ଶୋଇବା ଖଟରୁ କ୍ଲାସ ରୁମ୍  ! ପକ୍ଷାଘାତରେ ପୀଡିତ ହୋଇବି ଛାଡିନାହାଁନ୍ତି ଶିକ୍ଷାଦାନ 

87

ମିରଟ : କୁହାଯାଏ ଶିକ୍ଷକତାବୃତ୍ତି ଏକ ମହତ କାର୍ଯ୍ୟ ଅଟେ । ଗୋଟିଏ ସମାଜକୁ ଶିକ୍ଷା ଦେଇ ଭବିଷ୍ୟତ ଗଢିବାର ନୂଆ ଆଲୋକ ଦେଖେଇଥାନ୍ତି ଏହି ଗୁରୁ ବା ଶିକ୍ଷକମାନେ । କେଉଁ କାଳରୁ ଏହାର ମହନୀୟତା ଆମ ସମାଜରେ ରହିଆସିଛି । ସମୟ ବଦଳିଛି, ଆଉ ଏହାସହ ବଦଳିଛି ମଧ୍ୟ ଶିକ୍ଷା ଦାନର ପ୍ରଣାଳୀ । ସେଦିନର ସେହି ଚାଟଶାଳୀ , ଏବେ ଆଉ ନାହିଁ ସତ । ହେଲେ ଶିକ୍ଷାର ଅନେକ ଉନ୍ନତି ଘଟିଛି । ଅନେକ ଶିକ୍ଷକ ଅଛନ୍ତି ନିଜର ଏହି ଶିକ୍ଷାଦାନ ଦ୍ୱାରା ପ୍ରଶଂସାର ପାତ୍ର ପାଲଟିଛନ୍ତି । ଆଜିର ଆଧୁନିକ ସମାଜରେ ପିଲା ଚାହୁଁଛନ୍ତି , ପାଠପଢି ଡାକ୍ତର , ଇଂଜିନିୟର କିମ୍ବା ଅନ୍ୟ କୌଣସି ଉଚ୍ଚ ବେତନର ଚାକିରି କରିବେ । ହେଲେ ଶିକ୍ଷକତା ପାଇଁ କାହାର କେମିତି ଆଗ୍ରହ ନଥାଏ । ଯେଉଁମାନେ ଏହି ବୃତ୍ତିର ମର୍ଯ୍ୟାଦାକୁ ଆଜିବି ବଂଚାଇ ରଖିଛନ୍ତି  ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶିକ୍ଷୟିତ୍ରୀ  ଉମା ଶର୍ମା । ଗତ ୭ ବର୍ଷ ଧରି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ । ତଥାପି ସେ ଭୁଲିନାହାଁନ୍ତି ନିଜର କର୍ତ୍ତବ୍ୟକୁ ।  ଶର୍ଯ୍ୟାଶାୟୀ  ହୋଇବି ସେ ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ପିଲାଙ୍କୁ ପଢାଉଛନ୍ତି ପାଠ ।

ଶିକ୍ଷୟିତ୍ରୀ ଉମାଙ୍କର ଜୀବନ କାହାଣୀ ଥିଲା କିଛିଭିନ୍ନ ଧରଣର ।  ୧୯୯୨ ମସିହାରେ  ଶାହାରନପୁରରେ  ଏକ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲରେ ପ୍ରଥମେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ।  ସେତେବେଳେ ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ପିଲାଙ୍କର ଦାୟିତ୍ୱ ସଂପୂର୍ଣ୍ଣ ରୂପେ ଉମାଙ୍କ ଉପରେ ଥିଲା । ପରିବାରର ଦାୟିତ୍ୱ ସହ ଶିକକ୍ଷତାକୁ ସେ ଏକା ସାଙ୍ଗରେ ଆଗେଇନେଇଥିଲେ । ମନରେ ଖୁବ୍ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିଲା । ଉତ୍ତମ ଶିକ୍ଷାଦାନ ଦ୍ୱାରା ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ । ଆଉ ଫଳସ୍ୱରୂପ ସ୍କୁଲର ପ୍ରିନ୍ସିପାଲ ହୋଇପାରିଥିଲେ ।

ସ୍ୱାମୀଙ୍କ ହରେଇ ଏକାଏକା ସଂସାର ବୋଝ ମୁଣ୍ଡେଇ ନିଜକୁ ଦୃଢ କରିଚାଲିଥିବା ଉମାଙ୍କ ଜୀବନରେ ପୁଣି ବିପଦର କଳା ବାଦଲ ଘୋଟିଆସିଥିଲା ।  ୨୦୦୭ରେ  ଏକମାତ୍ର ପୁଅ ରାଜିବକୁ ହରାଇଥିଲେ ସେ ।  ଏହାର କିଛିବର୍ଷ ପରେ ତାଙ୍କର ସାନ ଝିଅ  ରିଚାଙ୍କର ମଧ୍ୟମୃତ୍ୟୁ  ହୋଇଥିଲା । ଏହି ଦୁଃଖରେ ଭାଂଗିପଡିଲେ ଉମା । ଫଳସ୍ୱରୂପ ପକ୍ଷାଘାତ ରୋଗରେ ହେଲେ ପୀଡିତ ।  କେବଳ ମୁଣ୍ଡ ୧ ହାତକୁ ଛାଡି ବାକି ଶରୀର ସ୍ଥାଣୁ ପାଲଟିଗଲା ।

ଶାରୀରିକ ସ୍ତରରେ ଭାଂଗିପଡିଥିବା  ଉମା ମାନସିକ ସ୍ତରରେ  ଥିଲେ ଖୁବ୍ ଦୃଢ । ତାଙ୍କ ମା’ ମଦ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ ।  ଏତେ ସମସ୍ୟା ଭିତରେ ମଧ୍ୟ ଉମା ନିଜର ବୃତ୍ତିକୁ ଦୂର କରିପାରିନଥିଲେ ।  ସେଥିପାଇଁ ସେ ପୁଣି ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନେଲେ । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ସେ ସହଜରେ ଶିକ୍ଷକତା ବୃତ୍ତି ଚାଲୁରଖିଲେ । ସ୍କୁଲ ପକ୍ଷରୁ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରାଯାଇଥିଲା । ପ୍ରଥମ ପଦକ୍ଷେପ ସ୍ୱରୂପ  ସ୍କୁଲ ଓ ଉମାଙ୍କ ଗରେ  ଲଗାଯାଇଥିଲା ଡିସ୍ ଆଣ୍ଟିନା । ଏହା ସାହାଯ୍ୟରେ ଉମା ନିଜ ଘରେ ମୋବାଇଲ୍ ଫୋନ ଓ ଟାବଲେଟ୍  ଦ୍ୱାରା ପିଲାଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରିପାରିଥିଲେ ।

ଟାବଲେଟ୍ ମାଧ୍ୟମରେ  ଉମା  ପ୍ରତିଦିନ ପିଲାଙ୍କୁ ପାଢ ପଢାଉଚନ୍ତି  ସ୍କୁଲରେ ହେଉଥିବା କାର୍ଯ୍ୟକ୍ରମ ଉପରେ ନଜର ରଖିପାରୁଛନ୍ତି । ଆଜିବି ସେ ଜଣେ ପ୍ରିନ୍ସିପାଲ ଭାବରେ ସ୍କୁଲର ସମସ୍ତ ଦାୟିତ୍ୱ ତୁଲାଇ ପାରୁଛନ୍ତି । ନିଜର ଅକ୍ଷମତାକୁ କେବେ ବି ହୃଦୟଙ୍ଗମ କରିବାକୁ ଦେଇନାହାଁନ୍ତି ।  ତାଙ୍କର ଏଭଳି ଦୃଢ ଇଚ୍ଛା ଓ ମନୋବଳ ଯୋଗୁଁ ସେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ।  ଆଉ ଜଣେ ନିଆରା ମଣିଷ ପାଲଟିଯାଇଛନ୍ତି ।

(ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ)