ବଲାଙ୍ଗୀର ପରେ ବରଗଡ! ପୁଣି ଫୁଟିଲା ପାର୍ସଲ ଭିତରେ ଥିବା ଟିଫିନ୍ ବୋମା, ଜଣେ ଗୁରୁତର ।

50

କନକ ବ୍ୟୁରୋ : ପୁଣି ଫୁଟିଲା ପାର୍ସଲ ଭିତରେ ଥିବା ଟିଫିନ୍ ବୋମା । ବଲାଙ୍ଗୀର ପରେ ଏବେ ପୁଣିଥରେ ବରଗଡରେ ଫୁଟିଛି ପାର୍ସଲ ବୋମା । ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା ମନରୁ ଲିଭିନାହିଁ ପୁଣିଥରେ ବରଗଡରେ ସମାନ ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ଅତବିରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁରେ ପାର୍ସଲ ବୋମା ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଟି. ନାଗଭୂଷଣ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ନାଗ ଭୂଷଣଙ୍କୁ ଆଇସିଇୟୁରେ ଭର୍ତ୍ତି କରାଯାଇଛି ।

ପାର୍ସଲ ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଅତାବିରା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତନାଘନା ଚଳାଇଛନ୍ତି । ଘଟଣା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୩ଟା ସମୟରେ ଟି ନାଗଭୂଷଣ ଘର ପାଚେରୀ ସମ୍ମୁଖରେ ଏକ ମାଟିଆ ରଙ୍ଗର ପାର୍ସଲ ଦେଖିଥିଲେ । ତେବେ ଏହି ପାର୍ସଲଟିକୁ ଖୋଲିବା ପରେ ହଠାତ ଏହା ବିସ୍ଫୋରଣ ହୋଇଥିଲା । ଏତେ ଜୋରରେ ପାର୍ସଲ ବୋମାଟି ବିସ୍ଫୋରଣ ହୋଇଥିଲା ଯେ, ନାଗଭୂଷଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଏହି ପାର୍ସଲ କିଲ ନାଗଭୂଷଣଙ୍କ ଘରକୁ ଆଣିଲା ତାହାକୁ ନେଇ ପୋଲିସ ଏବେ ପରିବାର ଲୋକ ଓ ପାଖ ପଡିଶାଙ୍କୁ ପଚାରିଛି । ଏସବୁ ଭିତରେ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କିନ୍ତୁ ବିସ୍ପୋରଣ ହୋଇଥିବା ବମଟି ପାର୍ସଲରେ ଆସିଥିଲା କି ଏହା ଟିଫିନ ବୋମା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ କରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ।