ଜୀବନ ଦେଉଛି ଯନ୍ତ୍ରଣା : ଘର ଦୁଆରେ ପଡ଼ି ରହିଛନ୍ତି ବେଣୁଧର, କଲବଲ କରୁଛି ପକ୍ଷାଘାତ ରୋଗ . . ବେସାହାରାର ଦୁଃଖ ଶୁଣ ସରକାର

345

କନକ ବ୍ୟୁରୋ : ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ । ଜୀବନ ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଁପୁର ଗ୍ରାମର ବେଣୁଧର ବେହରା । ନର୍କ ଯନ୍ତ୍ରଣାରେ ଛାଟିପିଟି ହେଉଛନ୍ତି । କଲବଲ କରୁଛି ପକ୍ଷାଘାତ ରୋଗ । ମୃତ୍ୟୁ ଯେପରି ତାଙ୍କ ପାଇଁ ଚିର ଇପସିତ । ଯେଉଁ ବୟସରେ ରୋଜଗାର କରି ଘର ଚଳାଇବା କଥା ସେହି ସମୟରେ ପରିବାର ପାଇଁ ବୋଝ ପାଲଟିଛନ୍ତି । ଉଠିବା ପାଇଁ କଷ୍ଟ, ବସିବା ପାଇଁ କଷ୍ଟ । ବାଡ଼ି ଧରି ଜୀବନ ସହ ସଂଘର୍ଷ କରୁଛନ୍ତି ।  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ସହ ସଯୋଜନା ତାଙ୍କ ପାଇଁ ଅପହଞ୍ଚ । ଚିକିତ୍ସା ଅଭାବରୁ ଘର ଦୁଆରେ ଉପାୟଶୂନ୍ୟ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି  ।

୪୬ ବର୍ଷିୟ ବେଣୁଧର ବେହେରା । ଜୀବନ ଯେପରି ତାଙ୍କ ପାଇଁ ଅଭିଶାପ ପାଲଟିଛି । ଦିନ ଥିଲା ମୁଲ ଲାଗି କଠିନ ପରିଶ୍ରମ କରି ପରିବାର ଚଳାଉଥିଲେ ବେଣୁଧର  । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ ଚାଳ ଛପର ଘରେ ହସଖୁସିରେ ଚାଲିଥିଲା ପରିବାର । ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ  ।  ହେଲେ ହଠାତ୍ ଆଠ ବର୍ଷ ପୂର୍ବରୁ ତାଙ୍କ ଉପରେ ପକ୍ଷାଘାତ ରୂପୀ ପିଶାଚ ଶବାର ହେଲା । ଆଉ ତା’ପରେ ବଦଳିଗଲା ଜୀବନର ମୋଡ଼ ।  ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଏବେ ସ୍ଥାଣୁ, ନିର୍ଜୀବ । ଭାଗ୍ୟର ବିଡମ୍ବନା ଦେଖନ୍ତୁ ମାତ୍ର ୪୬ ବର୍ଷ ବୟସରେ ବେଣୁଧର ପକ୍ଷାଘାତ ରୋଗରେ ପୀଡିତ ହେଲେ  ।  ପରିବାରର ମୁଖିଆ ବେଣୁଧର ପକ୍ଷାଘାତରେ ଶଯ୍ୟାଶାୟୀ ହେବାପରେ ଦୋହଲିଗଲା ତେଲ ଲୁଣର ସଂସାର । ଏବେ ଦାରିଦ୍ର, ଦୁଃଖ ଯନ୍ତ୍ରଣାରେ ଛଟପଟ୍ ହେଉଛି ପୁରା ପରିବାର । ଚିକିତ୍ସା ସେବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହଯୋଗର ହାତ ନମିଳିବା ଯୋଗୁଁ ଏପରି ଭାଗ୍ୟ ଉପରେ ଆଦରି ପଡ଼ିରହିଛନ୍ତି ।

ଅପରପକ୍ଷେ ସ୍ୱାମୀ ରୋଗରେ ପଡ଼ିବା ଦିନୁ ପର ଘରେ କାମ କରି ପରିବାର ଚଳାଉଛନ୍ତି ବେଣୁଧରଙ୍କ ସ୍ତ୍ରୀ । ଯେତିକି ଟଙ୍କା ମିଳୁଛି ସେଥିଲେ ବେଣୁଧରଙ୍କ ଚିକିତ୍ସା ଆଉ ପରିବାର ଜାକର ବୋଝ ବୋହିବା ଅସମ୍ଭବ । ଓଳିଏ ଖାଇ ଓଳିଏ ଉପବାସ ରହି ସେ ଘର ଚଳାଉଛନ୍ତି । ପୂର୍ବରୁ ଖୋର୍ଦ୍ଧା ଆଉ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ହେ,ଁ ଏବେ ଅର୍ଥାଭାବ କାରଣରୁ ଘର ପିଣ୍ଡାରେ ପଡ଼ିରହିଛନ୍ତି ଅସହାୟ ବେଣୁଧର । ତାଙ୍କ ଚିକିତ୍ସା ପାଇଁ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଆର୍ଥକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ  । ତେବେ ଏନେଇ ସ୍ଥାନୀୟ ସରପଂଚ କହିଛନ୍ତି ବେଣୁଧରଙ୍କ ଚିକିତ୍ସା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଛି । ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିବଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।