ଆଜି ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ପରୀକ୍ଷା ସମୟରେ କେମିତି ରହିବେ ଚାପ ମୁକ୍ତ ବତାଇବେ ଉପାୟ । ପିଲା ପଚାରିବେ ପ୍ରଶ୍ନ, ଉତ୍ତର ଦେବେ ମୋଦି

ଦିନ ୧୧ଟାରେ ଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ’

116

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଜି ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ । ଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ଦିନ ୧୧ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ କ୍ଲାସ ନେବେ ମୋଦି । ଏହି ଅବସରରେ ପରୀକ୍ଷାର୍ଥୀ ପ୍ରଶ୍ନ ପଚାରିବେ ଓ ତାହାର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ । ଏଥିରେ ଦିବ୍ୟାଙ୍ଗ ଛାତ୍ରଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳିବ । ପରୀକ୍ଷା ସମୟରେ କିପରି ଚାପ ଓ ଭୟ ମୁକ୍ତ ରହିବେ ସେନେଇ ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ରୀ ଦେବେ ନରେନ୍ଦ୍ର ମୋଦି ।

ପ୍ରତିବର୍ଷ ଭଳି କାର୍ଯ୍ୟକ୍ରମକୁ ନେଇ ଦଶମ ଓ ପ୍ଲସଟୁ ପିଲାଙ୍କ ମଧ୍ୟରେ ଉତ୍ସାହ ରହିଛି । ଗତ ବର୍ଷ ତୁଳନାରେ ଚଳିତ ଅଧିକ ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଉଥିବା କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଗତବର୍ଷ ୧୫ ଜଣ ଛାତ୍ର ସିଧା ମୋଦିଙ୍କ ପ୍ରଶ୍ନ କରିଥିବା ବେଳେ ଚଳିତ ବର୍ଷ ୬୦ ଜଣ ଛାତ୍ର ପ୍ରଶ୍ନ କରିବେ ବୋଲି ସୂଚନା ମିଳିଛି । ଏହାଛଡା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଉଭୟ ଗ୍ରାମାଂଚଳ ଓ ସହରାଂଚଳରୁ ସମାନ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି ।