ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ ! ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ

29

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ଜାନୁଆରୀ ୫ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୪ଟି କାର୍ଯ୍ୟଦିବସ ରହିଛି । ସଂସଦ ଶୀତକାଳିନ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଗୁଜୁରାଟ ନିର୍ବାଚନ ପାଇଁ ଏହି ଅଧିବେଶନକୁ ବିଳମ୍ବ କରିଥିବାରୁ ବିରୋଧୀ ଶାସକ ଦଳକୁ ଘେରିବେ ବୋଲି ଜଣାପଡିଛି । ଏହି ଅଧିବେଶନରେ କେନ୍ଦ୍ର ସରକାର ୨୫ଟି ବିଲ୍ ଆଗତ କରିବା ସହ ପାରିତ କରିବାକୁ ଉଦ୍ୟମ କରିବେ । ଏଥିରେ ଖାଉଟି ସୁରକ୍ଷା ବିଲ୍, କୃଷି ବ୍ୟାଙ୍କ, ଆର୍ଥିକ ସଂସ୍କାର ବିଲ୍ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ରହିଛି ।

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗୁରୁବାର ସଂଧ୍ୟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନର ସଫଳତା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ଏହି ଅବସରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ପ୍ରସଙ୍ଗ ପୁଣି ଥରେ ଉଠାଇଛନ୍ତି ମୋଦି । ଏନେଇ ସଂସଦୀୟ ବ୍ୟାପାରମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି ।

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ତେବେ ଏହାପୂର୍ବରୁ ଦଳର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସଂସଦରେ ମହାନଦୀ ଓ ପୋଲାଭରମକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ଦଳ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଅଣିବ ଏବଂ ଗୃହରେ ସମଭାବାପନ୍ନ ଦଳଙ୍କ ସହଯୋଗ ଲୋଡିବ ବୋଲି କହିଛି । ତେବେ ପ୍ରଶ୍ନ ଉଠୁଛି, ମହାନଦୀ ପ୍ରସଙ୍ଗରେ ଦଳ କଂଗ୍ରେସର ସହଯୋଗ ଲୋଡିବ କି? ଗୁରୁବାର ନବୀନ ନିବାସରେ ବସିଥିବା ବିଜେଡି ସଂସଦୀୟ ଦଳର ବୈଠକରେ ଏନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି ।