ପାରଳାଖେମୁଣ୍ଡି ଆସନ ପାଇଁ ଟକ୍କର । ଦ୍ୱନ୍ଦରେ ବିଜେଡି-ବିଜେପି , କଂଗ୍ରେସରୁ ୨ ଦାବିଦାର କାହାକୁ ବାଛିବ ଦଳ ?

161

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୧୧ ତାରିଖ ରେ ହେବାକୁଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥିମଧ୍ୟରେ ରହିଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ଏହି ନିର୍ବାଚନମଣ୍ଡଳୀ ରାଜନୀତି ଉଷ୍ମ ହେବାରେ ଲାଗିଛି ।

ପାରଳାଖେମୁଣ୍ଡି ପୈାର ପରିଷଦ କାଶିନଗର ବ୍ଲକ୍ ଓ ଏନଏସି, ଗୋସାଣୀ ଓ ଗୁମ୍ମା ବ୍ଲକକୁ ନେଇ ପାରଳା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାର ପ୍ରଭାବ ବେଶ୍ ଦେଖିବାକୁ ମିଳୁଛି । ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କ˚ଗ୍ରେସ ଦଳର କେ, ସୁର୍ଯ୍ୟା ରାଓ ମାତ୍ର ୧୪୧୯ ଖଣ୍ଡ ଭୋଟରେ ବିଜେଡ଼ି ଦଳର ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କୁ ପରାସ୍ତ କରି ବିଜୟ ତିଳକ ପିନ୍ଧିଥିଲେ । ବର୍ତମାନ ଉଭୟ କ˚ଗ୍ରେସ ଓ ବିଜେଡ଼ି ଦଳର ଆଶାୟୀଙ୍କ ମଧ୍ୟରେ ଟିକଟ ଆପଣେଇବାକୁ କସରତ ଚାଲିଥିବା ବେଳେ ଏଠାକାର ରାଜନୀତି ପାଣିପାଗ ଘଡ଼ିକେ ଘୋଡ଼ା ଛୁଟୁଛି ଭଳି ହେଉଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ଦଳର ଟିକଟ ପାଇଁ ବିଧାୟକ କେ, ସୁର୍ଯ୍ୟା ରାଓ ଓ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ନାଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଥିବା ଜଣାପଡ଼ିଛି । ତେବେ କିଛି ମାସ ପୂର୍ବେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଯେ, ଆସନ୍ତା ନିର୍ବାଚନରେ କେ, ସୁର୍ଯ୍ୟା ରାଓ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବରଂ ତାଙ୍କ ସ୍ଥାନରେ ତିରୁପତି ଲଢିବେ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପିସିସିଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ ସୁର୍ଯ୍ୟା ରାଓ । ଏହାର କିଛି ଦିନପରେ ବିଧାୟକ ସୁର୍ଯ୍ୟା ରାଓ କ˚ଗ୍ରେସ ଦଳ ପ୍ରତି ଆଗ୍ରହ ନଦେଖାଇ ବିଜେଡିର ନିକଟତର ହେବାକୁ ଉଦ୍ୟମ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ହେଲେ ଏବେ ଆଉଥରେ କ˚ଗ୍ରେସ ଦଳ ତରଫରୁ ଲଢିବେ ବୋଲି ବିଧାୟକ ସୁର୍ଯ୍ୟା ରାଓ ଗଣମାଧ୍ୟମରେ ପ୍ରଚାର କରି ପିସିସିକୁ ଜଣାଇବା ଘଟଣା ଦ୍ୱନ୍ଦ ସୃଷ୍ଟି ହୋଇଛି । ଅପରପକ୍ଷେ କ˚ଗ୍ରେସ ଦଳ ପକ୍ଷରୁ ଟିକେଟ୍ ପାଇବା ଆଶାରେ ତିରୁପତି ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳରେ ଜନ ସମର୍ଥନ ପାଇବାକୁ କସରତ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ବିଜେଡ଼ି ଟିକଟ ଆଶାୟୀଙ୍କ ସ˚ଖ୍ୟା ବହୁତ ଲମ୍ବା । ଗତ ୨୬ ତାରିଖରେ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡିରେ ମିଶିବା ପରେ ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କ ରକ୍ତଚାପ ବଢିଯାଇଛି । କଲ୍ୟାଣୀ ଦେବୀଙ୍କ ନିକଟତର ସମର୍ଥକଙ୍କ କହିବା ଅନୁଯାୟୀ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିବାକୁ ଇଚ୍ଛାପ୍ରକଟ କରିଛନ୍ତି । ଟିକଟ ଆଶାୟୀଙ୍କ ମଧ୍ୟରେ ରାଜକୁମାରୀ କଲ୍ୟାଣୀ ଦେବୀ ପୂର୍ବତନ ବିଧାୟକ କେ ନାରାୟଣ ରାଓ ସ୍ବେଚ୍ଛାସେବୀ ସ˚ସ୍ଥାର ମୁଖ୍ୟ କେ ଜଗନ୍ନାଥ ରାଓ ଏବ˚ ଯୁବ ନେତା ମହରୁତ ପାଳ ପ୍ରମୁଖ ରହିଛନ୍ତି ।

ଅପରପକ୍ଷେ ବିଜେପିକୁ ଗତ ନିର୍ବାଚନରେ ସନ୍ତୋଷଜନକ ଭୋଟ ମିଳିନଥିଲେ ମଧ୍ୟ ଏଥର ଧିରେ ଧିରେ ଦଳ ଶକ୍ତି ଗୋଟାଉଥିବା ଦେଖିବାକୁ ମିଳୁଛି । ଏପକରିକି ବିଜେପି ଯେଉଁଭଳି ଭାବେ ଚଳଚଞ୍ଚଳ ହୋଇ ଉଠିଛି ତାହାର ପ୍ରଭାବ ଏହି ନିର୍ବାଚନମଣ୍ଡଳୀ ଉପରେ ପଡ଼ିଛି । ସେଥିପାଇଁ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଆଇନଜୀବୀ ଜୁଲୁ ମିଶ୍ର, ଗତଥରର ପ୍ରାର୍ଥୀ ତିରୁପତି ନାୟକ ଏବ˚ ଜିଲ୍ଲା ବିଜେପି ସଭାପତି କେ ରାବଣା ରାଓଙ୍କ ନାମ ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।

ଏସବୁ ବାଦ୍ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଗଲେ ଏବେ ସମସ୍ତଙ୍କ ନଜର ହାଇଦ୍ରାବାଦ ଅଞ୍ଚଳରେ ରହୁଥିବା ଗଜପତି ଜିଲ୍ଲାର ଦାଦନ ଏବ˚ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଯାଇଥିବା ୧୫ ହଜାର ଭୋଟରଙ୍କ ଉପରେ ରହିଛି । ଗତ ମାସରେ ବିଜେଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ତାଙ୍କ ସମର୍ଥକଙ୍କ ସହ ହାଇଦ୍ରାବାଦ ଯାଇ ସଭା ଆୟୋଜନ କରିଥିଲେ। ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବା ସହ ଅନେକ ପ୍ରତିଶ୍ରୁତି ଦେଇ ଫେରିଥିବା ଘଟଣା ସ୍ଥାନୀୟ ରାଜନୀତି ମହଲକୁ ଉଷ୍ମ କରିଛି ।