ସେଲିବ୍ରିଟିଙ୍କୁ ସିଏଏକୁ ବିରୋଧ କରିବା ପଡିଲା ମହଙ୍ଗା ! “ବେଟି-ବଚାଓ ,ବେଟି-ପଢାଓ” ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟିଲେ ଅଭିନେତ୍ରୀ ପରୀନିତି ଚୋପ୍ରା ଓ ସାବଧାନ୍ ଇଣ୍ଡିଆ ଉପସ୍ଥାପକ ସୁଶାନ୍ତ ସିଂହ

687

ସାରା ଦେଶରେ ନାଗରିକତା ସଂଶୋଧନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ପ୍ରଦର୍ଶନରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡର ନାମିଦାମି କଳାକାର ମଧ୍ୟ ବିରୋଧ ଭାବ ଦେଖାଇଛନ୍ତି । ଜାମିଆ ଓ ଅଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟ ଛାତ୍ରଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନକୁ ଦେଖି ପୁଲିସ ଲାଠି ଚାର୍ଜ କରିଥିଲା ।

ଏହାକୁ ନେଇ ସରକାର ଓ ପ୍ରଶାସନକୁ ତୀବ୍ର ଭାବେ ନିନ୍ଦା କରାଯାଇଥିଲା । ବଲିଉଡ୍ ଜଗତର ଆଗଧାଡିର ଅଭିନେତ୍ରୀ ପରୀନିତି ଚୋପ୍ରା ଏହି ଘଟଣା ଆଧାରରେ ଟ୍ୱିଟ କରି ନିନ୍ଦା କରିଥିଲେ । ବର୍ତ୍ତମାନ କୁହାଯାଉଛି ହରିୟାଣା ସରକାର ପରୀନିତି ଚୋପ୍ରାଙ୍କୁ “ବେଟି-ବଚାଓ ,ବେଟି-ପଢାଓ” ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାଇ ଦେଇଛନ୍ତି ।

ପରୀନିତି ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ, ‘ନାଗରିକତା ବିଚାର କରୁଥିବା ଲୋକଙ୍କ ସାଙ୍ଗରେ ଏହିପରି କରାଯାଏ । ଏଠାରେ ଯଦି ଏହିପରି ନିର୍ଦ୍ଦେଶ ନିଆଯାଏ ତାହେଲେ ଲୋକତନ୍ତ୍ର ଶବ୍ଦ ଉଠାଇ ଦେବା ଉଚିତ, ଯିଏ ଏଠାରେ ନିଜର ବିଚାର ରଖିବ ତାଙ୍କୁ ଅର୍ଥାତ ନିର୍ଦ୍ଦୋଶ ଲୋକଙ୍କୁ ଏହିପରି ମାଡ ମରାଯାଉଛି ।’ ତେବେ ଏନେଇ ପରୀନିତିଙ୍କ ପ୍ରତିକ୍ରିୟା ମିଳିନାହିଁ । ସେହିପରି ‘ସାବଧାନ ଇଣ୍ଡିଆ’ ଉପସ୍ଥାପକ ସୁଶାନ୍ତ ସିଂହଙ୍କୁ ସୋ’ରୁ ବାହାର କରାଯାଇଛି । ସୁଶାନ୍ତଙ୍କ କହିବା ଅନୁଯାୟୀ, ସାବଧାନ ଇଣ୍ଡିଆ ନୂଆ ରୁପରେ ଆସୁଥିବା ବେଳେ ସୁଶାନ୍ତ ତାଙ୍କ ପ୍ରଥମ ସୋ’ ସୁଟ କରୁଥିଲେ । ସେତିକିବେଳେ ସେ ଏହି ନାଗରିକତା ସଂଶୋଧନ ଆଇନ ବିଷୟରେ କହିଥିଲେ । ସୋ ସରିଲା ପରେ ଘରେ ପହଞ୍ଚିଲା ସମୟରେ ତାଙ୍କୁ ‘ସାବଧାନ ଇଣ୍ଡିଆ’ ଟିମ ପକ୍ଷରୁ ଏକ ମେସେଜ ଯାଇଥିଲା ଓ ଲେଖା ହୋଇଥିଲା ଏହା ତାଙ୍କର ଶେଷ ସୋ । ଘଟଣାଟି ଠିକ ଭାବେ ଜଣା ପଡିନାହିଁ ହେଲେ ସୁଶାନ୍ତ କହିଛନ୍ତି, ତାଙ୍କର ଏନେଇ କୌଣସି ଦୁଃଖ ନାହିଁ । କାରଣ ଯାହା ଉଚିତ ସେ ତାହା କହିଛନ୍ତି । ଆଉ ଏତେ ବଡ ଘଟଣା ପାଇଁ ତାଙ୍କ ହାତରୁ ସୋ’ ଯିବା ସାମାନ୍ୟ କଥା ।