ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ! ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ବିଜେପିକୁ ଘେରିବେ ବିରୋଧୀ, କାଉଂଟର କରିବାକୁ ଆସୁଛି ‘ପଳାତକ ଆର୍ଥିକ ଅପରାଧୀ ବିଲ’

27

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବାରୁ ଗୃହ କାର୍ଯ୍ୟ ଚଳାଇବା ସରକାରଙ୍କ ପାଇଁ ଏତେଟା ସହଜ ହେବ ନାହିଁ । ବିଶେଷ କରି ବିଭିନ୍ନ ବ୍ୟାଙ୍କ ଦୁର୍ନୀତିକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ କାଠଗଡାରେ ଛିଡା କରିପାରନ୍ତି କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳ । ୧୧ ହଜାର ୪ଶହ କୋଟିର ପିଏନବି ଦୁର୍ନୀତି ବିରୋଧୀଙ୍କ ପ୍ରମୁଖ ପ୍ରସଙ୍ଗ ହେବ । ଏପରିକି ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ଉପ-ନେତା ଆନନ୍ଦ ଶର୍ମା ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଆଗୁଆ ନୋଟିସ ଦେଇଛନ୍ତି । ହେଲେ ବିରୋଧୀଙ୍କୁ କାଉଂଟର କରିବା ଲାଗି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ଏନଡିଏ ସରକାର ।

ଉତରପୂର୍ବାଂଚଳର ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ମେଂଟ ସହଯୋଗୀଙ୍କ ପ୍ରଦର୍ଶନ ଭଲ ରହିଥିବାରୁ କେନ୍ଦ୍ର ସରକାରଙ୍କ ମନୋବଳ ବଢିଛି । ଏହାଛଡା ନିରବ ମୋଦିଙ୍କ ପିିଏନବି ଦୁର୍ନୀତି ୟୁପିଏ ଅମଳର ବୋଲି କହିଆସୁଛି ବିଜେପି । ସେପଟେ ବ୍ୟାଙ୍କ ଦୁର୍ନୀତି ରୋକିବାକୁ ମୋଦି ସରକାର ଫ୍ୟୁଜିଟିଭ ଇକୋନୋମିକ ଅଫେଣ୍ଡର୍ସ ବିଲ ବା ପଳାତକ ଆର୍ଥିକ ଅପରାଧୀ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ପାସହେଲେ ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରି ଅପରାଧୀଙ୍କ ସଂପତି ବାଜ୍ୟାପ୍ତି ପାଇଁ ସରକାରଙ୍କୁ ସଂପୂର୍ଣ୍ଣ କ୍ଷମତା ମିଳିବ ।

ଏହାଛଡା ତିନି ତଲାକ ବିଲକୁ ସରକାର ରାଜ୍ୟସଭାରେ ପାସ କରାଇବାକୁ ଚାହୁଁଥିବାରୁ ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ ଦଳର ସଦସ୍ୟ । ସେହିପରି ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରୁଥିବା ଅଭିଯୋଗ ଆଣି ହଙ୍ଗାମା କରିପାରେ କଂଗ୍ରେସ । ଆଇଏନଏକ୍ସ ମିଡିଆ ମାମଲାରେ କାର୍ତି ଚିଦାମ୍ବରମଙ୍କ ଗିରଫଦାରି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିପାରନ୍ତି କଂଗ୍ରେସ ସଦସ୍ୟ ।

ସେପଟେ, ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନିଷ୍ପତିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ସହ ପୋଲାଭରମ ପ୍ରସଙ୍ଗରେ ରାଜ୍ୟର ଦାବିକୁ ସଂସଦରେ ପ୍ରାଥମିକତା ଦେବାକୁ ନିଷ୍ପତି କରିଛି ବିଜେଡିା ଓଡିଶାକୁ ଗୋଟିଏ ରେଳ ଜୋନ ମଧ୍ୟକୁ ଆଣିବା, ଅଧିକ କେନ୍ଦ୍ରୀୟ ଫୋର୍ସ ଯୋଗାଇଦେବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ଦାବି କରିବା ପାଇଁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତି କରାଯାଇଛି ।