ଆସନ୍ତାକାଲିଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ଉତରାଖଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

23

ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏଥିପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଏହି ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ତେବେ ସଂସଦର ଏହି ଅଧିବେଶନ ଶାସକ ଦଳ ପାଇଁ ଏତେଟା ସହଜ ହେବନାହିଁ ।କାରଣ ରୃହକୁ ଆଚ୍ଛାତିଦ କରିପାରେ ଉତରାଖଣ୍ଡ ପ୍ରସଙ୍ଗ । ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ କଂଗ୍ରେସ । ସେହିପରି ମରୁଡି ଓ ଜଳ ସଂକଟ ବିରୋଧୀଙ୍କ ପାଇଁ ମୁଖ୍ୟ ମୁଦ୍ଦା ରହିବ । ଓଡିଶା ସମେତ ଦେଶର ୧୩ଟି ରାଜ୍ୟରେ ମରୁଡି ପରିସ୍ଥିତି ଭୟଙ୍କର ରୂପ ନେଇଥିବା କୁହାଯାଉଛି । ତେଣୁ ବିଜେଡି ପକ୍ଷରୁ ଲୋକସଭାରେ କଳିକେଶ ନାରାୟଣ ସିଂଦେଓ ଏବଂ ରାଜ୍ୟସଭାରେ ଏ.ୟୁ. ସିଂଦେଓ ମରୁଡି ଆଲୋଚନା ପାଇଁ ନୋଟିସ ଦେଇଛନ୍ତି । ସେହିପରି କଳାହାଣ୍ଡି ନର୍ଲାରୁ ରେଳ ୱାଗନ କାରଖାନା ସ୍ଥାନାନ୍ତର ପ୍ରସଙ୍ଗ ମଧ୍ୟ ଉଠାଇପାରେ ବିଜେଡି । ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମେ’ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୧୫ଟି କାର୍ଯ୍ୟ ଦିବସରେ ସରକାର ଆର୍ଥିକ ବିଲ, ରେଳ ଅନୁମୋଦନ ବିଲ, ଉତରାଖଣ୍ଡ ଅଧ୍ୟାଦେଶ, ଜିଏସଟି ବିଲ, କାରଖାନା ଓ ବନୀକରଣ ପାଣ୍ଠି ବିଲ ଆଦି ଆଣିପାରନ୍ତି ।

ସଂସଦରେ ଓଡିଶାର ଦାବି ପାଇଁ ଲଢେଇ କରିବେ ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ଆସନ୍ତାକାଲି ସଂସଦ ବଜେଟ ଅଧିବେଶନ ପୂର୍ବରୁ ନବୀନଙ୍କୁ ଭେଟିବ ବିଜେଡି ସଂସଦୀୟ ଦଳ । ଗୃହରେ ନିଜର ଅଭିମୁଖ୍ୟ ରଖିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିବା ସମ୍ଭାବନା ରହିଛି ।