ପରୀ ଦେଖିବନି ପାକିସ୍ତାନ ! ମୁସଲମାନ୍ ସଂପ୍ରଦାୟର ଧର୍ମୀୟ ଭାବନାରେ ଆଘାତ ଅଭିଯୋଗରେ ବ୍ୟାନ୍ ଲଗାଇଲା ପାକିସ୍ତାନ ସେନସର୍ ବୋର୍ଡ

43

ଅନୁଷ୍କାଙ୍କ ପରୀ ଚଳଚିତ୍ର ଦେଖିପାରିବେନି ପାକିସ୍ତାନୀ ଦର୍ଶକ । ଏହି ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି ପାକିସ୍ତାନର ସେନସର ବୋର୍ଡ । ଏହି ସିନେମାର କିଛି ଦୃଶ୍ୟରେ ହିନ୍ଦୁ ମନ୍ତ୍ର ସହ କୋରାନର ପଂକ୍ତି ମିଶାଇ ଆବୃତି କରାଯାଇଥିବା ଅଭିଯୋଗ ହେବା ପରେ ଏପରି ନିଷ୍ପତି ନେଇଛି ସେନସର ବୋର୍ଡ । ଗତ ମାସରେ ଅକ୍ଷୟ କୁମାରଙ୍କ ପ୍ୟାଡ଼ମ୍ୟାନ୍ ଚଳଚ୍ଚିତ୍ରକୁ ମଧ୍ୟ ବ୍ୟାନ କରିଥିଲା ପାକିସ୍ତାନ ।

ପରଦାକୁ ଆସିଛି ଅନୁଷ୍କା ଶର୍ମାଙ୍କ ଚଳଚ୍ଚିତ୍ର ‘ପରୀ’ । ହେଲେ ଏହି ବହୁଚର୍ଚ୍ଚିତ ଚଳଚ୍ଚିତ୍ରକୁ ବ୍ୟାନ୍ କରିଛି ପାକିସ୍ତାନ । ଫଳରେ ପାକିସ୍ତାନର ବଲିଉଡ୍ ପ୍ରେମୀ ଏହି ଚଳଚ୍ଚିତ୍ର ଦେଖିପାରିବେ ନାହିଁ । ଏହି ଫିଲ୍ମ ଇସଲାମ ବିରୋଧୀ ଅଭିଯୋଗ ହେବା ପରେ ଏପରି ନିଷ୍ପତି ନେଇଛନ୍ତି ପାକିସ୍ତାନୀ ସିନେମା ବିତରକ । ସିନ୍ଧ୍ ଓ ପଂଜାବ ପ୍ରଦେଶରେ ସେନସର ବୋର୍ଡ ଏହି ସିନେମାକୁ ଅନୁମତି ଦେଇଥିବା ବେଳେ ଇସଲାମବାଦରେ ଅବସ୍ଥିତ ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏହା ଉପରେ ଲଗାମ ଲଗାଇଛନ୍ତି । ଫିଲ୍ମରେ ହିନ୍ଦୁ ମନ୍ତ୍ର ସହ କୋରାନର ପଂକ୍ତି ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ସେହିପରି ଗୁଣିଗାରେଡ଼ିରେ କୋରାନର ପଂକ୍ତି ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଫିଲ୍ମରେ ବ୍ୟାନ ଲାଗିବା ପରେ ବିକ୍ରି ହୋଇଥିବା ଟିକେଟର ମୂଲ୍ୟ ଫେରସ୍ତ ପାଇଁ ନିଷ୍ପତି ନେଇଛନ୍ତି ହଲ ମାଲିକ । ଗତ ମାସରେ ଅକ୍ଷୟ କୁମାରଙ୍କ ପ୍ୟାଡମ୍ୟାନ ଚଳଚିତ୍ରକୁ ମଧ୍ୟ ପାକିସ୍ତାନରେ ବ୍ୟାନ କରାଯାଇଥିଲା । ଏଥିରେ ମହିଳାଙ୍କ ମାସିକ ଋତୁସ୍ରାବ ସଂପର୍କରେ ଆଲୋଚନା କରାଯାଇଥିବାରୁ ଏହାକୁ ମଧ୍ୟ ପାକିସ୍ତାନ ଫିଲ୍ମ ବୋର୍ଡ ଗ୍ରହଣ କରିପାରିନଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁସଲିମ୍ ଶାସକ ଆଲ୍ଲାଉଦ୍ଦିନ ଖିଲଜିଙ୍କୁ ଖଳନାୟକ ଭାବେ ଦର୍ଶାଯାଇଥିବା ସଂଜୟଲୀଳା ବଂଶାଲୀଙ୍କ ପଦ୍ମାବତ ରିଲିଜ ହୋଇଥିଲା ପାକିସ୍ତାନରେ ।

ସେପଟେ ପରୀ ଚଳଚିତ୍ର ରିଲିଜ ହେବା ପରେ ଏହାକୁ ନେଇ ଭାରତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗତକାଲି ରାତିରେ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବା ପରେ କ୍ରିକେଟର ବିରାଟ କୋହଲୀ, ପତ୍ନୀ ଅନୁଷ୍କାଙ୍କ ଅଭିନୟର ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ଟ୍ୱିଟ୍ କରି ବିରାଟ କହିଛନ୍ତି, ସେ ଦେଖିଥିବା ଭଲ ଫିଲ୍ମ ମଧ୍ୟରେ ପରୀ ଅନ୍ୟତମ । ଅନୁଷ୍କା ଏଥିରେ ତାଙ୍କର ଶ୍ରେଷ୍ଠ ଅଭିନୟ କରିଛନ୍ତି ବୋଲି କହିଛନ୍ତି କୋହଲୀ । ବିବାହ ପରେ ପରୀ ହେଉଛି ଅନୁଷ୍କାଙ୍କ ପ୍ରଥମ ରିଲିଜ ହୋଇଛି ଫିଲ୍ମ । ଅତିଭୌତିକ କାହାଣୀକୁ ନେଇ ଗତି କରିଛି ଏହି ଚଳଚ୍ଚିତ୍ର ।