IITରୁ ପାସ୍ କରିଥିବା ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ପାରିକର । ରାଜନୀତିରେ ‘ମିଷ୍ଟର କ୍ଲିନ’ ନେତା ଭାବେ ପାଇଥିଲେ ପରିଚୟ

505

କନକ ବ୍ୟୁରୋ : ଚିରନିଦ୍ରାରେ ପାରିକର । ଗୋଆ ମୁଖ୍ୟମନ୍ତ୍ରୀ ତଥା ମୋଦି ସରକାରର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଥିବା ମନେହାର ପାରିକର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଆଇଆଇଟି ଛାତ୍ରରୁ ଗୋଆ ମୁଖ୍ୟମନ୍ତ୍ରୀ ଯାତ୍ରା ପାରିକରଙ୍କ ପାଇଁ ଏତେ ସହଜ ନଥିଲା । କଂଗ୍ରେସ ଗଡରେ ପଦ୍ମ ଫୁଟାଇବା ପାରିକରଙ୍କ ପାଇଁ ସବୁଠୁ ବଡ ସଫଳତା ଥିଲା ।

ଆଇଆଇଟି ବମ୍ବେର ଛାତ୍ର ପାରିକର ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶେଷ ଥର ପାଇଁ ସେ ୨୦୧୭ ମାର୍ଚ୍ଚ ୧୪ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହା ପୂର୍ବରୁ ପାରିକର ୨୦୧୨ ମାର୍ଚ୍ଚ ୯ରୁ ୨୦୧୪ ନଭେମ୍ବର ୮, ୨୦୦୦ ଅକ୍ଟୋବର ୨୪ରୁ ୨୦୦୫ ଫେବ୍ରୁଆରି ୨ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ପାରିକର ୨୦୧୪ ନଭେମ୍ବର ୯ରୁ ୨୦୧୭ ମାର୍ଚ୍ଚ ୧୩ ଯାଏଁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

ବିଦ୍ୟାଳୟରେ ପାଠ ପଢ଼ିବା ସମୟରୁ ପାରିକର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତି ଆକୃଷ୍ଟ ହୋଇଥିଲେ। ସ୍କୁଲ ପାଠ ଶେଷ ହେବା ପରେ ସେ ଆରଏସ୍‌ଏସ୍‌ର ମୁଖ୍ୟ ଶିକ୍ଷକ ହୋଇଥିଲେ। ୨୬ ବର୍ଷ ବୟସରେ ଆରଏସ୍‌ଏସ୍‌ ସଂଚାଳକ ହୋଇପାରିଥିଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନରେ ଦକ୍ଷିଣ ଗୋଆର ନେତୃତ୍ୱ ନେଇଥିଲେ। ସେ ୧୯୭୮ ମସିହାରେ ଆଇଆଇଟି ମୁମ୍ବାଇରୁ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ପାରିକର ୧୯୯୪ରେ ଗୋଆ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲା। ସେ ଥିଲେ ଆଇଆଇଟିରୁ ପାସ୍‌ କରିଥିବା ପ୍ରଥମ ବିଧାୟକ।

୧୯୯୪ରେ ପ୍ରଥମ ଥର ବିଜେପି ଟିକେଟରେ ବିଧାୟକ ହେବା ପରେ ପାରିକରଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ି ନ ଥିଲା । ସେ ୧୯୯୯ରେ ଗୋଆ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିଲେ। ବର୍ଷ ୨୦୦୦ରେ ପ୍ରଥମ ଥର ଗୋଆ ମୁଖ୍ୟମନ୍ତ୍ରୀ, ୨୦୧୪ରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ପାରିକର ମୋଦି ସରକାରରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା।

ଗତ ବର୍ଷ ଫେବ୍ରୁଆରୀ ମାସରେ ପାରିକର ପାନକ୍ର୍ରିଆଟିକ ରୋଗରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ, ଦିଲ୍ଲୀ ଏପରିକି ଆମେରିକା ନିଆଯାଇଥିଲା । ତେବେ ଦୀର୍ଘ ଦିନ କ୍ୟାନସର ଲଢେଇ କରିବା ପରେ ମାର୍ଚ୍ଚ ୧୭ରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ପାରିକର ।