ନ୍ୟାୟ ନମିଳିଲେ ମରିବୁ ! ମାନବାଧିକାର କମିଶନଙ୍କୁ ଫେରାଦ୍ ହେଲେ ପାରଳା ପ୍ୟାଲେସ୍ ମ୍ୟାନେଜରଙ୍କ ପରିବାର

26

ପାରଳାଖେମୁଣ୍ଡି : ରାଜ୍ୟ ମାନବାଧିକାର କମିଶନ କାର୍ଯ୍ୟାଳୟରେ ଅନଙ୍ଗ ମଂଜରୀଙ୍କ ପରିବାର । ବହୁ ଚର୍ଚ୍ଚିତ ପାରଳା ଗଣ ଆତ୍ମହତ୍ୟାର ମୃତକଙ୍କ ପରିବାର ନ୍ୟାୟ ଭିକ୍ଷା କରିଛନ୍ତି ମାନବଧିକାର କମିଶନରଙ୍କୁ । ଏହି ଲୋମହର୍ଷଣକାରୀ ଘଟଣାକୁ ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ତାଙ୍କୁ ନ୍ୟାୟ ମିଳୁନି ବୋଲି ପ୍ରଶ୍ନ କରିଛନ୍ତି । ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

୨୧ ଅଗଷ୍ଟ ୨୦୧୬ । ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ବ୍ୟକ୍ତିଗତ ସହାୟିକା ଅନଙ୍ଗ ମଂଜରୀଙ୍କ ବାସଭବନରୁ ୩ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଓ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଥିଲା ପାରଳାଖେମୁଣ୍ଡି ପୋଲିସ୍ । ଅନଙ୍ଗ ମଂଜରୀଙ୍କ ସମେତ ଦୁଇ ଭାଇ ଓ ଜଣେ ଭଉଣୀ ନିଜ ବାସଭବନରେ ରଚିଥିଲେ ଏପରି କାଣ୍ଡ । ଗୁରୁତର ଥିବା ଅନଙ୍ଗ ମଂଜରୀଙ୍କ ସାନ ଭାଇ ମଧ୍ୟ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

ପାରଳାଖେମୁଣ୍ଡିର ଜଂଘମ ସାହିରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ପ୍ରାଥମିକ ତଦନ୍ତରୁ ସେମାନେ ଆତ୍ମହତ୍ୟା କରିଥିବା ପୋଲିସକୁ ସୁରାକ ମିଳିଥିଲା । ତେବେ କଣ ପାଇଁ ଗୋଟିଏ ପରିବାରର ୪ ଜଣ ଏକାସାଙ୍ଗେ ଏମିତି ପଦକ୍ଷେପ ନେଲେ ତାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଆଉ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଥିଲେ ।

୧୪ ଅଗଷ୍ଟ ୨୦୧୬ । ମହାରାଜା ଗୋପୀନାଥ ଗଜପତିଙ୍କ ସମ୍ପତି ହଡପ୍ କରିବାକୁ ତାଙ୍କୁ ନଜରବନ୍ଦୀ କରି ରଖାଯାଇଛି ଓ ଏଥିପାଇଁ ଅନଙ୍ଗ ମଂଜରୀଙ୍କୁ ଦାୟୀ କରି ଆରମ୍ଭ ହୋଇଥିଲା ବିକ୍ଷୋଭ । ସ୍ଥାନୀୟ କିଛି ରାଜନେତାଙ୍କ ସହ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏ ନେଇ ଆରମ୍ଭ କରିଦେଇଥିଲା ଜୋରଦାର ପ୍ରଚାର । ଏପରିକି ତାଙ୍କ କୁଶପୁତଳିକା ଦାହ କରାଯିବା ସହ ଫଟୋରେ ଚପଲ ମାଳ ପିନ୍ଧାଯାଇ ସହର ପରିକ୍ରମା କରାଯାଇଥିଲା ।

ଘଟଣାକୁ ଏବେ ୩ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ଘଟଣାରେ କ୍ରାଇମବ୍ରାଂଚର ହାତ ଏପର୍ଯ୍ୟନ୍ତ ଖାଲି । ତେଣୁ ସ୍ୱାଭରବିକ ଭାବେ ପ୍ରଶ୍ନ ଉଠୁଛି

ମାସର ତଦନ୍ତରେ କଣ ପାଇଲା କ୍ରାଇମବ୍ରାଂଚ୍ ?
ଅପରାଧୀଙ୍କୁ ଦଣ୍ଡ ମିଳିବାରେ ବିଳମ୍ବ କାହିଁକି ?
ଘଟଣାର ପ୍ରକୃତ ଖଳନାୟକଙ୍କୁ ଘଣ୍ଟ ଘୋଡାଯାଉଛି କି ?
ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ କେତେ ଦିନ ନେବ କ୍ରାଇମବ୍ରାଂଚ୍ ?
ଘଟଣା ପଛରେ ଥିବା ପ୍ରଭାବଶାଳୀ ବ୍ୟକ୍ତି କ୍ରାଇମବ୍ରାଂଚ୍ ଉପରେ ଚାପ ପକାଉନାହାନ୍ତି ତ ?