ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି ! ଏଣିକି ୩ ଥର ବିଶୃଙ୍ଖଳା କଲେ କଟିବ ମନ୍ଦିରର ସେବା ଅଧିକାର

ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି

68

କନକ ବ୍ୟୁରୋ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବିଶୃଙ୍ଖଳିତ ସେବକଙ୍କୁ ଠାକୁରଙ୍କ ସେବାରୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏଥି ପାଇଁ ସମ୍ପୃକ୍ତ ସେବକଙ୍କୁ ତିନି ଥର ସୁଯୋଗ ଦିଆଯିବ। କୌଣସି ସେବକଙ୍କ ବିଶୃଙ୍ଖଳାକୁ ୩ ଥର ଯାଏ ମନ୍ଦିର ପ୍ରଶାସନ ବରଦାସ୍ତ କରିବ। ଏହା ପରେ ଚତୁର୍ଥ ଥର ଭୁଲ କଲେ ତାଙ୍କୁ ପ୍ରଶାସନ ଦେଇଥିବା ସେବକ ସ୍ବୀକୃତିକୁ ପ୍ରତ୍ୟାହାର କରି ନିଆଯିବ। ଅର୍ଥାତ୍ ଯେଉଁ ଶାଢ଼ୀ ବାନ୍ଧି ସେବକ ମାନ୍ୟତା ଦିଆଯାଇଥିବ, ସେହି ଶାଢ଼ୀ ପ୍ରତ୍ୟାହାର ହୋଇଯିବ। ସଂପୃକ୍ତ ସେବକ ଠାକୁରଙ୍କ ସେବା କରିବାର ଅଧିକାର ହରାଇବେ ବୋଲି ବୈଠକରେ ଧାର୍ଯ୍ୟ ହୋଇଛି।

ଏହାଦ୍ବାରା ଶ୍ରୀମନ୍ଦିର ନୀତିରେ ଶୃଙ୍ଖଳା ଆସିବା ସହ ସେବାୟତମାନେ ଶୃଙ୍ଖଳିତ ହୋଇ ପାରିବେ ବୋଲି ପରିଚାଳନା କମିଟି ଆଶା ପ୍ରକାଶ କରିଛି। ଏହାବ୍ୟତୀତ ଶ୍ରୀଜଗନ୍ନାଥଙ୍କ ନାମରେ ରୁପା ପଦକ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ୨୦ ଗ୍ରାମ୍ ଓଜନର ଏହି ପଦକର ମୂଲ୍ୟ ୨ରୁ ୩ ହଜାର ଟଙ୍କା ରଖାଯିବ। କର୍ପସ୍ ପାଣ୍ଠିକୁ ଯେଉଁମାନେ ଦାନ କରୁଛନ୍ତି ବା ମୂଳ ପାଣ୍ଠିକୁ ଦାନ ଦେଇ ମାର୍ବଲ ଫଳକ ଲଗାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି ଓ ସ୍ଥାନାଭାବ ଯୋଗୁ ମାର୍ବଲ ଫଳକ ସ୍ଥାପନ କରାଯାଇପାରୁନାହିଁ, ସେମାନଙ୍କୁ ଏହି ମୁଦ୍ରା ଦିଆଯିବ ବୋଲି ସ୍ଥିର ହୋଇଛି।

ଶ୍ରୀବିଗ୍ରହଙ୍କ ଲାଗି ଫୁଲ ଏବଂ ତୁଳସୀକୁ କମ୍ପୋଷ୍ଟ କରାଯାଇ ଆଇଟିସି କମ୍ପାନି ସେଥିରୁ ଧୂପକାଠି ପ୍ରସ୍ତୁତ କରିବ। କମ୍ପାନି ପକ୍ଷରୁ ଦୁଇଟି ବର୍ଗର ଧୂପକାଠି ପ୍ୟାକେଟ୍ ବିକ୍ରି କରାଯିବ। ୫୦ ଟଙ୍କାର ପ୍ୟାକେଟରୁ ୧ ଟଙ୍କା ଓ ୧୦୦ ଟଙ୍କାର ପ୍ୟାକେଟ୍ରୁ ୨ ଟଙ୍କା ଲେଖା ଠାକୁରଙ୍କ ପାଣ୍ଠିକୁ ଆସିବ। ଓରମାସ୍ ସହ ମିଶି ଆଇଟିସି ଏହି ଧୂପ କାରଖାନା ପ୍ରତିଷ୍ଠା କରିବ ବୋଲି ଆସିଥିବା ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିଛି।