ତି। ରାଫେଲ ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରାଇବା ସହ ସିବିଆଇ ଓ ରିଜର୍ଭ ବ୍ୟାଙ୍କ୍ ପ୍ରସଙ୍ଗରେ ସରକାର ଓ ସରକାରୀ ଦଳକୁ ସଂସଦର ଶୀତକାଳୀନ ଅଧିବେଶନରେ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି।