ଭୁବନେଶ୍ୱର ପହଂଚିଲା ବଲାଙ୍ଗିର ପୁଲିସ୍ ! ଘରୋଇ ଇଂଜିନିୟରିଂ କଲେଜରେ ଚାଲିଛି ତନାଘନା

30

କନକ ବ୍ୟୁରୋ: ବଲାଙ୍ଗିରରୁ ଭୁବନେଶ୍ୱର ପହଂଚିଛି ପାର୍ସଲ ବୋମା ବିସ୍ଫୋରଣ ଛାନଭିନ୍ । ଆଜି ବଲାଙ୍ଗିର ପୁଲିସ, ସୌମ୍ୟଶେଖର ପଢୁଥିବା ଇଂଜିନିୟରିଂ କଲେଜରେ ପଚରାଉଚୁରା କରିଛି ପୁଲିସ । ଏପଟେ ବଲାଙ୍ଗିର ପୁଲିସ୍ ଦ୍ୱାରା ଅଟକ ଥିବା ସନ୍ଦିଗ୍ଧ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୁହାଯାଉଛି-ଏହି ଯୁବକ ରୀମା ସାହୁଙ୍କୁ ଯୁକ୍ତ ଦୁଇ ପଢ଼ିଲା ବେଳେ ଫୋନ୍ କରୁଥିଲେ । ଏମିତି କି ବାହାଘର ହେଲେ ଶାନ୍ତିରେ ରଖେଇ ଦେବନି ବୋଲି ଧମକ୍ ଦେଉଥିଲେ । ଯେଉଁଥି ପାଇଁ ଏହି ଯୁବକର ଲାଇଡିଟେକ୍ସନ୍ ଟେଷ୍ଟ କରିପାରେ ପୁଲିସ ।

ପୁଲିସର ସନ୍ଦେହ ଘେରରେ ଥିବା ଇଏ ହେଉଛି ସେହି ଯୁବକ-ଯିଏ ରୀମା ଯୁକ୍ତ ଦୁଇ ପଢ଼ିଲା ବେଳେ ବାରମ୍ବାର ରୀମାକୁ ଫୋନ୍ କରୁଥିଲେ । ଆଉ ବାହାଘର ହେଲେ ଶାନ୍ତିରେ ରଖେଇ ଦେବେ ନାହିଁ ବୋଲି ଖୋଲାଖୋଲି ଧମକ୍ ଦେଉଥିଲେ । ଯୁବକକୁ ନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ କୁହାଯାଉଛି- ପୁଲିସ ଯୁବକର ଲାଇଡିଟେକ୍ସନ୍ ଟେଷ୍ଟ କରିପାରେ । ଆଉ ଏଥିପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ସେପଟେ ୩ଟି ଟିମ୍ ଗଠନ କରି ବଲାଙ୍ଗିର ପୁଲିସ୍ ଚଳାଇଛି ଛାନଭିନ୍ ।

ରୀମା ସାହୁଙ୍କ ସ୍ୱାମୀ ସୌମ୍ୟଶେଖର ପଢୁଥିବା ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ପହଂଚି ପଚରାଉଚୁରା କରିଛି ବଲାଙ୍ଗିର ପୁଲିସ୍ । ସୌମ୍ୟଶେଖରଙ୍କ ବ୍ୟକ୍ତିଗତ ଲିଙ୍କ୍ ସଂପର୍କରେ ଜାଣିବା ପାଇଁ, କଲେଜର କିଛି ଷ୍ଟାଫଙ୍କୁ ପଚରାଉଚୁରା କରିଥିବା ବେଳେ କିଛି ପୂର୍ବତନ ଛାତ୍ରଙ୍କ ନମ୍ବର ସଂଗ୍ରହ କରିଛି ।

ପାଟଣାଗଡ଼ରେ ବିସ୍ଫୋରଣ ହୋଇଥିବା ପାର୍ସଲ ବୋମା, ଏବେ ସାରା ଓଡ଼ିଶା ପାଇଁ ଏକ ଚ୍ୟାଲେଂଜ୍ ସୃଷ୍ଟି କରିଛି । ଆଉ କେମିତି ଏଭଳି ଘଟଣାକୁ ରୋକାଯାଇ ପାରିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛି ଓଡ଼ିଶା ପୁଲିସ୍—

-କୋରିୟର ସଂସ୍ଥା ଗୁଡ଼ିକ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ରଖନ୍ତୁ

-ମେଟାଲଡିଟେକ୍ଟର ଏବଂ ସିସିଟିଭି କ୍ୟାମେରା ଲଗାନ୍ତୁ

-ପାର୍ସଲ ପଠାଉଥିବା ବ୍ୟକ୍ତିର ପରିଚୟ ଓ ଠିକଣା ଯାଂଚ୍ କରନ୍ତୁ

-ଆବଶ୍ୟକ ସ୍ଥଳେ ଭୋଟର ଆଇଡି କିମ୍ବା ଆଧାର ନମ୍ବର ଯାଂଚ କରନ୍ତୁ

ଏହି ଭଳି କିଛି ସଚେତନତା ସହ ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି ଗାଇଡ୍ ଲାଇନ୍ ।