ପାର୍କିଂ ଆଢ଼ୁଆଳରେ ଲୁଚିଯାଉଛି ସହରର ସୌନ୍ଦର୍ଯ୍ୟ : ସାଇକେଲ୍ ଟ୍ରାକରେ ପାର୍କିଂ ହେଉଛି କାର ଓ ବାଇକ୍

ରସୁଲଗଡ଼ ଓଭରବ୍ରିଜ୍‌ ଖୁଣ୍ଟରେ ଲୁଚିଯାଉଛି ଅଧିନାୟକଙ୍କ ମୁହଁ

80

ହକି ବିଶ୍ବକପ୍‌ ପାଇଁ ସଜେଇ ହୋଇଛି ମନ୍ଦିର ମାଳିନୀ ସହର। ଉପକଣ୍ଠକୁ ଛାଡ଼ି ସହରର ମଧ୍ୟ ଭାଗ ଚକାଚକ୍‌ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କିଟ୍‌ ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବ କାନ୍ଥ ବି ନୂଆ ରୂପ ପାଇଛି। ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍‌ ତଳ ରଙ୍ଗିନ ଆଲୋକମାଳା ଓ ଚିତ୍ରକଳା‌ରେ ଝଟକୁଛି। ରାସ୍ତାପାର୍ଶ୍ବରେ ପଥଚାରୀଙ୍କ ପାଇଁ ଫୁଟ୍‌ପାଥ ଓ ସାଇକେଲ୍‌ ଚାଳକଙ୍କ ପାଇଁ ଟ୍ରାକ୍‌ ବି ଚିହ୍ନଟ ହୋଇଛି। ଏତେ ସବୁ ପରେ ବି ‌ସହରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି ଦେଶୀ ଓ ବିଦେଶୀ ପର୍ଯ୍ୟଟକ। ପାର୍କିଂ ଆଢ଼ୁଆଳରେ ଲୁଚିଯାଉଛି ସୌନ୍ଦର୍ଯ୍ୟ। ସାଇକେଲ୍‌ ଟ୍ରାକ୍‌ ଓ ଫୁଟ୍‌ପାଥ ପାଇଁ ଚିହ୍ନଟ ରାସ୍ତାରେ ପାର୍କିଂ ହେଉଛି ବାଇକ୍‌ ଓ କାର୍‌।

ଏଥିପ୍ରତି କାହାର ବି ନିଘା ନାହିଁ। ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଏକାମ୍ର କ୍ଷେତ୍ର ସମେତ ରାଜଭବନରୁ କିଟ୍‌ ଛକ, ବିମାନବନ୍ଦରରୁ ରାଜଭବନ ଛକ, ଏଜି ଛକରୁ ସୈନିକ ସ୍କୁଲ ରାସ୍ତା, ଶିଶୁଭବନ ଛକରୁ ବାଣୀବିହାର, ରାଜଭବନରୁ ଡେଲ୍‌ଟା ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟକରଣ ହୋଇଛି। ‌‌ହେଲେ ସହରର ପ୍ରବେଶ ପଥ ରସୁଲଗଡ଼ ଓଭରବ୍ରିଜ୍‌ ତଳ ପାର୍ଶ୍ବର ରାସ୍ତାର ଆଲୋକୀକରଣ ହୋଇନି। ଗତ ଦୁଇ ଦିନ ତଳେ ତରବରିଆ ଭାବେ ୧୬ଟି ଟିମ୍‌ର ଅଧିନାୟକଙ୍କ ପ୍ରତିଛବିକୁ ଓଭରବ୍ରିଜ୍‌ ଖୁଣ୍ଟରେ ଅଙ୍କା ଯାଇଛି। ୮ଟି ଖୁଣ୍ଟରେ ୧୬ଟି ଦଳର ଅଧିନାୟକଙ୍କ ଚିତ୍ର ଥିଲେ ମଧ୍ୟ ତାହା ଲୋକଙ୍କ ଦୃଷ୍ଟିକୁ ଆସିପାରୁ ନାହିଁ। ଓଭରବ୍ରିଜ୍‌ର ପ୍ରତି ଖୁଣ୍ଟ ନିକଟରେ ଟ୍ରକ୍‌, ଜେସିବି ଓ ଅଟୋ ପାର୍କିଂ କରାଯାଉଛି।  କେତେକ ଖୁଣ୍ଟରେ ଏପର୍ଯ୍ୟନ୍ତ ରଙ୍ଗ ଲଗାଯାଇ ନାହିଁ। ଏହି ରାସ୍ତା ଦେଇ ଖେଳାଳି ଏସ୍‌ପ୍ଲାନେଡ୍‌ ଯାଉଥିଲେ ମଧ୍ୟ ସେଥିପ୍ରତି କାହାର ବି ଧ୍ୟାନ ନାହିଁ।

ଅନ୍ୟପକ୍ଷରେ ସହରର ପ୍ରତି ସ୍ଥାନରେ ପାର୍କିଂ ସମସ୍ୟା ଜଟିଳ ହେବାରେ ଲାଗିଛି। ଯେଉଁ ସବୁ ରାସ୍ତାରେ ସାଇକେଲ୍‌ ଟ୍ରାକ୍‌ ହୋଇଛି ସେଠାରେ କାର, ବାଇକ୍‌ ପାର୍କିଂ ହେଉଛି। ଫଳରେ ସାଇକେଲ୍‌ ଚାଳକଙ୍କୁ ହଟହଟା ହେବାକୁ ପଡ଼ୁଛି।  ଗାଡ଼ିଗୁଡ଼ିକ ଏମିତି ପାର୍କିଂ ହେଉଛି ଯେ କାନ୍ଥରେ କରାଯାଇଥିବା ଚିତ୍ରଗୁଡ଼ିକୁ ଦେଖିବାରୁ ଲୋକେ ବଞ୍ଚିତ ହେଉଛନ୍ତି।  ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।