ପୁଂଜିଲାଲଙ୍କ କଲେଜ କାହାଣୀ ! କେମିତି ପ୍ରିନ୍ସିପାଲ ପଦ ପାଇ ଅଧ୍ୟାପକ ସାଜିଲେ ସୈତାନ, କ୍ରାଇମବ୍ରାଞ୍ଚ ଖୋଲିଲା ଷଡ଼ଯନ୍ତ୍ରର ପୂରା କାହାଣୀ

32

କନକ ବ୍ୟୁରୋ : ପାର୍ସଲ ବୋମାର ଖଳନାୟକ ଅଧ୍ୟାପକ ପୁଂଜିଲାଲ ମେହରଙ୍କ ଷଡଯନ୍ତ୍ରର ପେଡ଼ି କ୍ରାଇମବ୍ରାଂଚ ଖୋଲିବା ପରେ ଭଇଁସା କଲେଜରେ ଅସମ୍ଭବ ନିରବତା ଖେଳିଯାଇଛି । ଯେଉଁମାନେ କଲେଜରେ ବର୍ଷ ବର୍ଷ ଧରି ତାଙ୍କ ସହ କାର୍ଯ୍ୟ କରୁଥିଲେ, ସେମାନଙ୍କୁ ଲାଗିଛି ବଡ଼ ଧରଣର ଝଟକା । ଅବଶ୍ୟ କଲେଜରେ କିଛି ଗୋଷ୍ଠୀର ଛାତ୍ରଙ୍କୁ ମତାଇ ସେ ଅନ୍ୟ ଗୋଷ୍ଠୀ ଛାତ୍ରଙ୍କୁ ମାଡ ମରାଉଥିଲେ । ହେଲେ ଏପରି ଜଘନ୍ୟ କାଣ୍ଡ ସେ ଘଟାଇପାରିବେ ତାହା କେହି ବିଶ୍ୱାସ କରିପାରୁନାହାନ୍ତି । ଏପରିକି ସୌମ୍ୟଶେଖରଙ୍କ ମାଆ ମଧ୍ୟ ପୁଂଜିଲାଲଙ୍କ ପାପ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଧ୍ୟାପକ ପୁଂଜିଲାଲଙ୍କ ପାପର ପସରା ଖୋଲିବା ପରେ ପୂରା ଭଇଁଷା କଲେଜ ସମ୍ଭୀଭୁତ । ପିଲାଙ୍କୁ ମତାଇ କଲେଜରେ ଛୋଟବଡ଼ ଗଣ୍ଡଗୋଳ ଭିଆଉଥିବା ଅଧ୍ୟାପକ ଯେ ପ୍ରତିଶୋଧ ପାଇଁ ଏପରି ଜଘନ୍ୟ ଅପରାଧୀ ପାଲଟିଯିବେ, ହୁଏତ ଏକଥା କେହି ଭାବିପାରିନଥିବେ, ହେଲେ ସବୁକିଛି ସାମନାକୁ ଆସିବା ପରେ କଠୋର ଦଣ୍ଡ ପାଇଁ ଦାବି କରୁଛନ୍ତି ପୁଂଜିଲାଲଙ୍କ ସହକର୍ମୀ ।

parcel bombସବୁଠୁ ବଡ କଥା ହେଲା ପାର୍ସଲ ବୋମାର ମଂଜି ପୋତା ଯାଇଥିଲା ଭଇଁସା କଲେଜରେ । ଅଧ୍ୟକ୍ଷ ପଦ ଗଲା ପରେ ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହରଙ୍କ ପୁଂଜିଭୂତ ଅସନ୍ତୋଷ ଜ୍ୱଳାମୁଖୀ ପାଲଟିଥିଲା । ଅସନ୍ତୋଷର ନିଆଁ ପୁଂଜିଲାଲଙ୍କୁ ଅଧ୍ୟାପକରୁ ବନାଇ ଦେଇଥିଲା ସଇତାନ । ଆଉ ପାର୍ସଲ ବୋମା ଉପହାର ପଠାଇ ଦୁଇ ଜଣ ନିରୀହଙ୍କ ଜୀବନ ନେଇଥିଲେ । ତେବେ ପୁଅ ସୌମ୍ୟଶେଖରଙ୍କ ମୃତ୍ୟୁ ପରେ ମାଆ ଭଇଁସା କଲେଜର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଆଖିରୁ ଲୁହ ଶୁଖୁନି । ପଦବୀ ପାଇଁ ଜଣେ ଅଧ୍ୟାପକ ଏତେ ତଳକୁ ଖସିପାରେ ଆଜି ବି ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏବେ ତାଙ୍କର ଗୋଟିଏ ଦାବି, ଅପରାଧୀକୁ ଦିଆଯାଉ କଠୋର ଦଣ୍ଡ ।

ଏ ହେଉଛି ସେହି କୋଠରୀ ଯେଉଁଠି ଅପରାଧର ଷଡଯନ୍ତ୍ର ରଚିଥିଲେ ପୁଂଜିଲାଲ । ସଇତାନୀ ବୁଦ୍ଧି ଲଗାଇ ଏଇଠି କରୁଥିଲେ ଅପରାଧର ସମସ୍ତ ଯୋଜନା । ତାଙ୍କରି ବେନାମୀ ଚିଠିକୁ ଆଧାର କରି ଯେତେବେଳେ କ୍ରାଇମବ୍ରାଂଚ, ପୁଂଜିଲାଲଙ୍କ ଏହି କୋଠରୀରେ ଛାପା ମାରିଥିଲା, ପଦାକୁ ଆସିଯାଇଥିଲା ଏହି ଭୟଙ୍କର ସତ । ତେବେ ପୁଂଜିଲାଲ ଏଭଳି କୌଶଳରେ ଷଡଯନ୍ତ୍ର କରୁଥିଲେ, କାହାକୁ କିଛି ବି ଜଣାନଥିଲା । ଆଜି ବି ତାଙ୍କ ବାପା, ମାଆ, ପତ୍ନୀ ଯୁକ୍ତି ବାଢୁଛନ୍ତି ପୁଂଜିଲାଲ ନିର୍ଦ୍ଦୋଷ । ପୁଂଜିଲାଲଙ୍କ ପାଟିରୁ ପୂରା ସତ ଜାଣିବାକୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ କଟକ ମୁଖ୍ୟାଳୟରେ ପୋଲିସର ପ୍ରଶ୍ନବାଣକୁ ସାମନା କରୁଛି ପୁଂଜିଲାଲ ।