ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ! କହିଲେ ‘ପରୀକ୍ଷା ହଲ୍ ବାହାରେ ରହିଛି ବଡ ଦୁନିଆ’, ଭୁଲ ହେଲେ ବଦଳିଯିବନି ଭବିଷ୍ୟତ

116

କନକ ବ୍ୟୁରୋ :  ଦିଲ୍ଲୀ ତାଲକୋଟରା ଷ୍ଟାଡ଼ିୟମରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଓ ଅଭିଭାବକ ମଧ୍ୟ ଭାଗ ନେଇଛନ୍ତି । ବର୍ତ୍ତମାନ ମୋଦି ଚାପମୁକ୍ତ ପରୀକ୍ଷା ଉପରେ ଆଲୋଚନା କରୁଛନ୍ତି । ଏହି ଅବସରରେ କିଛି ବଛା ବଛା ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ସହ ସାକ୍ଷାତ କରିବାକୁ ଅବସର ମିଳିବ । ପରୀକ୍ଷା ପେ ଚର୍ଚ୍ଚାର ଶୁଭାରମ୍ଭ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ହୋଇଥିଲା । ଗତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଦିଲ୍ଲୀ ଏନସିଆରର ବିଦ୍ୟାର୍ଥୀ ଯୋଗ ଦେଇଥିଲେ । କିନ୍ତୁ ଏଥର କେବଳ ଦେଶ ନୁହେଁ ବରଂ ଋଷ, ନାଇଜେରିଆ, ଇରାନ, ନେପାଳ, କୁବେତ, ସାଉଦୀ ଆରବ, ସିଙ୍ଗାପୁର ଭଳି ଦେଶରୁ ଛାତ୍ରମାନେ ଯୋଗ ଦେଇଛନ୍ତି । ମୋଦି କହିଛନ୍ତି. . .

– ପରୀକ୍ଷା ବାହାରେ ମଧ୍ୟ ବଡ଼ ଦୁନିଆ ଅଛି । ପରୀକ୍ଷାର ମହତ୍ୱ ରହିଛି , ହେଲେ ପରୀକ୍ଷାକୁ ବୋଝ ପରି ନେବା ଉଚିତ୍ ନୁହେଁ । ପରୀକ୍ଷାରେ ଭୁଲ ହେଲେ ଦୁନିଆ ବଦଳି ଯିବନି ।

–  ସର୍ବଦା ପିତାମାତାଙ୍କ ପରାମର୍ଶ ଓ ଉପଦେଶକୁ ନିଷ୍ଠାର ସହିତ ମାନିବା ଉଚିତ। ନିଜ ନିଷ୍ଠା ଓ ଆତ୍ମବିଶ୍ୱାସ ଉପରେ ଛାତ୍ରଛାତ୍ରୀ ଭରସା କରିବା ଉଚିତ

– ଜୀବନରେ ଆଗକୁ ବଢ଼ିବା ପାଇଁ ଆଶା ଓ ଅପେକ୍ଷା ଆବଶ୍ୟକ

– ରିପୋର୍ଟ କାର୍ଡ଼ କାହାର ଭିଜିଟିଂ କାର୍ଡ଼ ନହେଉ

– ଆଗାମୀ ପିଢ଼ୀକୁ ଟେକ୍‌ନୋଲୋଜି ଠାରୁ ଦୂରରେ ରଖିହେବ ନାହିଁ । ଟେକିନିକ୍ ବ୍ୟବହାର ବିଷୟରେ ବର୍ତ୍ତମାନ ସମୟରେ ମା’ବାପା ଅବଗତ ହେବା ନିହାତି ଆବଶ୍ୟକ

– ଜୀବନ ପ୍ରତିକ୍ଷଣ ସଂଘର୍ଷମୟ । ପିଲାଙ୍କୁ ଅତ୍ୟଧିକ ଚାପ ଦେବା ଉଚିତ ନୁହେଁ । ଅତ୍ୟଧିକ ଚାପ ପ୍ରଭାବରେ କାମ ଭୁଲ ହୋଇଯାଏ । ପିଲାକୁ ତାର ଭବିଷ୍ୟତର ନିର୍ଣ୍ଣୟ ନେବାକୁ ପିତାମାତାମାନେ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇଦେବା ଉଚିତ ।

– ଜ୍ଞାନ ପଛରେ ଦୌଡ଼ିବା ଉଚିତ୍ ,ନମ୍ବର ପଛରେ ନୁହେଁ । ନମ୍ବର ପଛରେ ପଡ଼ିଲେ ପଛରେ ପଡ଼ିଯିବ । ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ ଦେବା ଅଧିକ ଜରୁରୀ ।