ନାବାଳିକାଙ୍କ ସୁରକ୍ଷା ପାଇଁ ଅଂଟା ଭିଡ଼ିଲା ପୁଲିସ : ସାରା ରାଜ୍ୟରେ ବୁଲିବ ପରୀ ରଥ, ୨୮ ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

155

କନକ ବ୍ୟୁରୋ : ନାବାଳିକାଙ୍କ ସୁରକ୍ଷା ପାଇଁ ଅଂଟା ଭିଡ଼ିଲା ପୁଲିସ୍ । ସାରା ରାଜ୍ୟରେ ବୁଲିବ ପରୀ ରଥ । ନାବାଳିକାଂକ ପ୍ରତି ଘଟୁଥିବା ନିର୍ଯାତନାକୁ ରୋକିବାକୁ ରାଜ୍ୟ ପୁଲିସ୍ ପକ୍ଷରୁ ପରୀ ପାଇଁ କଥାଟିଏ ନାମରେ ଏକ ଜନ ଜାଗରଣ ଆରମ୍ଭ ହେବ । ଏହି ଅଭିଯାନ ପାଇଁ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ ହୋଇ ସାରିଛି । ଏହି ମହାଅଭିଯାନକୁ ପ୍ରଥମେ ଭୁବନେଶ୍ୱରରୁ ଆରମ୍ଭ କରାଯିବ । ଚଳିତମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।

୨୮ ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ସାରା ରାଜ୍ୟରେ ପରୀ ରଥ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯିବ । ପୁଲିସ୍ ଓ ୟୁନିସେଫ୍ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏନେଇ ସୂଚନା ଦେଇଛନ୍ତି । ଜନ ଜାଗରଣ ପାଇଁ ୩୦ଟି ଜିଲ୍ଲାରେ ୧୫ଟି ପରୀ ରଥ ଗଡ଼ିବ । ଗୋଟିଏ ରଥ ୨ଟି ଜିଲ୍ଲାରେ ପରିକ୍ରମା କରିବ । ପ୍ରତି ରଥରେ ଜଣେ ନୋଡାଲ ଅଫିସରଙ୍କ ସହ ୪ ଜଣ ପୁଲିସ୍ ଅଧିକାରୀ ରହିବେ । ରଥ ଗୁଡ଼ିକରେ ଏଲଇଡି ମାଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ କରାଯିବ। ସଚେତନତା ଭିଡିଓ ପ୍ରଦର୍ଶନ ସହ ଲିଫଲେଟ୍ ପୋଷ୍ଟର ଓ ପାମ୍ପଲେଟ୍ ଲୋକଙ୍କୁ ବଂଟାଯିବ । ଜିଲ୍ଲା ସ୍ତରରେ ଆରକ୍ଷୀ ଅଧୀକ୍ଷକମାନେ ଏହରେ ନେତୃତ୍ୱ ନେବେ। ସେହିପରି ରେଞ୍ଜ ସ୍ତରରେ ରେଞ୍ଜ ଆଇଜି କିମ୍ବା ଡିଆଇଜିମାନେ ନେତୃତ୍ୱ ନେବେ।