ସୁଧୁରିବ ରାଜଧାନୀର ପାର୍କିଂ ସମସ୍ୟା ! ହେବ ସ୍ମାର୍ଟ ସେୟାର ପାର୍କିଂ। କମିବ ପାର୍କିଂ ଫି

54

କନକ ବ୍ୟୁରୋ : ଦିନକୁ ଦିନ ରାଜଧାନୀରେ ପାର୍କିଂ ସମସ୍ୟା ଉକ୍ରଟ ରୂପ ନେଲାଣି । ରାସ୍ତା ଉପରେ ପାର୍କିଂ ଯୋଗୁ ଯାତାୟତରେ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି । ଏଥିପାଇଁ ବାରମ୍ବାର ଦୁର୍ଘଟଣା ବି ଘଟୁଛି । ତେବେ ପାର୍କିଂ ସମସ୍ୟାର ସମାଧାନ ପାଇଁ ଅଂଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଅଧିକ ପାର୍କିଂ ସ୍ଲଟ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସି ପକ୍ଷରୁ ଯୋଜନା ଆରମ୍ଭ ହୋଇଛି।

ସ୍ମାର୍ଟ ସେୟାର ପାର୍କିଂ ନାମକ ଏହି ଯୋଜନାରେ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାଠାରୁ ଜମି ଆଣି ଏହାକୁ ପାର୍କିଂ ପାଇଁ ବ୍ୟବହାର କରାଯିବ। ଯଦି ରାସ୍ତା କଡ଼ରେ କାହାର ଜମି ଅବ୍ୟବହୃତ ହୋଇ ପଡ଼ିଥିବ ତେବେ ସେ ବିଏମସିକୁ ପାର୍କିଂ ପାଇଁ ଏହାକୁ ଭଡ଼ାରେ ଦେଇପାରିବେ। ବିଏମସି କମିସନର କ୍ରିଷନ କୁମାର କହିଛନ୍ତି ଯେ, ଖୁବ ଶୀଘ୍ର ରାଜଧାନୀର କେତେକ ସ୍ଥାନରେ ବିଭିନ୍ନ ଅଞ୍ଚଳକୁ ନେଇ ଗୋଟିଏ ଟେଣ୍ଡର କରାଯିବ। ଏହାଦ୍ୱାରା ଲୋକ ଅଧିକ ପାର୍କିଂ ଫି’ ଦେବେ ନାହିଁ। ଏହାବାଦ ଏବେ ରାଜମହଲ ଓ ସହିଦନଗରରେ ଦୁଇଟି ବହୁତଳ ପାର୍କିଂ ପାଇଁ କାର୍ୟ୍ୟାଦେଶ ଦିଆଯାଇଥିବାବେଳେ ଏକ ମାସ ମଧ୍ୟରେ କାମ ଆରମ୍ଭ ହେବ।

ଏସବୁ ବାଦ ରାଜଧାନୀର ବ୍ୟସ୍ତବହୁଳ କେତୋଟି ଅଞ୍ଚଳରେ ସ୍ମାର୍ଟ ସେୟାର ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଘରୋଇ ଜମିକୁ କିଛି ବର୍ଷ ପାଇଁ ଭଡ଼ା ସୂତ୍ରରେ ଆଣି ପାର୍କିଂ ପାଇଁ ବ୍ୟବହାର କରାଯିବ। ସରକାରୀ ଜମିରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ହେବ। ଏଥିପାଇଁ କଟକ ରୋଡ, ଜନପଥ ଭଳି ସ୍ଥାନରେ ଏହି ବ୍ୟବସ୍ଥା ପ୍ରଥମେ ଆରମ୍ଭ ହେବ। ଏବେ ରାମ ମନ୍ଦିର ପଛ ପାର୍ଶ୍ୱରେ କ୍ରୀଡ଼ା ବିଭାଗର ପ୍ରାୟ ୩ ଏକର ଜମି ଥିବାବେଳେ ଏହା ଅବ୍ୟବହୃତ ହୋଇ ଅଛି। ତେଣୁ ଏହି ସ୍ଥାନରେ ଆମେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବୁ। କ୍ରୀଡ଼ା ବିଭାଗଠାରୁ ଏହି ଜମି ଲିଜ ଆକାରରେ ଅଣାଯିବ। ଆମେ ମାଟି ତଳେ ପାର୍କିଂ ବ୍ୟବସ୍ଥା କରିବୁ।

ଏହା ଉପରେ କ୍ରୀଡ଼ା ବିଭାଗ ତା’ର ପ୍ରକଳ୍ପ କରିପାରିବ। ସେହିପରି କଳ୍ପନା ଛକ ନିକଟରେ ପଞ୍ଚାୟତିରାଜ ବିଭାଗର ପ୍ରାୟ ୨ ଏକର ଜମିଥିବାବେଳେ ଏହାକୁ ମଧ୍ୟ ଏହିଭଳି ବ୍ୟବହାର କରିବାକୁ ଯୋଜନା ଅଛି।ସେହିପରି ରାଜଧାନୀରେ ଥିବା କେତେକ ସ୍କୁଲର ଖେଳ ପଡ଼ିଆକୁ ଆମେ ସ୍ମାର୍ଟ ସେୟାର ପାର୍କିଂରେ ବ୍ୟବହାର କରିବାକୁ ଯୋଜନା କରିଛୁ। ଏଥିରେ ଖେଳ ପଡ଼ିଆ ତଳେ ଆମେ ପାର୍କିଂ ବ୍ୟବସ୍ଥା କରିବୁ।

ସ୍କୁଲ ସମୟରେ ଏଠାରେ ପାର୍କିଂ ହେବନି। ସ୍କୁଲ କର୍ତ୍ତୃପକ୍ଷ ଏହାକୁ ବ୍ୟବହାର କରିପାରିବେ। ଏହି ପାର୍କିଂସ୍ଥଳୀ ଅପରାହ୍ନ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବହାର ହେବ। ଏଥିପାଇଁ ଏବେ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏହାକୁ ଚୂଡାନ୍ତ ରୂପ ଦିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି।