ସ୍ୱାଧିନତା ଦିବସ ପୂର୍ବରୁ ସରଗରମ ରାଜନୀତି । ପରେଡ୍ ସ୍ଥାନ ପରିବର୍ତ୍ତନରୁ ବିଜେପି-ବିଜେଡି ବୟାନବାଜି ।

748

କନକ ବ୍ୟୁରୋ: ପରେଡ୍ ସ୍ଥାନ ପରିବର୍ତ୍ତନ ନେଇ ଜୋରଦାରା ପଲିଟିକ୍ସ । ସାମ୍ନାସାମ୍ନି ହେଲେ ବିଜେପି-ବିଜେଡି । ସ୍ୱାଧିନତା ଦିବସରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ ପରିବର୍ତନକୁ ନେଇ ବିବାଦ ତେଜିଛି । ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତେ ପ୍ରଦର୍ଶନୀ ପଡିଆରେ ପରେଡ ପ୍ରସ୍ତାବକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଆଉ ଆରମ୍ଭ ହୋଇଛି ତର୍କ ବିତର୍କ । ପରେଡ ସ୍ଥାନ ପରିବର୍ତ୍ତନକୁ ନେଇ ବିଜେଡି-ବିଜେପି ମଧ୍ୟରେ ବୟାନବାଜି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ୭୨ ବର୍ଷର ପରମ୍ପରାକୁ ଭାଙ୍ଗିବା, ପରେଡରୁ ଛୋଟ ପିଲାଙ୍କୁ ବାଦ ଦେବା ପ୍ରସ୍ତାବ କେଉଁଭଳି ମାନସିକତା? ଆଉ ଏଥିସହ ମୁଖ୍ୟମନ୍ତ୍ରୀ ବେଶୀ ସମୟ ଠିଆ ହୋଇ ରହିପାରିବେନି ବୋଲି ଏପରି ବ୍ୟବସ୍ଥା କରାଗଲା କି ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ ।

ସେପଟେ ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି କି, ନ୍ୟାସନାଲ ମଡେଲ୍ ଅନୁସାରେ ଯେଉଁଭଳି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସ ପାଳନ କରାଯାଉଛି । ଠିକ୍ ସେହିଭଳି ଓଡ଼ିଶାରେ ମଧ୍ୟ ଚଳିତ ଥର ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ମାହାନ ଦିବସକୁ ଆଡ଼ମ୍ବର ସହ ଏକ ଖୋଲା ପଡ଼ିଆରେ ଯେଉଁଠି ଅଧିକରୁ ଅଧିକ ଲୋକମାନେ ସାମିଲ ହୋଇ ପାରିବେ, ସେ ଲକ୍ଷ୍ୟ ନେଇ ଚଳିତ ଥର ପରେଡ ସ୍ଥାନକୁ ପରିବର୍ତ୍ତନ କରାଯାଇଛି । ତେଣୁ ପରେଡ ସ୍ଥାନ ପରିବର୍ତ୍ତନ ନେଇ ବିଜେପି ଆଣୁଥିବା ଆପତ୍ତି ନିଶ୍ଚିତ ଏକ ତୁଚ୍ଛ ରାଜନୀତିର ପରିଚୟ ଦେଉଛି ବୋଲି କଟାକ୍ଷ କରିଛନ୍ତି ସସ୍ମିତ ।