ସରକାରୀ ସ୍କୁଲକୁ ଦୂରୁ ଜୁହାର ! ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଅଭିଭାବକଙ୍କ ମନ ।

64

ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ବହି , ପିନ୍ଧିବା ପାଇଁ ୟୁନିଫର୍ମ ଏବଂ ଭୋଜନ ମିଳିବା ସତ୍ୱେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହାର ସବୁଠୁ ବଡ କାରଣ ହେଉଛି ଅଭିଭାବକ ମାନେ ପିଲା ମାନଙ୍କୁ ଭଲ ଇଂରାଜୀ ଶିକ୍ଷା ଦେବା ପାଇଁ ସରକାରୀ ବିଦ୍ୟାଳୟକୁ ଛାଡି ଇଂରାଜୀ ସ୍କୁଲରେ ପାଠ ପଢାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କେବଳ ଇଂରାଜୀ ପଢାଇବା ପାଇଁ ସରକାରୀ ସ୍କୁଲକୁ ପଛରେ ପକାଉ ନାହାଁନ୍ତି । ପ୍ରକୃତ କାରଣ ହେଉଛି ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକ ମାନଙ୍କୁ ଏକ ଅନୁକୂଳ ପରିବେଶ ମିଳିପାରୁ ନାହିଁ । ସାଧାରଣରେ କହିବାକୁ ଗଲେ ସରକାରୀ ସ୍କୁଲ ମାନଙ୍କରେ କେଉଁଠି ପାଠ ପଢାଇବା ପାଇଁ ଘର ନାହିଁ ତ ଆଉ କେଉଁଠି ପାଠ ପଢାଇବା ପାଇଁ ଶିକ୍ଷକଙ୍କର ଅଭାବ ରହିଛି । ଏହିପରି ସମସ୍ୟା କାରଣରୁ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଖୋଲିଲା ଇଂରାଜୀ ସ୍କୁଲ, ତଥାପି ସ୍କୁଲରେ ନାହାନ୍ତି ପିଲା :

ଗତ ୨୦୧୪ରେ ଇଂରାଜୀକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରତିଟି ବ୍ଲକରେ ଗୋଟିଏ ଲେଖାଏଁ ସରକାରୀ ଇଂରାଜୀ ସ୍କୁଲର ନିର୍ମାଣ କରାଗଲା । ଏଥି ପାଇଁ ପ୍ରତିଟି ବ୍ଲକରେ ପାଏଲଟ ପ୍ରୋଜେକ୍ଟ ଭାବରେ ସ୍କୁଲ ଆରମ୍ଭ କରାଗଲା । କିନ୍ତୁ ଏହାର ରକ୍ଷଣା ବେକ୍ଷଣା ଠିକ ନରହିବାରୁ ପିଲାଙ୍କ ସଂଖ୍ୟା ବଢିପାରୁନାହିଁ । ଏହାର ସବୁଠାରୁ ବଡ କାରଣ ହେଉଛି ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକଙ୍କ ଅଭାବ ।

୩୦ ହଜାର ଶିକ୍ଷକ ପଦ ଖାଲି  :
ଦେଶରେ ପ୍ରାୟ ୧ ଲକ୍ଷ ୪୨ ହଜାର ୫୧୨ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ରହିଛି । ସେଥି ମଧ୍ୟରେ ପ୍ରାୟ ୩୦ ହଜାର ଶିକ୍ଷକଙ୍କ ପଦ ଖାଲି ରହିଛି । ସରକାରୀ ସ୍କୁଲରେ ମୋଟ ୨ ଲକ୍ଷ ୮୬ ହଜାର ଶିକ୍ଷକ ରହିଥିବା ବେଳେ ଏପରି କେତେକ ଶିକ୍ଷକ ରହିଛନ୍ତି ଯେଉଁମାନେ ସ୍କୁଲକୁ ପାଠ ପଢାଇବାକୁ ନଆସି ଅନ୍ୟ କେଉଁଠି ନିଜର ସେବା ପ୍ରଦାନ କରୁଛନ୍ତି ।

ସରକାରୀ ସ୍କୁଲରେ ପିଲା ମାନଙ୍କ ସଂଖ୍ୟା କମିବାରୁ ଏହାର ସିଧା ସଳଖ ଫାଇଦା ପାଉଛନ୍ତି ବେସରକାରୀ ସ୍କୁଲ । ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅନୁକୂଳ ବାତାବରଣ ନଥିବାରୁ ଅବିଭାବକ ମାନେ ବେସରକାରୀ ସ୍କୁଲରେ ନିଜ ପିଲାଙ୍କ ନାମ ଲେଖାଉଛନ୍ତି । ଯାହା ଫଳରେ ବେସରକାରୀ ସ୍କୁଲ ଗୁଡିକ ଲୋକ ମାନଙ୍କୁ ବିଭିନ୍ନ ଉପାୟରେ ଠକିଥାନ୍ତି । ଯେପରିକି ଆଡମିସନ ଠାରୁ ଆରମ୍ଭ କରି ପିଲାମାନଙ୍କର ବହି, ଖାତା, ଡ୍ରେସ୍ ଆଦିର ବାହାନା ଦେଖାଇ ନିଜ ଇଚ୍ଛା ମୁତାବକ ଅର୍ଥରାଶି ଲୁଟିଥାନ୍ତି । ଯଦି ଏହିପରି ପରିସ୍ଥିତି ଲାଗି ରହେ ତେବେ ଏମିତି ମଧ୍ୟ ସମୟ ଆସିବ ଦିନେ ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ତାଲା ଝୁଲିବ ।