ସଧବା ରହିବାକୁ ଆଶୀର୍ବାଦ ଦେଇ ସଜାଇ ଦେଲା ବିଧବା ! ରିସେପସନ ପାର୍ଟିକୁ ଯାଇ ଭୋଜି ଖାଇଥିଲା ଷଡଯନ୍ତ୍ରକାରୀ ପୁଞ୍ଜିଲାଲ ମେହେର, ଅନ୍ତେଷ୍ଟିକ୍ରିୟାରେ ବି ହୋଇଥିଲା ସାମିଲ

62

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ଉଠିଛି ପରଦା । ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ । ତେବେ ଏହି ଘଟଣାରେ ନ ଧରା ପଡିବା ପାଇଁ ବାହାଘରକୁ ମୃତ୍ୟୁର ଉପହାର ପଠାଇଥିବା ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର ଅତି ଚତୁରତାର ସହ ତାଙ୍କ ଉପରୁ ସନ୍ଦେହ ହଟାଇବାକୁ ଚେଷ୍ଟା କରିଥିଲା । ଆପଣ ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ଜଣକ ସୌମ୍ୟଶେଖର ଓ ରିମାଙ୍କ ବାହାଘର ଭୋଜିରେ ଯୋଗ ଦେଇ ନୂଆ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲା । ସୌମ୍ୟଶେଖର ଓ ରିମା, ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ଏବଂ ପୁଂଜିଲାଲ ଆଶୀର୍ବାଦ ଦେଇ ଉଭୟଙ୍କ ସୁଖୀ ଜୀବନ କାମନା କରିଥିଲା । ଏପରିକି ମୃତ୍ୟୁ ପରେ ଅନ୍ତେଷ୍ଟିକ୍ରୀୟାରେ ଯୋଗ ଦେଇ ପରିବାରକୁ ସମବେଦନା ବି ଜଣାଇଥିଲା । କିନ୍ତୁ କେହି ଜାଣିନଥିଲେ, ସଧବା ହେବାର ଆଶୀର୍ବାଦ ଦେଉଥିବା ଏହି ବ୍ୟକ୍ତି, ବିଧବା ବନାଇବା ପାଇଁ ସବୁ ଷଡଯନ୍ତ୍ର ରଚିସାରିଥିଲା ।

ଅଧ୍ୟାପକରୁ ଅପରାଧୀ ବନିଥିବା ମୃତ୍ୟୁର ସୌଦାଗର ଯେ, ଅଭିନୟ ବି କରିପାରେ ଇଏ ହେଉଛି ତା’ର ଏକ ବଡ ଉଦାହରଣ । ସବୁ ଜାଣି, କିଛି ନଜାଣିବାର ଅଭିନୟ କରିଥିବା ପୁଞ୍ଜିଲାଲ୍, ରିସେପସନ୍ ପାର୍ଟିରେ ପହଂଚି ନବବଧୂ ସୌମ୍ୟଶେଖର ଏବଂ ରୀମାଙ୍କୁ ଆର୍ଶୀବାଦ ଦେଇଥିଲା । ଆଉ ବୟସ୍କଙ୍କ ଆଶୀର୍ବାଦ ଭାବି ଶ୍ରଦ୍ଧାରେ ପୁଞ୍ଜିଲାଲ୍ ମେହେରଙ୍କ ପାଦ ଛୁଇଁଥିବା ନବବଧୁ ବି ଜାଣିନଥିଲେ, ଏହି ଆଶୀର୍ବାଦ ଦେବା ପୂର୍ବରୁ ସେ, ଉପହାର ଆକାରରେ ମୃତ୍ୟୁର ଭେଟି ପଠାଇ ସାରିଛି । ଯେଉଁ ପରିବାରକୁ ସଂପୂର୍ଣ୍ଣ ଧ୍ୱଂସ କରିବା ଦେବା ପାଇଁ ମୃତ୍ୟୁର ଷଡଯନ୍ତ୍ର ରଚିଥିବା ପୁଞ୍ଜିଲାଲ୍ ମେହେର, ପାର୍ସଲ ବୋମା ବିସ୍ଫୋରଣର ଠିକ୍ ଦୁଇ ଦିନ ପୂର୍ବରୁ ବେଶ ଚାଲାକିର ସହ ବିବାହ ଭୋଜିରେ ସାମିଲ ହୋଇଥିଲା ।

ଆଶୀର୍ବାଦ ଦେବାର ଅଭିନୟ କରିବା ଥିବା ପୁଞ୍ଜିଲାଲ୍ ମେହେର, ଭେଟି ଆକାରରେ ଗୋଟିଏ ଖାମରେ ୩ଶହ ଟଙ୍କା ଉପହାର ମଧ୍ୟ ଦେଇଥିଲା । ବେଶ ନିର୍ଭିକ ଭାବରେ ବାହାଘର ଭୋଜି ମଧ୍ୟ ଖାଇଥିଲା ।ଯେଉଁ ପୁଞ୍ଜିଲାଲ୍ ମେହେର ନିଜ ହାତରେ ମୃତ୍ୟୁର ନକ୍ସା ପ୍ରସ୍ତୁତ କରିଥିଲା, ସେହି ପୁଞ୍ଜିଲାଲ୍ ଅତି ନିର୍ଭିକ ଭାବରେ ରିସେପସନ୍ ପାର୍ଟିରେ ଆରାମରେ ଭୋଜି ଖାଇଥିଲା । ରିସେପସନ ପାର୍ଟିକୁ ଆସି ନବବଧୁଙ୍କୁ ଆଶୀର୍ବାଦ ଦେଇ ଖୁସିରେ ଭୋଜି ଖାଇ ପାରୁଥିବା ମଣିଷ ଯେ, ସେହି ଘରର ପରିବାର ଲୋକଙ୍କ ଅନିଷ୍ଟ ଚିନ୍ତା କରିବ, ହୁଏତ ସେକଥା କେହି କଳ୍ପନା ବି କରିନଥିବେ ।

ଏସବୁ ପଛରେ ପାର୍ସଲ ବୋମାର ମୁଖ୍ୟ ଖଳନାୟକଙ୍କର ଥିଲା ଏକ ମାତ୍ର ଉର୍ଦ୍ଦେଶ୍ୟ । ଯେମିତି ତା ଉପରକୁ କୌଣସି ସନ୍ଦେହ ନଆସୁ । ଆଉ ସମସ୍ତଙ୍କ ଆଖିରେ ଧୁଳି ଦେଇ ଖସି ଯିବା ପାଇଁ ପୁଞ୍ଜିଲାଲ୍ କରିଥିଲା ଷଡଯନ୍ତ୍ର । ସ୍ଥିର ମସ୍ତିଷ୍କରେ ଜଣେ କେମିତି ହତ୍ୟା ଯୋଜନା କରିପାରେ ତାହାର ପ୍ରକୃତ ଉଦାହରଣ ହେଉଛନ୍ତି ପୁଞ୍ଜିଲାଲ । ପାର୍ସଲ ବୋମା ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହେଲା । ହେଲେ ମୃତ୍ୟୁର ଷଡଯନ୍ତ୍ର ରଚିଥିବା ପୁଞ୍ଜିଲାଲ୍ ସୌମ୍ୟଶେଖରଙ୍କ ଘରକୁ ପହଂଚି ଯାଇଥିଲା ସ୍ୱାନ୍ତନା ଦେବା ପାଇଁ । ଏମିତିକି ମୃତ୍ୟୁ ପରେ ହୋଇଥିବା ଶୋକସଭାରେ ମଧ୍ୟ ସାମିଲ ହୋଥିଲା ।

ସୁଚିନ୍ତିତ ଭାବରେ ହତ୍ୟା କରିଥିବାରୁ ଯେମିତି ଏହି ସବୁ ଘଟଣା ତାକୁ ବିଚଳିତ କରିନଥିଲା ବରଂ ନିଜ ଦୋଷକୁ ଘୋଡାଇବା ପାଇଁ କରିଥିଲା ଭରପୁର ପ୍ରୟାସ । ମୃତ ସୌମ୍ୟଶେଖରଙ୍କ ଯେତେବେଳେ ଅନ୍ତେଷ୍ଟ କ୍ରିୟା ହେଉଥିଲା, ସେହି ସ୍ଥାନରେ ମଧ୍ୟ ଉପସ୍ଥିତ ଥିଲା ପୁଞ୍ଜିଲାଲ୍ । ମିଛ ଅଶ୍ରୁ ବୁହାଇ ଯେମିତି ସମସ୍ତଙ୍କ ଆଖିରେ ଧୁଳି ଦେବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିନଥିଲା ପୂଂଜିଲାଲ ମେହେର । ଆଉ ଭାବିଥିଲା ସବୁବେଳ ପାଇଁ ରହସ୍ୟମୟ ହୋଇ ରହିଯିବ ପାର୍ସଲ ବୋମା ବିସ୍ପୋରଣ କାହାଣୀ । କିନ୍ତୁ କ୍ରାଇମବ୍ରାଞ୍ଜ ଏଥିରେ ମୁଣ୍ଡ ପୂରାଇବା ପରେ ସବୁକିଛି ଗୋଳମାଳ ହୋଇଯାଇଥିଲା । ଆଉ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିବା ପାଟଣାଗଡ଼ ପାର୍ସଲ ବୋମାର କାହାଣୀରେ ପଡିଥିଲା ପୂର୍ଣ୍ଣଛେଦ ।