ମାନସିକ ବିକାରଗ୍ରସ୍ତ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ! ସରକାରୀ ସହାୟତା ଲୋଡିଲେ ପରିବାର ସଦସ୍ୟ ।

37

କନକ ବ୍ୟୁରୋ : ଘରେ ପୁଅ ଜନ୍ମ ହେଲେ ବାପା ମା’ଙ୍କ ସମେତ ପରିବାର ଲୋକ ମଧ୍ୟ ବେସ ଖୁସି ହୋଇଯାଆନ୍ତି । ବାପା ମା’ ଭାବନ୍ତି ତାଙ୍କର ହଜିଯାଇଥିବା ସୁଖ ଫେରାଇ ଆଣିବ ପୁଅ । ଏହି ଭଳି ଅନେକ ସ୍ୱପ୍ନ ସାଉଁଟି ବାପା ମା’ ପିଲାମାନଙ୍କୁ ବଡ କରିଥାନ୍ତି । ଠିକ ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଜଣେ ଦମ୍ପତ୍ତି ତାଙ୍କର ଦୁଇ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । କିନ୍ତୁ ବୋଧ ହୁଏ ବିଧିର ବିଧାନ ଚାହୁଁଥିଲା ଆଉ କିଛି । ପରିଣତ ବୟସରେ ପୁଅ ସାହାରା ହେବ ବୋଲି ଆଶା ରଖିଥିବା ବୃଦ୍ଧ ବାପା ମା’ ଆଜି ସାଜିଛନ୍ତି ଦୁଇ ଦୁଇ ଜଣ ପୁଅଙ୍କ ପୋଷଣା ହାରି । ମାନସିକ ରୋଗରେ ପିଡୀତ ଦୁଇ ପୁଅଙ୍କୁ ଚିକିତ୍ସା କରି ଘରେ ଯାହା କିଛି ସମ୍ବଳ ଥିଲା ତାହା ଶେଷ ହୋଇଗଲାଣି । ଅଭାବ ଅନାଟନରେ ଦିନ କଟୁଥିବା ବେଳେ ଦୁଇ ପୁଅଙ୍କ ଅଧିକ ଚିକିତ୍ସା ପାଇଁ ସରକାରଙ୍କ ସାହାଯ୍ୟକୁ ଚାହିଁ ବସିଛନ୍ତି ବାପା ମା’ ।

କେନ୍ଦ୍ରାପଡା ଜିଲ୍ଲା ମହଙ୍ଗାପଡା ବ୍ଲକ ଅନ୍ତର୍ଗତ ରାୟଗଡା ଗ୍ରାମରେ ବାସ କରନ୍ତି ରବିନ୍ଦ୍ର ନାୟକ ଏବଂ ତାଙ୍କ ପରିବାର । ପରିବାର କହିଲେ ଦୁଇ ପୁଅ, ପତ୍ନୀ ଏବଂ ବୃଦ୍ଧ ବାପା ମା’ । ରବିନ୍ଦ୍ରଙ୍କ ଦୁଇ ପୁଅ ଜନ୍ମ ହେବା ପରେ କିଛି ଦିନ ହସ ଖୁସିରେ ଦିନ ବିତାଇଥିଲେ ପରିବାର ଲୋକେ । କିଛିଦିନ ବିତିବା ପରେ ହଠାତ୍ ରବିନ୍ଦ୍ରଙ୍କ ବଡ ପୁଅ ତପନ ଏବଂ ସାନ ପୁଅ ଜୀବନଙ୍କ ଠାରେ ଦେଖାଦେଇଥିଲା ମାନସିକ ବିକୃତି । ଦୁଇ ପୁଅଙ୍କୁ ଭଲ କରିବା ଲାଗି ବାପା ମା’ ମେଡିକାଲରେ ଚିକିତ୍ସା ଆରମ୍ଭ କରିଥିଲେ କିନ୍ତୁ କିଛି ସୁଫଳ ମିଳିପାରିନଥିଲା । ରୋଗ ଭଲ ହେବା ବଦଳରେ ଧିରେ ଧିରେ ବଢଚାଲିଲା । ରୋଗକୁ ଭଲ କରିବା ପାଇଁ ଡାକ୍ତର ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ସମ୍ଭବ ହୋଇପାରି ନାହିଁ । ତେଣୁ ବାପା ମା ଏବେ ସରକାରଙ୍କ ସାହାଯ୍ୟକୁ ଚାହିଁବସିଛନ୍ତି । ସରକାର ଯଦି କିଛି ସାହାଯ୍ୟ ଯୋଗାଇ ଦିଅନ୍ତି ତେବେ ଦୁଇ ପୁଅଙ୍କ ଉଚ୍ଚ ଚିକିତ୍ସା ହୋଇପାରନ୍ତା ।

ଦୁଇ ପୋଷଣା ହାରି ପୁଅଙ୍କର ଏ ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ରବିନ୍ଦ୍ର । ଜମି ବାଡି ସବୁ ବିକି ପିଲାଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦେଇଥିବା ବେଳେ ଦିନ ମଜୁରୀ କରି ପରିବାର ପୋଷଣ କରୁଛନ୍ତି ରବିନ୍ଦ୍ର । ତେଣୁ ପିଲାଙ୍କ ଅଧିକ ଚିକିତ୍ସା ପାଇଁ ରବିନ୍ଦ୍ର ସରକାରଙ୍କ ପାଖରେ ଅନେକ ଗୁହାରି କରିବା ପରେ ସରକାରୀ ସହାୟତା ହିସାବରେ ଦୁଇ ପୁଅଙ୍କୁ ମିଳୁଛି ମାତ୍ର କେଇ ଟଙ୍କା ଭତା । ଏନେଇ ବିଡିଓ କହିଛନ୍ତି, ଆମେ ଏହାର ତଦନ୍ତ କରିବୁ ଯଦି କିଛି ଆବଶ୍ୟକତା ପଡେ ତେବେ ଜିଲ୍ଲାପାଳଙ୍କୁ ଅବଗତ କରାଇ ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇଦିଆଯିବ ।